Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

The Bengal Files / ରିଲିଜ୍ ପାଇଁ ମମତାଙ୍କୁ 'ହାତ ଯୋଡ଼ି' ନେହୁରା ହେଲେ ବିବେକ ଅଗ୍ନିହୋତ୍ରୀ

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
ରିଲିଜ୍ ପାଇଁ ମମତାଙ୍କୁ 'ହାତ ଯୋଡ଼ି' ନେହୁରା ହେଲେ ବିବେକ ଅଗ୍ନିହୋତ୍ରୀ

Key Points

ଅଗ୍ନିହୋତ୍ରୀ ମମତାଙ୍କୁ ମନେ ପକାଇ ଦେଇଛନ୍ତି ଯେ, ପଶ୍ଚିମବଙ୍ଗ ସାଂସ୍କୃତିକ କ୍ଷେତ୍ରରେ ଦେଶକୁ ନେତୃତ୍ୱ ଦେଇଛି ଏବଂ ଏହା ଭାରତର ଆତ୍ମା।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଲିଉଡ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଗୁହାରୀ । 'ପଶ୍ଚିମବଙ୍ଗରେ ମୋ ଫିଲ୍ମ 'ବେଙ୍ଗଲ ଫାଇଲ୍ସ'କୁ ରିଲିଜ୍‌ କରିବାକୁ ଦିଅନ୍ତୁ । ଲୋକ ଲଗାଇ ଅଟକାନ୍ତୁ ନାହିଁ । ଦୟାକରି କୌଣସି ବାଧା ସୃଷ୍ଟି କରନ୍ତୁ ନାହିଁ'

ବିବେକ ଅଗ୍ନିହୋତ୍ରୀ ଅଭିଯୋଗ କରିଛନ୍ତି ଯେ ତୃଣମୂଳ କଂଗ୍ରେସ କର୍ମୀମାନେ ଥିଏଟର ମାଲିକମାନଙ୍କୁ ଏହି ଫିଲ୍ମ ପ୍ରଦର୍ଶନ ନକରିବାକୁ ଧମକ ଦେଉଛନ୍ତି। 'ଦି ତାସକେଣ୍ଟ ଫାଇଲ୍ସ' (2019) ଏବଂ 'ଦି କାଶ୍ମୀର ଫାଇଲ୍ସ' (2022) ପରେ ଏହି ଫିଲ୍ମ ଅଗ୍ନିହୋତ୍ରୀଙ୍କ 'ଦି ଫାଇଲ୍ସ' ସିରିଜର ତୃତୀୟ ଏବଂ ଶେଷ ଫିଲ୍ମ। ଏହି ଫିଲ୍ମରେ ଅଗଷ୍ଟ 1946 ମସିହାରେ କୋଲକାତାରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାକୁ ଦର୍ଶାଯାଇଛି, ଯାହା 'ଡାଇରେକ୍ଟ ଆକ୍ସନ ଡେ' ଭାବରେ ଜଣାଶୁଣା।

ମମତା ବାନାର୍ଜୀଙ୍କୁ ହାତ ଯୋଡ଼ି ଅଗ୍ନିହୋତ୍ରୀ ଅନୁରୋଧ କରିଛନ୍ତି ଯେ, 'ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ଦମନ କରନ୍ତୁ ନାହିଁ। ଥିଏଟର ମାଲିକମାନେ କହୁଛନ୍ତି, ସେମାନଙ୍କୁ ଚଳଚ୍ଚିତ୍ର ପ୍ରଦର୍ଶନ ନକରିବାକୁ ଧମକ ଦିଆଯାଉଛି ।' ତେଣୁ ଅଗ୍ନିହୋତ୍ରୀ ବାନାର୍ଜୀଙ୍କୁ ତାଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ମଧ୍ୟ ମନେ ପକାଇଛନ୍ତି ।

ସେ ଆହୁରି କହିଛନ୍ତି, 'ପ୍ରତ୍ୟେକ ନାଗରିକଙ୍କ ଅଧିକାର ଓ ଅଭିବ୍ୟକ୍ତି ସ୍ୱାଧୀନତାର ଅଧିକାରକୁ ସୁରକ୍ଷା ଦେବା ପାଇଁ ଆପଣ ଭାରତୀୟ ସମ୍ବିଧାନରେ ଶପଥ ନେଇଛନ୍ତି ଏବଂ ଏହା ନିଶ୍ଚିତ କରିବା ଆପଣଙ୍କର ଦାୟିତ୍ୱ ଯେ ଏହି ଚଳଚ୍ଚିତ୍ର ରିଲିଜ୍‌ରେ ଯେପରି କୌଣସି ପ୍ରକାରର ବାଧା ନଉପୁଜେ । ଦୟାକରି ବିଚାର କରନ୍ତୁ ଯେ କେନ୍ଦ୍ରୀୟ ଚଳଚ୍ଚିତ୍ର ବୋର୍ଡ (CBFC) ଏହି ଚଳଚ୍ଚିତ୍ରକୁ ଅନୁମୋଦନ କରିସାରିଛି।'

ଅଗ୍ନିହୋତ୍ରୀ ମମତାଙ୍କୁ ମନେ ପକାଇ ଦେଇଛନ୍ତି ଯେ, ପଶ୍ଚିମବଙ୍ଗ ସାଂସ୍କୃତିକ କ୍ଷେତ୍ରରେ ଦେଶକୁ ନେତୃତ୍ୱ ଦେଇଛି ଏବଂ ଏହା ଭାରତର ଆତ୍ମା।

ପଶ୍ଚିମବଙ୍ଗ ଏବଂ ଏହାର ଲୋକମାନେ ୧୯୦୫ ଏବଂ ୧୯୪୭ ମସିହାରେ ସର୍ବଶ୍ରେଷ୍ଠ ବଳିଦାନ ଦେଇଥିଲେ। ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ୱାରା ଦଙ୍ଗା ଏବଂ ହିଂସାର କ୍ଷତକୁ ପୁଣି ଉଖାରିବା ଉଚିତ୍ ନୁହେଁ ବୋଲି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ଅଗ୍ନିହୋତ୍ରୀ ପଚାରିଛନ୍ତି, "ଯଦି ଜଣେ ଜାପାନୀ ପିଲା ହିରୋସିମା ଏବଂ ନାଗାସାକି ନରସଂହାର ବିଷୟରେ ଜାଣିବା ଉଚିତ, ତେବେ ନୂତନ ପିଢ଼ିକୁ ପଶ୍ଚିମବଙ୍ଗ ଏବଂ ଦେଶର ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବିଷୟରେ କାହିଁକି ସଚେତନ କରାଯିବ ନାହିଁ ? ଜଣେ ପ୍ରକୃତ ବଙ୍ଗାଳୀ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବ ନାହିଁ । ଏହି ଚଳଚ୍ଚିତ୍ରକୁ ପଶ୍ଚିମବଙ୍ଗରେ ନିଷେଧ କରାଯାଇପାରିବ ନାହିଁ।"

ଅଗ୍ନିହୋତ୍ରୀ ପଚାରିଛନ୍ତି ଯେ, 'ଯଦି ଚଳଚ୍ଚିତ୍ରରେ ମୁସଲିମ, ଖ୍ରୀଷ୍ଟିଆନ ଏବଂ ଦଳିତଙ୍କ ଉପରେ ହୋଉଥିବା ଅତ୍ୟାଚାରକୁ ଦେଖାଯାଇପାରିବ, ତେବେ ହିନ୍ଦୁ ନରସଂହାର ଉପରେ କାହିଁକି ଫିଲ୍ମ କରି ଦେଖାଯାଇପାରିବ ନାହିଁ । କାହିଁକି ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଚାପି ଦିଆଯାଉଛି ? କାହିଁକି ଆମେ ମିଛର ପର୍ଦ୍ଦାଫାସ କରିବା ନାହିଁ ?'

ତେବେ ସବୁଠାରୁ ବଡ଼ କଥା ହେଲା, ପଶ୍ଚିମବଙ୍ଗରେ ଫିଲ୍ମ ହଲ୍‌ ମାଲିକମାନେ 'ଦ ବେଙ୍ଗଲ ଫାଇଲ୍ସ'ର ଟ୍ରେଲର ଲଞ୍ଚ କରିବାକୁ ଭୟ କରିବାରୁ, ଅଗଷ୍ଟ ୧୭ରେ କୋଲକାତାର ଏକ ପଞ୍ଚତାରକା ହୋଟେଲରେ ଟ୍ରେଲର ଲଞ୍ଚ କରିବାକୁ ଚେଷ୍ଟା କରିଥିଲେ ନିର୍ମାତା ବିବେକ ଅଗ୍ନିହୋତ୍ରୀ । ହେଲେ ତାକୁ ମଧ୍ୟ ବିଭିନ୍ନ କାରଣ ଦେଖାଇ ବନ୍ଦ କରିଦିଆଗଲା । ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ସେ ଅଭିବ୍ୟକ୍ତି ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କହିଛନ୍ତି । ତେବେ ଶୁକ୍ରବାର ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରରେ ମିଥୁନ ଚକ୍ରବର୍ତ୍ତୀ, ଅନୁପମ ଖେର, ପଲ୍ଲବୀ ଯୋଶୀ, ଶାଶ୍ୱତ ଚାଟାର୍ଜୀ ଏବଂ ଦର୍ଶନ କୁମାର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
The Bengal Files | "Please Don't Ban The Bengal Files": Vivek Agnihotri Appeals To Mamata Banerjee "With Folded Hands" | Argus News