Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚିକେନ୍-ମଟନ୍ ଖାଉଥିବା ଲୋକ ଏବେ ପ୍ରାଣୀପ୍ରେମୀ ହୋଇଗଲେ; ଶୁଣାଣି ବେଳେ କହିଲେ ତୁଷାର ମେହେଟ୍ଟା

Ritu Das
Browse all articles by Ritu Das
·11 months ago·2 min read
ଚିକେନ୍-ମଟନ୍ ଖାଉଥିବା ଲୋକ ଏବେ ପ୍ରାଣୀପ୍ରେମୀ ହୋଇଗଲେ; ଶୁଣାଣି ବେଳେ କହିଲେ ତୁଷାର ମେହେଟ୍ଟା

Key Points

ଚିକେନ୍-ମଟନ୍ ଖାଉଥିବା ଲୋକ ଏବେ ପ୍ରାଣୀପ୍ରେମୀ ହୋଇଗଲେ

ଶୁଣାଣି ବେଳେ ଏମିତି କହିଲେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା

କୁକୁରଙ୍କ ବନ୍ଧ୍ୟାକରଣ ଦ୍ୱାରା ରେବିଜ୍ ବନ୍ଦ ହେବ ନାହିଁ

ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟ ଶୁଣାଇଥିବା ନିଷ୍ପତ୍ତି ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ନିଷ୍ପତ୍ତିକୁ ନେଇ ଦେଶରେ ଲୋକମାନେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି। କିଛି ଲୋକ ନିଷ୍ପତ୍ତିର ସପକ୍ଷରେ ଅଛନ୍ତି ଏବଂ କିଛି ଏହାର ବିରୋଧରେ। ହେଉଥିବା ବିରୋଧ ପ୍ରଦର୍ଶନକୁ ଦେଖି ସୁପ୍ରିମକୋର୍ଟ ଆଜି ଦିଲ୍ଲୀ-ଏନସିଆରରେ ବୁଲା କୁକୁର ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ। ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହେଟ୍ଟା ଏବଂ ବିଚାରପତି ଏନ.ଭି. ଅଞ୍ଜାରିଆଙ୍କ ତିନି ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ବିରୋଧ କରୁଥିବା ଲୋକଙ୍କ ପକ୍ଷରୁ ହାଜର ହୋଇଥିବ‌ା କପିଲ ସିବଲ ଏବଂ ସରକାରଙ୍କ ପକ୍ଷରୁ ହାଜର ହୋଇଥିବ‌ା ସଲିସିଟର ଜେନେରାଲ ଏସଜି ତୁଷାର ମେହେଟ୍ଟାଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠକୁ କହିଥିଲେ ଯେ, "ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କ ଯୋଗୁଁ ପିଲାମାନେ ମୃତ୍ୟୁବରଣ କରୁଛନ୍ତି। ଏହି ପ୍ରସଙ୍ଗର ସମାଧାନ ହେବା ଆବଶ୍ୟକ, ବିବାଦ ନୁହେଁ। କେହି ପ୍ରାଣୀମାନଙ୍କୁ ଘୃଣା କରନ୍ତି ନାହିଁ। କୁକୁରଙ୍କ ବନ୍ଧ୍ୟାକରଣ ଦ୍ୱାରା ରେବିଜ୍ ବନ୍ଦ ହେବ ନାହିଁ।


ବୁଲା କୁକୁରମାନେ ଛୋଟ ପିଲାମାନଙ୍କୁ ଶିକାର କରୁଛନ୍ତି। ପିଲାମାନେ ମରୁଛନ୍ତି, ଯାହାର ଅନେକ ଖବର ଆମ ପାଖରେ ଅଛି। ଚିକେନ୍ ଏବଂ ମଟନ୍ ଖାଉଥିବା ଲୋକମାନେ ଏବେ ପ୍ରାଣୀପ୍ରେମୀ ହୋଇଯାଇଛନ୍ତି। ଖୁବ୍ କମ ଜନସଂଖ୍ୟା ବୁଲା କୁକୁରଙ୍କ ସପକ୍ଷରେ ଅଛନ୍ତି। ଅନ୍ୟପକ୍ଷରେ ପୀଡିତ ସର୍ବାଧିକ ଜନସଂଖ୍ୟା ଚୁପ୍ ରହି ଦୁଃଖ ସହୁଛନ୍ତି। ଏଥିରେ ପିଲାମାନେ ମଧ୍ୟ ଅନ୍ତର୍ଭୁକ୍ତ।" ନିଜର ପକ୍ଷ ରଖି କପିଲ ସିବଲ କହିଥିଲେ ଯେ, "କୁକୁରମାନଙ୍କୁ ରଖିବା ପାଇଁ କୌଣସି ଆଶ୍ରୟସ୍ଥଳ ନାହିଁ। ଏତେ ସଂଖ୍ୟକ ବୁଲା କୁକୁରମାନଙ୍କୁ କେଉଁଠି ରଖାଯିବ। କୋର୍ଟଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ବନ୍ଧ୍ୟାକରଣ ପରେ କୁକୁରମାନଙ୍କୁ ମୁକ୍ତ କରାଯିବ ନାହିଁ। ତେବେ ସେମାନେ କୁଆଡ଼େ ଯିବେ? ଏହା ନିୟମ ବିରୁଦ୍ଧ। ଏହାକୁ ସ୍ଥଗିତ କରାଯିବା ଉଚିତ। ଯେତେବେଳେ ବହୁ ସଂଖ୍ୟକ କୁକୁରଙ୍କୁ ଏକ ଆଶ୍ରୟସ୍ଥଳରେ ଏକାଠି ରଖାଯିବ, ସେମାନେ ପରସ୍ପର ଉପରେ ଆକ୍ରମଣ କରିବେ। ଏହା ମଣିଷମାନଙ୍କୁ ମଧ୍ୟ ପ୍ରଭାବିତ କରିବ। ଏଭଳି କହି ସେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ସ୍ଥଗିତ ରଖିବାକୁ ଦାବି କରିବା ସହ ଲକ୍ଷ ଲକ୍ଷ ବୁଲା କୁକୁରଙ୍କ କଲ୍ୟାଣ ଏବଂ ପ୍ରାଣୀ ସୁରକ୍ଷା ଆଇନ ଉପରେ ଚିନ୍ତା ପ୍ରକାଶ କରିଥିଲେ।" ଦୁଇ ପକ୍ଷ ଶୁଣିବା ପରେ ଖଣ୍ଡପୀଠ କହିଛନ୍ତି ଯେ, "ଆମେ ଦେଖିବୁ ରାୟର କେଉଁ ଅଂଶରେ ସମସ୍ୟା ରହିଛି ଏବଂ ସେଗୁଡ଼ିକୁ ସ୍ଥଗିତ ରଖିବା ଉଚିତ କି ନାହିଁ। ସମାଧାନ ଖୋଜିବା ଗୁରୁତ୍ୱପୂର୍ଣ୍ଣ। ବିବାଦକୁ ବଢ଼ାଇବା ଉଚିତ୍ ନୁହେଁ ବରଂ ସମାଧାନ ଖୋଜାଯିବା ଉଚିତ।" ଏହା କହି କୋର୍ଟ ବର୍ତ୍ତମାନ ପାଇଁ ତାଙ୍କର ରାୟ ସଂରକ୍ଷିତ ରଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
people-who-used-to-eat-chicken-and-mutton-have-now-become-animal-lovers-tushar-mehta-said-during-the-hearing | Argus News