ହିଂସା ଭିତରେ ଶପଥ ନେଲା ନୂଆ ସରକାର : ଶୁଭେଚ୍ଛା ଜଣାଇଲେ ମୋଦି

Key Points
- ହିଂସା ଭିତରେ ଶପଥ ନେଲା ନୂଆ ସରକାର
- ମୋଦି ଜଣାଇଲେ ଶୁଭେଚ୍ଛା
- ୟୁନୁସଙ୍କ ସହ ୭ ନେତା ନେଲେ ଶପଥ
ଅର୍ଗସ ବ୍ୟୁରୋ : ବାଂଲାଦେଶକୁ ନେଇ ପୁରା ବିଶ୍ଵରେ ଚର୍ଚ୍ଚା ଜୋର ଧରିଛି । କାରଣ ହିଂସା ଏତେ ଉଗ୍ର ରୂପ ନେଲା ଯେ ବାଧ୍ୟ ହୋଇ ଶେଖ ହସିନା ବାଂଲାଦେଶ ଛାଡି ଭାରତ ପଳାଇ ଆସିଲେ । କାରଣ ସେନା ନୋଟିସ୍ ଦେଇଥିଲା ୪୫ ମିନିଟ୍ର । ସେଇଥି ଲାଗି ତ ହସିନା ଛାଡିଥିଲେ ଢାକା । ସଂରକ୍ଷଣ ବିରୋଧୀ ହିଂସା ଏତେ ଉଗ୍ର ରୂପ ନେଲା ଯେ ପୁରା ବାଂଲା ଜଳିଲା । ଅବଶ୍ୟ ଏହା ପଛରେ ପାକିସ୍ତାନର ହାତ ରହିଥିବା କୁହାଯାଉଛି କିନ୍ତୁ ସ୍ପଷ୍ଟ ହୋଇନି । ସେପଟେ ଗତକାଲି ନୂଆ ସରକାର ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ହିଂସାଗ୍ରସ୍ତ ବାଂଲାଦେଶରେ ଗତକାଲି ନୂଆ ସରକାର ଗଠନ ହୋଇଛି । ନୋବେଲ ବିଜେତା ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ନୂଆ ମୁଖ୍ୟର ଦାୟିତ୍ଵ ନେଇଛନ୍ତି । ବଙ୍ଗଭବନରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମହମ୍ମଦ ସାହାବୁଦ୍ଦିନ ତାଙ୍କୁ ଶପଥ ପାଠ କରାଇଛନ୍ତି । ଖାଲି ୟୁନୁସ ନୁହନ୍ତି ବରଂ ତାଙ୍କ ସହ ଅନ୍ୟ ୭ ନେତା ବି ଶପଥ ଗ୍ରହଣ କରିଛନ୍ତି । ବାଂଲାଦେଶ ଜାତୀୟ ସଂଗୀତ ସହ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁନୁସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ବାଂଲାଦେଶରେ ଶାନ୍ତି ଓ ପ୍ରଗତି ପାଇଁ ମିଳିତ ଭାବେ କାମ କରିବାକୁ ଆଶ୍ବସ୍ତ କରିଛନ୍ତି ।
ଅଶାନ୍ତି ଭିତରେ ସାମାନ୍ୟ ଶାନ୍ତି ଫେରିଛି ବାଂଲାଦେଶକୁ । କାରଣ ୟୁନୁସ ଗତକାଲି ପ୍ୟାରିସରୁ ଫେରିବା ପରେ ପ୍ରଥମେ ବିମାନବନ୍ଦରରେ ଉଦ୍ବୋଧନ ଦେଇ ନାଗରିକଙ୍କ ସୁରକ୍ଷା ଅନ୍ତରୀଣ ସରକାରର ସବୁଠାରୁ ବଡ଼ ପ୍ରାଥମିକତା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦେଶରେ କାହା ଉପରେ ଆକ୍ରମଣ ହେବନାହିଁ ଏବଂ ଆଇନର ଶାସନ ଫେରିବ ବୋଲି ସ୍ପଷ୍ଟ କରିଛନ୍ତି । ସେପଟେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଟିମ୍ ସଦସ୍ୟ ତଥା ଘନିଷ୍ଠ ସହଯୋଗୀ, ଯେଉଁମାନେ ତାଙ୍କ ସହ ବାଂଲାଦେଶ ଛାଡ଼ି ଭାରତ ପହଞ୍ଚିଥିଲେ ସେମାନେ ଏବେ ଭାରତ ବି ଛାଡ଼ିଦେଇଛନ୍ତି । ତେବେ ସେମାନେ ଭାରତ ଛାଡ଼ିବା ପରେ କେଉଁ ସ୍ଥାନକୁ ଯାଇଛନ୍ତି ସେନେଇ ସ୍ପଷ୍ଟ କରାଯାଇନାହିଁ ।
📱 Get Argus News App
✨ସେପଟେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଆସିବାର ପ୍ରାୟ ୩ ଦିନ ବିତିଯାଇଥିଲେ ସୁଦ୍ଧା ଏଯାଏଁ ନିଜ ପାଇଁ ସୁରକ୍ଷିତ ଆଶ୍ରୟ ଖୋଜି ପାରିନାହାନ୍ତି । ଏହି କାରଣରୁ ସେ କେତେଦିନ ଭାରତରେ ରହିବେ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ସେ ବ୍ରିଟେନ ଯିବାକୁ ପ୍ରସ୍ତୁତ ହେଉଥିବା ଖବର ଆସିଥିଲେ ମଧ୍ୟ ସେଠାକୁ ଯିବା ପାଇଁ ତାଙ୍କୁ ମନା କରି ଦିଆଯାଇଛି । ବ୍ରିଟେନ୍ ଏକ କୂଟନୈତିକ ବିବୃତ୍ତି ଦେଇ କହିଛି, ଆଶ୍ରୟ ସଂକ୍ରାନ୍ତ ଅନ୍ତର୍ଜାତୀୟ ଆଇନରେ କୁହାଯାଇଛି ଯେ ଯେଉଁଠାରେ ଜଣେ ବ୍ୟକ୍ତି ପ୍ରଥମେ ସୁରକ୍ଷିତ ଭାବେ ପହଞ୍ଚିବେ, ସେହି ରାଷ୍ଟ୍ର ତାଙ୍କୁ ଆଶ୍ରୟ ଦେବାର ଅଧିକାର ରହିଛି । ଏହାସହ ରାଜନୈତିକ ବ୍ୟକ୍ତିତ୍ୱଙ୍କୁ ଆଶ୍ରୟ ଦେବାର କୌଣସି ବିଶେଷ ପ୍ରାବଧାନ ରହିଥିବାକୁ ଅସ୍ୱୀକାର କରିଛି । ତେଣୁ ହସିନାଙ୍କ ଗସ୍ତକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।