Parliament Debate / ସଂସଦରେ ଜାତୀୟ ସଂଗୀତ 'ବନ୍ଦେ ମାତରମ୍' ବିତର୍କ

Key Points
୧୮୭୫ରୁ ୨୦୨୫ ଯାତ୍ରା ପଥରେ ଏକତାର ମନ୍ତ୍ର- `ବନ୍ଦେ ମାତରମ'
`ଜିନ୍ନାଙ୍କ ଆଗରେ ନେହରୁ ଆତ୍ମସମର୍ପଣ ଯୋଗୁ ବିଖଣ୍ଡିତ ହୋଇଥିଲା ଜାତୀୟ ସଂଗୀତ'
ଉଜାଗର ୧୫୦ ବର୍ଷର ଇତିହାସ...ଜାତୀୟ ସଂଗୀତ ବନ୍ଦେ ମାତରମ ପ୍ରତି ହୋଇଥିଲା ବିଶ୍ବାସଘାତ, ସଂଗ୍ରାମୀଙ୍କ ପ୍ରତି କରାଯାଇଥିଲା ଅନ୍ୟାୟ । ଜାତୀୟ ସଂଗୀତକୁ ଅଖଣ୍ଡ ଓ ସୁରକ୍ଷିତ ରଖିବାରେ ବିଫଳ ହୋଇଥିବା ତତ୍କାଳୀନ କଂଗ୍ରେସ ସରକାରକୁ କାଠଗଡ଼ାକୁ ଟାଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜାତୀୟ ସଂଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାରେ ସ୍ଵତନ୍ତ୍ର ବିତର୍କରେ ନେହରୁଙ୍କ ଐତିହାସିକ ଅନ୍ୟାୟ ଉପରୁ ପରଦା ହଟାଇଛନ୍ତି ମୋଦି । ଶୀତ ଅଧିବେଶନର ଷଷ୍ଠ ଦିନରେ ଲୋକସଭାକୁ ଉଷ୍ଣ କରିଛି ବନ୍ଦେ ମାତରମ ବିତର୍କ । ଆସନ୍ତାକାଲି ରାଜ୍ୟସଭାରେବି ହେବ ବନ୍ଦେ ମାତରମ୍ ବିତର୍କ ।
୧୮୭୫ରୁ ୨୦୨୫ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ବନ୍ଦେ ମାତରମ୍ । ଜାତୀୟ ସଂଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସଂସଦରେ ହୋଇଛି ସ୍ଵତନ୍ତ୍ର ବିତର୍କ । ଅଭିଭାଷଣରେ ବନ୍ଦେ ମାତରମ୍ ପ୍ରତି ବିଶ୍ୱାସଘାତକତା, ଜାତୀୟ ଏକତାକୁ ପଛରେ ପକାଇ ବ୍ୟକ୍ତିଗତ ସ୍ଵାର୍ଥ ପୂରଣକୁ ପ୍ରାଥମିକତା ଦେଇଥିବା ତତ୍କାଳୀନ କଂଗ୍ରେସ ନେତୃତ୍ବକୁ କାଠଗଡ଼ାକୁ ଟାଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ସ୍ୱାଧୀନତା ସଂଗ୍ରାମୀଙ୍କୁ ଶକ୍ତି ଓ ସ୍ବରାଜ ଆନ୍ଦୋଳନକୁ ପ୍ରେରଣା ଯୋଗାଇଥିବା ବନ୍ଦେ ମାତରମ ପ୍ରତି ବିଶ୍ବାସଘାତ କରିଥିଲା କଂଗ୍ରେସ ଶାସନ । ଜାତୀୟ ସଂଗୀତ ପ୍ରତି ଅନ୍ୟାୟ କରିଥିଲେ ନେହରୁ । ଜିନ୍ନାଙ୍କ ଆଗରେ ନେହରୁଙ୍କ ଆତ୍ମସମର୍ପଣ, ଜାତୀୟ ସଂଗୀତକୁ ବିବାଦ ଭିତରକୁ ଟାଣି ନେଇଥିଲା । ୧୯୩୭ରେ ଜିନ୍ନା ବନ୍ଦେ ମାତରମର ଶକ୍ତି ଜାଣି ନେବା ପରେ ଏହାକୁ ବିରୋଧ କରିଥିଲେ । ୧୯୦୫ ବଙ୍ଗ ବିଭାଜନ, ୧୯୪୭ ସ୍ବାଧୀନତା ଆନ୍ଦୋଳନ ସହ ୧୯୭୫ ଜରୁରୀକାଳୀନ ସ୍ଥିତିରେ ସଂଗ୍ରାମୀଙ୍କୁ ଜାତୀୟତାର ଭାବନାରେ ବାନ୍ଧିଥିଲା ବନ୍ଦେ ମାତରମ । ଜରୁରୀ ପରିସ୍ଥିତି ବେଳେ ବନ୍ଦେ ମାତରମ ଶହେ ବର୍ଷ ପୂରଣ କରିଥିଲା । ସେହି ସମୟରେ ଗଣତନ୍ତ୍ର ବିପଦରେ ଥିଲା ବୋଲି କହିଛନ୍ତି ପିଏମ୍ ମୋଦି ।
ଶୀତ ଅଧିବେଶନର ଷଷ୍ଠ ଦିନରେ ଲୋକସଭାକୁ ଉଷ୍ଣ କରିଛି ବନ୍ଦେ ମାତରମ ବିତର୍କ । ଅଭିଭାଷଣରେ ପିଏମ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ କରିଥିଲେ ବି ଜାତୀୟ ସଂଗୀତକୁ ନେଇ ବ୍ୟାକଫୁଟକୁ ଆସିଛି କଂଗ୍ରେସ । ବନ୍ଦେ ମାତରମ ଚର୍ଚ୍ଚା କରି ସମୟ ନଷ୍ଟ କରାଯାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ।
ଲୋକସଭାରେ ସ୍ବତନ୍ତ୍ର ଚର୍ଚ୍ଚାରେ ଜାତୀୟ ସଂଗୀତକୁ ଦେଶପ୍ରେମର ମହାନ ମନ୍ତ୍ର କହାବା ସହ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦେଶର ଜାତୀୟ ସଂଗୀତକୁ ଅଖଣ୍ଡ ରଖିବାରେ ବିଫଳ ତତ୍କାଳୀନ ସରକାର, ଦେଶକୁ ବିଖଣ୍ଡିତ କରିଥିବା ଅଭିଯୋଗ କରି କଂଗ୍ରେସକୁ କଡା କଟାକ୍ଷ କରିଛନ୍ତି ରାଜନାଥ । ଲୋକସଭାରେ ବିତର୍କ ପରେ ମଙ୍ଗଳବାର ରାଜ୍ୟସଭାରେ ବି ହେବ ବନ୍ଦେ ମାତରମ ବିତର୍କ । ଉଜାଗର ହେବ ଜାତୀୟ ସଂଗୀତ ଇତିହାସ ।
ଅଧିକ ପଢ଼ନ୍ତୁ ଦେଶ ଖବର...
📱 Get Argus News App
✨Related Topics
Explore more stories