ଦିଲ୍ଲୀରେ 'କର୍ତ୍ତବ୍ୟ ଭବନ' ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

Key Points
କର୍ତ୍ତବ୍ୟ ଭବନ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ସ୍ବରାଷ୍ଟ୍ର, ବିଦେଶ ଭଳି ମନ୍ତ୍ରଣାଳୟର ଅଫିସ ରହିବ
ବାର୍ଷିକ ୧୫୦୦ କୋଟି ସଞ୍ଚୟ ହେବ
ଦିଲ୍ଲୀରେ ଉଦଘାଟିତ ହେଲା ସେଣ୍ଟ୍ରାଲ ଭିଷ୍ଟାର ନୂଆ କୋଠା 'କର୍ତ୍ତବ୍ୟ ଭବନ'। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ତ୍ତବ୍ୟ ପଥସ୍ଥିତ କର୍ତ୍ତବ୍ୟ ଭବନ ୦୩ ବିଲ୍ଡିଂକୁ ଉଦଘାଟନ କରିଛନ୍ତି। ସେ କହିଛନ୍ତି କର୍ତ୍ତବ୍ୟ ଭବନରୁ ବିକଶିତ ଭାରତର ନକ୍ସା ପ୍ରସ୍ତୁତ କରାଯିବ। ଏହା କେବଳ ଏକ କୋଠା ନୁହେଁ, କୋଟି କୋଟି ଲୋକଙ୍କ ସ୍ବପ୍ନକୁ ସାକାର କରିବାର ଭୂମି। ଦୀର୍ଘ ବର୍ଷ ହେଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗୋଟିଲ ବିଲ୍ଡିଂରେ ରହିଛି। କିଛି ମନ୍ତ୍ରଣାଳୟୟ ଭଡ଼ା ବିଲ୍ଡିଂରେ ବି ଚାଲୁଛି। ବର୍ଷକୁ ସେଥିଲାଗି ୧୫୦୦ କୋଟି ଟଙ୍କା ଭଡ଼ା ଦେବାକୁ ପଡ଼ୁଛି। ସେହିପରି ଏକବିଂଶ ଶତାବ୍ଦୀରେ ଭାରତକୁ ଏକବିଂଶ ଶତାବ୍ଦୀର ଆଧୁନିକ ବ୍ୟବସ୍ଥା ଓ ବିଲ୍ଡିଂ ଆବଶ୍ୟକ ଥିଲା। ଯାହାକି ଟେକ୍ନୋଲୋଜି ଓ ହିସାବରେ ଉନ୍ନତ ହୋଇଥିବ। ଏହାକୁ ଦୃଷ୍ଟିରେ ରଖି ଏହି ଭବନ ନିର୍ମାଣ କରାଯାଇଛି। ଏହା ଭାରତର ବୈଶ୍ବିକ ଦୂରଦୃଷ୍ଟିର ପ୍ରତୀକ। ଏଠାରେ କର୍ମଚାରୀମାନଙ୍କୁ କାର୍ଯ୍ୟର ଠିକ ପରିବେଶ ମିଳିବ ବୋଲି ମୋଦି କହିଛନ୍ତି। ଏହି ଅବସରରେ କର୍ତ୍ତବ୍ୟ ଭବନ ବୁଲି ଦେଖିଛନ୍ତି ମୋଦି।
ଏହା ସେଣ୍ଟ୍ରାଲ ଭିଷ୍ଟାର ବ୍ୟାପକ ରୂପାନ୍ତରଣର ଏକ ଅଂଶ। ଏହି କୋଠା ସରକାରୀ କାର୍ଯ୍ୟ ପାଇଁ ନିର୍ମିତ ହୋଇଛି। ଏଥିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, କାର୍ମିକ ଏବଂ ତାଲିମ ବିଭାଗ ଭଳି ଅନେକ ସରକାରୀ କାର୍ଯ୍ୟାଳୟ ରହିଛି। ମୋଟ୍ ୧୦ଟି ବିଲ୍ଡିଂ ନିର୍ମାଣ ହେବ। ଆସନ୍ତା ୨୦୨୭ ଜୁନ୍ ସୁଦ୍ଧା ସମସ୍ତ ନିର୍ମାଣ ସରିବ। ମନ୍ତ୍ରଣାଳୟଗୁଡ଼ିକୁ ଏକାଠି କରି ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ନୀତି କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବ କର୍ତ୍ତବ୍ୟ ଭବନ। ଏହା ପ୍ରାୟ ୧.୫ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ନିର୍ମାଣ ହୋଇଥିବାବେଳେ ଦୁଇଟି ବେସମେଣ୍ଟ ଏବଂ ସାତ ମହଲା ରହିଛି। ଏହି କୋଠାକୁ ୩୦ ପ୍ରତିଶତ କମ୍ ଶକ୍ତି ବ୍ୟବହାର କରିବା ପାଇଁ ଡିଜାଇନ୍ କରାଯାଇଛି। କୋଠାକୁ ଥଣ୍ଡା ରଖିବା ଏବଂ ବାହ୍ୟ ଶବ୍ଦ ପ୍ରଦୂଷଣ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର କାଚ ଝରକା ଲଗାଯାଇଛି।
📱 Get Argus News App
✨ଶକ୍ତି-ସଞ୍ଚୟକାରୀ ଏଲଇଡି ଲାଇଟ୍, ଆବଶ୍ୟକ ନଥିବା ସମୟରେ ଲାଇଟ୍ ବନ୍ଦ କରିବା ପାଇଁ ସେନ୍ସର, ଶକ୍ତି-ସଞ୍ଚୟକାରୀ ସ୍ମାର୍ଟ ଲିଫ୍ଟ ଏବଂ ବିଦ୍ୟୁତ୍ ବ୍ୟବହାର ପରିଚାଳନା ପାଇଁ ଏକ ଉନ୍ନତ ବ୍ୟବସ୍ଥା ଶକ୍ତି ସଂରକ୍ଷଣରେ ସାହାଯ୍ୟ କରିବ। ଏଥିରେ ଛାତରେ ଥିବା ସୌର ପ୍ୟାନେଲଗୁଡ଼ିକ ପ୍ରତିବର୍ଷ ୫.୩୪ ଲକ୍ଷ ୟୁନିଟ୍ ରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କରିବ। ସୌର ଜଳ ହିଟରଗୁଡ଼ିକ ଦୈନିକ ଗରମ ପାଣି ଆବଶ୍ୟକତାର ଏକ ଚତୁର୍ଥାଂଶରୁ ଅଧିକ ପୂରଣ କରିବ। ବୈଦ୍ୟୁତିକ ଯାନବାହନ ପାଇଁ ଚାର୍ଜିଂ ଷ୍ଟେସନ୍ ମଧ୍ୟ ଉପଲବ୍ଧ ହେବ।