Modi On Iran War / ଲୋକସଭାରୁ ଦୁନିଆକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବାର୍ତ୍ତା; 'ହର୍ମୁଜ ପ୍ରଣାଳୀରେ ଅବରୋଧ ସ୍ଵୀକାର୍ଯ୍ୟ ନୁହେଁ'

Key Points
- ମଧ୍ୟପ୍ରାଚ୍ୟ ସଂଘର୍ଷକୁ ନେଇ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
- ଭାରତୀୟଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା: ପ୍ରଧାନମନ୍ତ୍ରୀ
- 'ଯୁଦ୍ଧରତ, ଯୁଦ୍ଧ ପ୍ରଭାବିତ ଦେଶ ସହ ଭାରତର ବାଣିଜ୍ୟ ସମ୍ପର୍କ ରହିଛି'
- 'ଇରାନ ଯୁଦ୍ଧ ଲମ୍ବା ଚାଲିପାରେ, କରୋନା ଭଳି ପ୍ରସ୍ତୁତ ରହିବାକୁ ପଡ଼ିବ'
- 'ଭାରତର ତୈଳ ଆବଶ୍ୟକତା ପୂରଣ ଲାଗି ବିକଳ୍ପ ଖୋଜା ଚାଲିଛି'
ନୂଆଦିଲ୍ଲୀ: ଯୁଦ୍ଧର ପ୍ରଭାବ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିପାରେ । ଆମରକୁ କରୋନା ସଂକଟ ଭଳି ପ୍ରସ୍ତୁତ ରହିବାକୁ ପଡ଼ିବ । ଆମକୁ ଏକାଠି ହେବାକୁ ପଡ଼ିବ । କରୋନା ସମୟରେ ଆମେ ଏଭଳି ଆହ୍ଵାନର ମୁକାବିଲା କରି ସାରିଛେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷକୁ ନେଇ ଲୋକସଭାରେ ବକ୍ତବ୍ୟ ରଖି ଏ କଥା କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ପଶ୍ଚିମ ଏସିଆର ସ୍ଥିତି ଚିନ୍ତାଜନକ । ମଧ୍ୟପ୍ରାଚ୍ୟରେ ପ୍ରାୟ ୧ କୋଟି ଭାରତୀୟ ରହି କାର୍ଯ୍ୟ କରୁଛନ୍ତି । ଏହି ପ୍ରସଙ୍ଗରେ ସଂସଦରେ ସମସ୍ତଙ୍କ ସହମତି ଗୁରୁତ୍ଵପୂର୍ଣ୍ଣ । ମୁଁ ବିଭିନ୍ନ ଦେଶର ରାଷ୍ଟ୍ର ଅଧ୍ୟକ୍ଷଙ୍କ ସହ କଥା ହୋଇଛି । ଆମେ ପ୍ରଭାବିତ ଦେଶରେ ଫସିଥିବା ଭାରତୀୟଙ୍କୁ ସହାୟତା ପାଇଁ ଯଥା ସମ୍ଭବ ପ୍ରୟାସ କରୁଛୁ ।"
ଯୁଦ୍ଧ ଆରମ୍ଭ ହେବା ପରେ ୩ ଲକ୍ଷ ୭୫ ହଜାରରୁ ଅଧିକ ଭାରତୀୟ ଦେଶକୁ ଫେରିଛନ୍ତି । ଇରାନରୁ ପ୍ରାୟ ୧ ହଜାର ଭାରତୀୟଙ୍କ ଘର ବାହୁଡ଼ା ହଇଛି । ଯେଉଁଥିରେ ଅନେକ ମେଡିକାଲ୍ ଛାତ୍ରଛାତ୍ରୀ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏଥିସହ ପଢ଼ନ୍ତୁ: ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ,ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ଉପରେ ଗୁରୁତ୍ୱ
ହର୍ମୁଜକୁ ନେଇ କ'ଣ କହିଲେ ?
ଇରାନ୍ ଯୁଦ୍ଧରେ ହର୍ମୁଜ ପ୍ରଣାଳୀକୁ ବ୍ୟବହାର କରାଯାଉଥିବା ନେଇ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, "ଅଶୋଧିତ ତୈଳ, ଗ୍ୟାସ ଓ ସାର ଆଦି ହର୍ମୁଜ ପ୍ରଣାଳୀ ଦେଇ ଆସିଥାଏ ଏବଂ ଏହି ମାର୍ଗର ଅବରୋଧ ସତ୍ତ୍ଵେ ଭାରତର ଆବଶ୍ୟକତା ପୂରଣ ହୋଇ ପାରୁଛି । ହର୍ମୁଜରେ ଫସିଥିବା ଭାରତୀୟ ଜାହାଜ ସେଠାରୁ ବାହାରି ସାରିଛନ୍ତି ।"
ଏବେ ଦେଶରେ ପେଟ୍ରୋଲ, ଡିଜେଲ୍ ଓ ଗ୍ୟାସ୍ ବିତରଣ ସ୍ଵାଭାବିକ ରହିଛି । ଭାରତ ଆବଶ୍ୟକ କରୁଥିବା ୬୦ ପ୍ରତିଶତ ଏଲପିଜି ଆମଦାନୀ କରେ । ଆମଦାନୀ ଅନିଶ୍ଚିତତା ଭିତରେ ସରକାର ଘରୋଇ ଉପଭୋକ୍ତାଙ୍କୁ ପ୍ରାଥମିକତା ଦେଉଛନ୍ତି । ଏଥିସହ ଘରୋଇ ଉତ୍ପାଦନ ବୃଦ୍ଧି ପାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଇରାନ ସଂଘର୍ଷକୁ ନେଇ ନେଇ ପ୍ରଧାନମନ୍ତ୍ରୀ ଗମ୍ଭୀର ଚିନ୍ତାବ୍ୟକ୍ତ କରିଛନ୍ତି । ପଶ୍ଚିମ ଏସିଆର ନେତାଙ୍କ ସହ ଆଲୋଚନା କରି ସଂଘର୍ଷ ଶେଷ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ । ଦୁନିଆକୁ ବାର୍ତ୍ତା ଦେଇ କହିଛନ୍ତି, "ନାଗରିକ, ଶକ୍ତି କ୍ଷେତ୍ର ଓ ପରିବହନ ଭିତ୍ତିଭୂମି ଉପରେ ଆକ୍ରମଣ ନିନ୍ଦନୀୟ । ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ, ଅନ୍ତର୍ଜାତୀୟ ଜଳପଥ ହର୍ମୁଜ ଅବରୋଧ ସ୍ଵୀକାର୍ଯ୍ୟ ନୁହେଁ ।"
ଏଥିସହ ପଢ଼ନ୍ତୁ: ଷ୍ଟ୍ରେଟ ଅଫ୍ ହର୍ମୁଜକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବାକୁ ଧମକ ଦେଲା ଇରାନ.....ଟ୍ରମ୍ପଙ୍କୁ ଖୋଲା ଚେତାବନୀ
ଭାରତ କୂଟନୀତି ଜରିଆରେ ଯୁଦ୍ଧ ଭିତରେ ଜାହାଜକୁ ସୁରକ୍ଷିତ ଆଣିବାକୁ ନିରନ୍ତର ପ୍ରୟାସ କରୁଛି । ଭାରତ ସବୁବେଳେ ମାନବତା ସପକ୍ଷରେ ଓ ଶାନ୍ତି ପକ୍ଷରେ ସ୍ଵର ଉଠାଇ ଆସୁଛି । ଆଲୋଚନା ଓ କୂଟନୀତିରେ ଏହି ସମସ୍ୟାର ସମାଧାନ ହୋଇପାରିବ । ଉତ୍ତେଜନା ହ୍ରାସ ଓ ସଂଘର୍ଷ ଶେଷ ପାଇଁ ଆମେ ପ୍ରୟାସରତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଯୁଦ୍ଧରତ ଓ ଯୁଦ୍ଧ ପ୍ରଭାବିତ ଦେଶରେ ଭାରତୀୟ ଦୂତାବାସ ଭାରତୀୟଙ୍କ ସହାୟତା କରୁଛି । ସେଠାରେ କାମ କରୁଥିବା ଭାରତୀୟ, ପର୍ଯ୍ୟଟକ ସମସ୍ତଙ୍କୁ ସହାୟତା ପ୍ରଦାନ କରୁଛୁ । ଭାରତୀୟ ଦୂତାବାସ ନିୟମିତ ପରାମର୍ଶ ଜାରି କରୁଛି । ଭାରତ ସହ ପ୍ରଭାବିତ ଦେଶରେ ୨୪ ଘଣ୍ଟିଆ ହେଲ୍ପଲାଇନ୍ ଖୋଲା ଯାଇଛି ।
📱 Get Argus News App
✨Related Topics
Explore more stories