'୧୦ ବର୍ଷ ମଧ୍ୟରେ ମୋଦିଙ୍କ ପାଇଁ ନୂଆ ଉତ୍ତରପ୍ରଦେଶ ଦେଖିଛନ୍ତି ରାଜ୍ୟବାସୀ'

ବିକାଶର କୌଣସି ବିକଳ୍ପ ନାହିଁ । ଯେଉଁମାନେ ବିକାଶ କରିପାରନ୍ତି ନାହିଁ ସେମାନେ ଜାତି, ଧର୍ମ, ଅଂଚଳ ଓ ଭାଷା ଆଧାରରେ ସାମାଜିକ ସମନ୍ୱୟକୁ କ୍ଷତି ପହଞ୍ଚାଇଥାନ୍ତି। ଗୋରଖପୁରରେ ୧୪୯୮ କୋଟି ଟଙ୍କାର ୧୪୬ଟି ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଲୋକାର୍ପଣ କାର୍ଯ୍ୟକ୍ରମରେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ସେ କହିଛନ୍ତି ୨୦୧୭ ପୂର୍ବରୁ ଉତ୍ତରପ୍ରଦେଶରେ ଭ୍ରଷ୍ଟାଚାର ଓ ଆତଙ୍କର ବାତାବରଣ ରହିଥିଲା। ବିଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏକ ନୂଆ ଭାରତ ଏବଂ ନୂଆ ଉତ୍ତରପ୍ରଦେଶ ଦେଖିଛନ୍ତି ରାଜ୍ୟବାସୀ। ଏଠାରେ ବିକାଶ ଓ ବିରାସତର ଅଦଭୂତ ସମନ୍ୱୟ ଦେଖିବାକୁ ମିଳିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।
ନୂଆ ଉତ୍ତରପ୍ରଦେଶରେ ସ୍ଥାନୀୟ ହସ୍ତଶିଳ୍ପୀକୁ ପ୍ରୋତ୍ସାହିତ କରିବାକୁ ଏକ ଜିଲ୍ଲା, ଏକ ଉତ୍ପାଦ, ବିଶ୍ୱକର୍ମା ଶ୍ରମ ସମ୍ମାନ ଯୋଜନା, ପିଏମ ବିଶ୍ବକର୍ମା ଯୋଜନା ଆଦି ସୁଚାରୁ ରୂପେ ସଂଚାଳିତ କରାଯାଉଛି। ଉତ୍ତରପ୍ରଦେଶକୁ ଗରିବଶୂନ୍ୟ କରିବାକୁ ଏଠାକାର ଡବଲ୍ ଇଞ୍ଜିନ ସରକାର ଏକ ନୂଆ କାର୍ଯ୍ୟକ୍ରମ ଆଣିବାକୁ ଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।
କିଛି ଦିନ ପୂର୍ବରୁ ରାଜ୍ୟରେ ସଂଖ୍ୟାଲଘୁମାନେ ସବୁଠାରୁ ସୁରକ୍ଷିତ ବୋଲି ଦାବି କରିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ଆହୁରି ବି କହିଥିଲେ ଯେ, ଶହେ ହିନ୍ଦୁ ପରିବାର ମଧ୍ୟରେ ଗୋଟିଏ ମୁସଲିମ ପରିବାର ସୁରକ୍ଷିତ ଅନୁଭବ କରିବ କିନ୍ତୁ ଶହେ ମୁସ୍ଲମାନ ପରିବାର ମଧ୍ୟରେ ଜଣେ ହିନ୍ଦୁ ସୁରକ୍ଷିତ ନୁହେଁ। ଏହା ସହିତ ସେ ବାଂଲାଦେଶର ପରିସ୍ଥିତି ବିଷୟରେ ଆଲୋକପାତ କରିଥିଲେ। ଯେଉଁଠାରେ ଗତ କିଛି ମାସ ମଧ୍ୟରେ ସଂଖ୍ୟାଲଘୁ ଏବଂ ମନ୍ଦିର ଉପରେ ଅନେକ ଆକ୍ରମଣ ହୋଇଛି।