ଯଶୋଭୂମିରେ ‘ସେମିକନ ଇଣ୍ଡିଆ - ୨୦୨୫’ର ଉଦଘାଟନ କରିବେ ମୋଦି

Key Points
ଆଜି ନୂଆଦିଲ୍ଲୀର ଯଶୋଭୂମିରେ 'ସେମିକନ୍ ଇଣ୍ଡିଆ-୨୦୨୫'ର ଉଦଘାଟନ କରିବେ ପିଏମ ମୋଦି... ଭାରତରେ ଉନ୍ନତ ଏବଂ ସ୍ଥାୟୀ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ମିଳିବ ପ୍ରେତ୍ସାହନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶୋଭୂମିରେ ‘ସେମିକନ ଇଣ୍ଡିଆ - ୨୦୨୫’ର ଉଦଘାଟନ କରିବେ। ଯାହା ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି। ଏହାପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରି ସିଇଓ ରାଉଣ୍ଡଟେବୁଲରେ ଅଂଶଗ୍ରହଣ କରିବେ।
ସେପ୍ଟେମ୍ବର ୨ରୁ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତିନି ଦିନିଆ ସମ୍ମିଳନୀରେ ଭାରତରେ ଏକ ଦୃଢ଼, ସୁଦୃଢ଼ ଏବଂ ସ୍ଥାୟୀ ସେମିକଣ୍ଡକ୍ଟର ଇକୋ-ସିଷ୍ଟମକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯିବ। ଏଥିରେ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଅଗ୍ରଗତି, ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଉନ୍ନତ ପ୍ୟାକେଜିଂ ପ୍ରକଳ୍ପ, ଭିତ୍ତିଭୂମି ପ୍ରସ୍ତୁତି, ସ୍ମାର୍ଟ ଉତ୍ପାଦନ, ଗବେଷଣା ଏବଂ ବିକାଶ ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ନବସୃଜନ, ନିବେଶ ସୁଯୋଗ, ରାଜ୍ୟସ୍ତରୀୟ ନୀତି କାର୍ଯ୍ୟାନ୍ୱୟନ ଇତ୍ୟାଦି ଉପରେ ଅଧିବେଶନ ହେବ।
ଏହା ସହିତ, ଏହି କାର୍ଯ୍ୟକ୍ରମରେ ଡିଜାଇନ୍ ଲିଙ୍କ୍ଡ୍ ଇନସେଣ୍ଟିଭ୍ ଯୋଜନା ଅଧୀନରେ ପଦକ୍ଷେପ, ଷ୍ଟାର୍ଟଅପ୍ ଇକୋ-ସିଷ୍ଟମର ବିକାଶ, ଆନ୍ତର୍ଜାତୀୟ ସହଯୋଗ ଏବଂ ଭାରତର ସେମିକଣ୍ଡକ୍ଟର କ୍ଷେତ୍ର ପାଇଁ ଭବିଷ୍ୟତ ରୂପରେଖ ଉପରେ ବିଚାରବିମର୍ଷ କରାଯିବ। ଏଥିରେ ୪୮ରୁ ଅଧିକ ଦେଶର ପ୍ରାୟ ୨୫୦୦ରୁ ଅଧିକ ପ୍ରତିନିଧି, ୫୦ରୁ ଅଧିକ ବିଶ୍ୱ ବ୍ୟକ୍ତିତ୍ୱଙ୍କ ସହିତ ୧୫୦ରୁ ଅଧିକ ବକ୍ତା ଏବଂ ୩୫୦ରୁ ଅଧିକ ପ୍ରଦର୍ଶନକାରୀ ସମେତ ମୋଟ ୨୦,୭୫୦ ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେବେ।