ଭାରତର ଦୀର୍ଘତମ କେବୁଲ ବ୍ରିଜ ସୁଦର୍ଶନ ସେତୁର ଆଜି ଲୋକାର୍ପଣ କରିବେ ମୋଦି

ନୂଆଦିଲ୍ଲୀ: ଭାରତର ଦୀର୍ଘତମ କେବୁଲ ବ୍ରିଜ ସୁଦର୍ଶନ ସେତୁର ଆଜି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହା ଗୁଜୁରାଟର ଓଖା ମେନଲ୍ୟାଣ୍ଡକୁ ବେଟ ଦ୍ବାରକା ଦ୍ବୀପ ସହିତ ସଂଯୋଗ କରିବ । ୪ ଲେନ ବିଶିଷ୍ଟ ଏହି ସିଗନେଚର୍ ବ୍ରିଜର ଲମ୍ବ ୨.୩୩ କିମି ହୋଇଥିବା ବେଳେ ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ପୋଲଟି ପୁରାତନ ଓ ଆଧୁନିକ ଦ୍ବାରକାକୁ ପରସ୍ପର ସହିତ ସଂଯୋଗ କରିବ। କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ବେଟ ଦ୍ବାରକାରେ ବାସ କରୁଥିଲେ ।
ଏହାବାଦ ଏଠାରେ ମହାବୀର ହନୁମାନ ଓ ତାଙ୍କ ପୁତ୍ର ମକରଧ୍ବଜଙ୍କ ମନ୍ଦିର ମଧ୍ୟ ରହିଛି । ପୂର୍ବରୁ ଏହି ସ୍ଥାନକୁ ପର୍ଯ୍ୟଟକମାନେ ନୌକା ମାଧ୍ୟମରେ ଏଠାକୁ ଆସୁଥିଲେ। ତେବେ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ସୁଦର୍ଶନ ସେତୁ ନିର୍ମାଣ ଲାଗି ଘୋଷଣା କରିଥିଲେ। ସୁଦର୍ଶନ ସେତୁ ଏକ ନିଆରା ଡିଜାଇନରେ ନିର୍ମିତ ହୋଇଛି। ଏହି ବ୍ରିଜର ଦୁଇ ପାର୍ଶ୍ବରେ ଶ୍ରୀମଦ୍ ଭଗବଦ୍ ଗୀତାର ଶ୍ଲୋକ ଲେଖା ହେବା ସହିତ ଉଭୟ ପଟେ ଭଗବାନ୍ କୃଷ୍ଣଙ୍କ ପ୍ରତିଛବିରେ ସଜ୍ଜିତ ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର