ଅପରେସନ୍ ସିନ୍ଦୂର ଓ ମହାଦେବର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ସମ୍ମାନିତ

Key Points
ଅପରେସନ୍ ସିନ୍ଦୂର ଓ ମହାଦେବର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ସମ୍ମାନିତ
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମୋଦିଙ୍କୁ ମାଳ ପିନ୍ଧାଇ ସ୍ବାଗତ କରିଥିଲେ
ନୂଆଦିଲ୍ଲୀ ସଂସଦ ଭବନ ଅଡିଟୋରିୟମରେ NDA ସଂସଦୀୟ ଦଳ ବୈଠକ । ବୈଠକରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ବୈଠକରେ ପହଞ୍ଚିବାବେଳେ ଏନଡିଏ ସାଂସଦମାନେ ହର ହର ମହାଦେବ ଓ ଭାରତ ମାତା କୀ ଜୟ ଧ୍ବନିର ସହ ତାଙ୍କୁ ସ୍ବାଗତ କରିଥିଲେ । ଅପରେସନ ସିନ୍ଦୂରର ସଫଳତା ପାଇଁ ପିଏମ୍ ମୋଦିଙ୍କୁ ଏନଡିଏ ସାଂସଦମାନେ ସମ୍ମାନିତ କରିଥିଲେ । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମୋଦିଙ୍କୁ ମାଳ ପିନ୍ଧାଇ ସ୍ବାଗତ କରିଥିଲେ । ଏନଡିଏର ମହିଳା ସାଂସଦମାନେ ଏହି ବୈଠକର ଆଗଧାଡ଼ିରେ ବସିଥିଲେ । ମୋଦି କହିଛନ୍ତି ବିରୋଧୀ ନିଜ ଗୋଡ଼ରେ ନିଜେ କୁରାଢି ମାରିଛନ୍ତି। ଏଭଳି ବିରୋଧୀ କେଉଁଠି ମିଳିବେ ବୋଲି ବ୍ୟଙ୍ଗ କଲେ ମୋଦି। ଅଗଷ୍ଟ ୫ରେ ଆମେ ୩୭୦ ଧାରା ଉଠାଇଥିଲୁ, ଅଗଷ୍ଟ ୫ରେ ଆମେ ରାମ ମନ୍ଦିର ନିର୍ମାଣ କରିଥିଲୁ ଏବେ ନକ୍ସଲବାଦୀଙ୍କୁ ସଫା କରିବୁ କହିଲେ ପ୍ରଧାନମନ୍ତ୍ରୀ ମୋଦି।
ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡ଼ିତଙ୍କ ପରିଜନଙ୍କ ପ୍ରତି ସମବେଦନା ବ୍ୟକ୍ତ କରାଯାଇଥିଲା । ନୂଆ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ପରିଚୟ କରାଯାଇଥିଲା । ବୈଠକରେ ଅପରେସନ ସିନ୍ଦୂର ଓ ଅପରେସନ ମହାଦେବ ଉପରେ ପ୍ରସ୍ତାବ ପାରିତ ହୋଇଛି । ଏନଡିଏର ଏହି ବୈଠକ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ କାରଣ ଭାରତର ଉପରାଷ୍ଟ୍ରପତି ପଦ ପାଇଁ ଆସନ୍ତା 7 ତାରିଖରୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ବିଜେପି ନେତୃତ୍ବାଧୀନ ମେଣ୍ଟ ୨୧ ଅଗଷ୍ଟ ସୁଦ୍ଧା ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ । ୨୧ ଅଗଷ୍ଟ ନାମାଙ୍କନ ଦାଖଲର ଶେଷ ଦିନ । ସେହି ଦିନ ସଂସଦର ମୌସୁମୀ ଅଧିବେଶନ ମଧ୍ୟ ସରିବ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ବାରମ୍ବାର ହଟ୍ଟଗୋଳ ଯୋଗୁଁ ଏବେ ସଂସଦରେ ଅଚଳାବସ୍ଥା ଜାରି ରହିଥିବାରୁ ମଧ୍ୟ ଏନଡିଏର ଏହି ବୈଠକ ଗୁରୁତ୍ବପୂର୍ଣ୍ଣ। ସଂସଦରେ ହଙ୍ଗାମା କରିଥିବା ବିରୋଧୀଙ୍କ ମୁକାବିଲା ଲାଗି ବୈଠକରେ ପ୍ରସ୍ତୁତ ହୋଇପାରେ ରଣନୀତି।