ବିମଷ୍ଟେକ୍ ସମ୍ମିଳନୀ ପାଇଁ ଥାଇଲାଣ୍ଡରେ ପ୍ରଧାନମନ୍ତ୍ରୀ ମୋଦି

ବିମଷ୍ଟେକ୍ ସମ୍ମିଳନୀରେ ଯୋଗ ଦେବାକୁ ଥାଇଲାଣ୍ଡରେ ପହଂଚିଛନ୍ତି ପିଏମ୍ ମୋଦି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବ୍ୟାଙ୍କକରେ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ସହ ପ୍ରତିନିଧି-ସ୍ତରୀୟ ଆଲୋଚନା କରିଛନ୍ତି । ଦୁଇ ଦେଶ ମଧ୍ୟରେ MOU ସ୍ବାକ୍ଷର କରାଯାଇଛି । ଭାରତର ଆକ୍ଟ ଇଷ୍ଟ ଏବଂ ଥାଇଲ୍ୟାଣ୍ଡର ଆକ୍ଟ ୱେଷ୍ଟ ନୀତି ପରସ୍ପରର ପରିପୂରକ ଏବଂ ଦ୍ୱିପାକ୍ଷିକ ସହଯୋଗ ପାଇଁ ଅନେକ ସମ୍ଭାବନାକୁ ଉନ୍ମୁକ୍ତ କରିପାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଆସିଆନ ଅଂଚଳ ଭାରତର ବ୍ୟାପକ ରଣନୈତିକ ଅଂଶୀଦାର। ଏହି ଦୃଷ୍ଟିରୁ, ସାମୁଦ୍ରିକ ପଡ଼ୋଶୀ ଦେଶ ଭାବରେ, ପାରସ୍ପରିକ ସ୍ୱାର୍ଥ ଆଞ୍ଚଳିକ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିରେ ରହିଛି। ଭାରତ ଆସିଆନ ଏକତା ଏବଂ ଆସିଆନ କେନ୍ଦ୍ରୀୟତାକୁ ସମର୍ଥନ କରେ। ଉଭୟ ରାଷ୍ଟ୍ର ଏକ ମୁକ୍ତ, ଏବଂ ନିୟମ-ଭିତ୍ତିକ ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ବ୍ୟବସ୍ଥାକୁ ସମର୍ଥନ କରନ୍ତି।
ଆମେ ବିସ୍ତାରବାଦ ନୁହେଁ, ବିକାଶବାଦ ନୀତିରେ ବିଶ୍ୱାସ କରୁ। ଭାରତ-ପ୍ରଶାନ୍ତ ମହାସାଗର ପଦକ୍ଷେପର ସାମୁଦ୍ରିକ ପରିବେଶ ସ୍ତମ୍ଭର ନେତୃତ୍ୱ ନେବା ପାଇଁ ଥାଇଲ୍ୟାଣ୍ଡର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁ ବୋଲି ଏହି ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଥାଇଲାଣ୍ଡରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରେ ଥାଇ କଳାକାରଙ୍କ ଦ୍ବାରା ମଞ୍ଚସ୍ଥ ରାମାୟଣ ଦେଖି ଅଭିଭୂତ ହେଲେ ପ୍ରଧାନମନ୍ତ୍ରୀ । ଭାରତୀୟ କଳା ଓ ସଂସ୍କୃତିର ଝଲକ ଦେଖିଥିଲେ ପିଏମ୍ ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସିନାୱାତ୍ରା ତ୍ରିପିଟକ ଉପହାର ମଧ୍ୟ ଦେଇଥିଲେ ।

