Bihar Politics / 'RJD ଶାସନରେ ହତ୍ୟା, ଅପହରଣର ଶିକାର ହେଉଥିଲେ ଗରିବ'

Key Points
ଗୋଟିଏ ପଟେ NDAର ଦୃଢ଼ ନେତୃତ୍ୱ, ଅନ୍ୟପଟେ ମହାଲଟବନ୍ଧନ ।
ପୁରା ବିହାର ଚାହୁଁଛି ଆଉ ଥରେ NDA ସରକାର । ଶୁକ୍ରବାର ବିହାର ସମସ୍ତିପୁର ଓ ବେଗୁସରାଇରେ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇ ଜନତାଙ୍କୁ ଉଦବୋଧନରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ସିଓ୍ବାନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ନୀତିଶ ଓ ମୋଦିଙ୍କ ଶାସନକାଳରେ ୧୦୦ ଶାହାବୁଦ୍ଦିନ ଆସିଲେ ମଧ୍ୟ କିଛି କ୍ଷତି କରିପାରିବେନି ।
ବିହାର ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏର ପ୍ରଚାରକୁ ଜୋରଦାର କରିଛନ୍ତି । ସମସ୍ତିପୁର ଓ ବେଗୁସରାଇରେ ମୋଦି ଉଦବୋଧନ ଦେଇଛନ୍ତି । ଗଣତନ୍ତ୍ର ଭଳି ମହାନ ଉତ୍ସବର ବିଗୁଲ ବାଜିସାରିଛି ବୋଲି କହିଛନ୍ତି । ବିହାର କହୁଛି, ଫିର ଏକ ବାର ଏନଡିଏ ସରକାର । ଏହି ଅବସରରେ ଭାରତରତ୍ନ ଜନନାୟକ କରପୁରୀ ଠାକୁର ଜିଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ତାଙ୍କ ଆଶୀର୍ବାଦରୁ ଆମେ ଏବେ ଏହି ମଞ୍ଚରେ ଛିଡ଼ା ହେବା ସମ୍ଭବ ହୋଇଛି । କରପୁରୀ ଠାକୁର ଜିଙ୍କ ଅପମାନକୁ ବିହାର ଲୋକେ ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି ମୋଦି ।
ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଓ ଆରଜେଡିକୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଆରଜେଡି ଓ କଂଗ୍ରେସ କେବଳ ନିଜ ପରିବାରର ରାଜନୈତିକ ଭବିଷ୍ୟତ କଥା ଚିନ୍ତା କରୁଥିଲେ । କିନ୍ତୁ ବିହାର ବାସୀଙ୍କ ସ୍ବପ୍ନ ମୋର ସ୍ବପ୍ନ ବୋଲି କହିଛନ୍ତି ମୋଦି । ଏହି ମାଟି ହେଉଛି ଆର୍ଯ୍ୟଭଟ୍ଟଙ୍କର । ବିହାରବାସୀ ପ୍ରତ୍ୟେକ ହିସାବକୁ ବୁଝନ୍ତି ।
ଅପହରଣ, ହତ୍ୟା ଏତେ ପରିମାଣରେ ବ୍ୟାପିଥିଲା ଯେ ଗରିବ, ଦଳିତ ଘରର ଲୋକେ ଏହାର ଶିକାର ହେଉଥିଲେ । ଏନଡିଏ ସରକାର ଆସିବା ପରେ ଏଥିରୁ ମୁକ୍ତି ମିଳିଛି । ନକ୍ସଲ ଆତଙ୍କୀଙ୍କ ଅଣ୍ଟା ଭାଙ୍ଗିଛି । ଏବେ ସମୟ ଆସିଛି ବିହାରବାସୀ ସତର୍କ ରୁହନ୍ତୁ ଯେପରି ଜଙ୍ଗଲରାଜ ସବୁଦିନ ପାଇଁ ସିଲ ହୋଇଯିବ ।
ବେଗୁସରାଇରେ ମୋଦି ସମସ୍ତ ଜନତାଙ୍କୁ ମୋବାଇଲର ଲାଇଟ ଅନ କରିବାକୁ କହିଥିଲେ । ସବୁ ଲାଇଟ ଜଳିବା ପରେ ପଚାରିଥିଲେ ଆଉ ଲଣ୍ଠନ ଦରକାର କି ? ମୋଦିଙ୍କ ଏଭଳି ପ୍ରଶ୍ନ ପରେ.. ଜନତାଙ୍କ ମଧ୍ୟରେ ଏକ ବଡ଼ ଉତ୍ସାହ ଦେଖିବାକୁ ମିଳିଥିଲା ।
ସେହିପରି ସିଓ୍ବାନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାରରେ ସାମିଲ ହୋଇ କହିଛନ୍ତି, ସିଓ୍ବାନର ସାହସୀ ଲୋକେ ସାହାବୁଦ୍ଦିନ ଆଗରେ ସରେଣ୍ଡର କରିନାହାନ୍ତି । ଏବେ ନୀତିଶ ଓ ମୋଦିଙ୍କ ଶାସନକାଳରେ ଶହେ ଶାହାବୁଦ୍ଦିନ ଆସିଲେ ମଧ୍ୟ କିଛି କ୍ଷତି କରିପାରିବେନି ।
📱 Get Argus News App
✨Related Topics
Explore more stories