ଭାରତ-ମାଳଦ୍ବୀପ କୁଟନୈତିକ ସମ୍ପର୍କକୁ ୬୦ ବର୍ଷ ପୂର୍ତ୍ତି

Key Points
ଭାରତ-ମାଳଦ୍ବୀପ କୁଟନୈତିକ ସମ୍ପର୍କକୁ ୬୦ ବର୍ଷ ପୂର୍ତ୍ତି
ମାଳଦ୍ବୀପ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ପ୍ରଧାନମନ୍ତ୍ରୀ ମୋଦି
ପଡୋଶୀ-ପ୍ରଥମ ନୀତିକୁ ଉଭୟ ରାଷ୍ଟ୍ରର ସ୍ବୀକୃତି
ଭାରତ ପ୍ରଶଂସାରେ ଶତମୁଖ ମାଳଦ୍ବୀପ ରାଷ୍ଟ୍ରପତି
ପିଏମ ମୋଦିଙ୍କୁ ଅତିଥି ଭାବେ ପାଇ ଗର୍ବିତ ବୋଲି କହିଲେ ମାଳଦ୍ବୀପର ମନ୍ତ୍ରୀ
ମାଳଦ୍ବୀପ ରାଜଧାନୀ ମାଲେରେ ଭବ୍ୟ ସମାରୋହ । ପଡୋଶୀ ରାଷ୍ଟ୍ରର ୬୦ ତମ ସ୍ବାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ସାଜି ଭାରତ-ମାଳଦ୍ବୀପ ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନର ସାକ୍ଷୀ ବନିଛନ୍ତି ପିଏମ ମୋଦି । ପଡୋଶୀ ରାଷ୍ଟ୍ରରେ ଫରଫର୍ ହୋଇ ଲହରିଛି ତ୍ରିରଙ୍ଗା । ମାତ୍ର ଗୋଟିଏ ବର୍ଷ ପୂର୍ବରୁ ଭାରତ-ମାଳଦ୍ବୀପ ତିକ୍ତ ସମ୍ପର୍କକୁ ନେଇ ଖୁସି ହେଉଥିବା ଶତ୍ରୁଙ୍କ ମୁହଁ ଶୁଖିଯାଇଛି । ଗୋଟିଏ ମଞ୍ଚରେ ମୋଦି-ମୁଇଜୁଙ୍କୁ ଦେଖି ଇର୍ଷାରେ ଜଳୁଛନ୍ତି ଆଉ କିଛି ପଡୋଶୀ । ମାଳଦ୍ବୀପର ୬୦ ତମ ସ୍ବାଧୀନତା ଦିବସ ସହ ଭାରତ ଓ ଦ୍ବୀପ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ପୂରଣ ହୋଇଛି ୬୦ ବର୍ଷ । ସ୍ବାଧୀନତା ଦିବସ ଅବସରରେ ମାଳଦ୍ବୀପ ସରକାର ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ପିଏମ ମୋଦିଙ୍କୁ ଅତିଥି ଭାବେ ପାଇ ଆମେ ଗର୍ବିତ ବୋଲି କହିଛନ୍ତି ମାଳଦ୍ବୀପ ପରିବେଶ ଓ ପର୍ଯ୍ୟଟନ ମନ୍ତ୍ରୀ ।
ଭବ୍ୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ପୂର୍ବରୁ ଆଜି ମାଳଦ୍ବୀପର ଉପରାଷ୍ଟ୍ରପତି ଉଜ ହୁସେନ ମହମ୍ମଦ ଲାଥିଫ, ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସିଦ ଓ ବାଚସ୍ପତି ଅବଦୁଲ ରହୀମ ଅବଦୁଲ୍ଲାଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତ ମାଳଦ୍ୱୀପର ସବୁଠାରୁ ନିକଟତମ ପଡ଼ୋଶୀ ହୋଇଥିବାରୁ ପଡ଼ୋଶୀ ପ୍ରଥମ ନୀତିରେ ଉଭୟ ରାଷ୍ଟ୍ର ପରସ୍ପର ପାଇଁ ଗୁରୁତ୍ୱପୂର୍ଣ୍ଣ । ବିପର୍ଯ୍ୟୟ ହେଉ କିମ୍ବା ମହାମାରୀ, ଭାରତ ସର୍ବଦା ପ୍ରଥମ ପ୍ରତିକ୍ରିୟାକାରୀ ଭାବରେ ଠିଆ ହୋଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ହେଉ କିମ୍ବା କୋଭିଡ୍ ପରେ ଅର୍ଥନୀତି ପରିଚାଳନା କରିବା ହେଉ, ଭାରତ ସର୍ବଦା ମାଳଦ୍ବୀପକୁ ସହାୟତା ଯୋଗାଇ ଦେଇ ଆସିଛି ବୋଲି ବୋଲି କହିଛନ୍ତି ମାଳଦ୍ବୀପର ଉପରାଷ୍ଟ୍ରପତି । ଭାରତ ମହାସାଗର କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଉପରେ ଗୁରୁତ୍ବ ଦେଇଛନ୍ତି ଉଭୟ ରାଷ୍ଟ୍ର ।
📱 Get Argus News App
✨ମାଳଦ୍ବୀପ ଗସ୍ତର ଶେଷ ପର୍ଯ୍ୟାୟରେ ପିଏମ ମୋଦି ମାଲେରେ ପ୍ରବାସୀ ଭାରତୀୟଙ୍କୁ ଭେଟି ଆଲୋଚନା କରିଛନ୍ତି । ବିଦେଶରେ ରହି ପ୍ରବାସୀ ଭାରତୀୟ ସମ୍ପର୍କର ସେତୁ ସାଜିବା ସହ ରାଷ୍ଟ୍ର ବିକାଶରେ ଯୋଗଦାନକୁ ପ୍ରଶଂସା କରିଛନ୍ତି ମୋଦି । ମାଳଦ୍ବୀପ ଗସ୍ତର ପ୍ରଥମ ଦିନରେ ଶୁକ୍ରବାର ଉଭୟ ରାଷ୍ଟ୍ର ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହେବା ସହ ୪ ଗୁରୁ୍ତ୍ବପୂର୍ଣ୍ଣ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଓ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମିଳିତ ଭାବରେ ମାଲେରେ ମାଳଦ୍ୱୀପ ପ୍ରତିରକ୍ଷା ମନ୍ତ୍ରଣାଳୟର ଅତ୍ୟାଧୁନିକ ବିଲ୍ଡିଂ ଉଦଘାଟନ କରିଥିଲେ। ମାଳଦ୍ୱୀପ ପ୍ରତିରକ୍ଷା ବାହିନୀର ବ୍ୟବହାର ପାଇଁ ୭୨ ଟି ଯୁଦ୍ଧ ଯାନ ହସ୍ତାନ୍ତର କରି ପଡୋଶୀ -ପ୍ରଥମ ନୀତିର ପ୍ରମାଣ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।