୧୦ ବର୍ଷରେ ଭାରତର ଅର୍ଥବ୍ୟବସ୍ଥା ବିଶ୍ୱରେ ୫ ନମ୍ବର: ମୋଦି

ନୂଆଦିଲ୍ଲୀ: ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୩ର ଗ୍ରାଣ୍ଡ ଫିନାଲେରେ ଭାଗ ନେଇଥିବା ବ୍ୟକ୍ତିଙ୍କ ୱାନ ଟୁ ୱାନ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା ବି କରିଥିଲେ । ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରିବାବେଳେ ମୋଦି ଯୁବପିଢିଙ୍କୁ କହିଥିଲେ , ଦେଶର ଯୁବପିଢି ଅନେକ ଚ୍ୟାଲେଞ୍ଜପୂର୍ଣ୍ଣ ଆହ୍ୱାନକୁ ସମାଧାନ କରିବା ପାଇଁ ଦିନରାତି ଏକ କରିଦେଉଛନ୍ତି । ୨୦୧୭ରେ ଶୁଭାରମ୍ଭ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ବ୍ୟାପକ ଲୋକପ୍ରିୟତା ହାସଲ କରିଛି। ଏକ ବିଂଶ ଶତାଦ୍ଦୀର ଭାରତ ଆଜି ଜୟ ଯବାନ, ଜୟ କିଶାନ, ଜୟ ବିଜ୍ଞାନ ଏବଂ ଜୟ ଅନୁସନ୍ଧାନର ମନ୍ତ୍ରରେ ଆଗକୁ ବଢିଚାଲିଛି । ଏହି ନୂଆ ଚିନ୍ତାଧାରା ଲାଗି ଗତ ୧୦ ବର୍ଷ ମଧ୍ୟରେ ଭାରତ ୧୦ରୁ ୫ ନମ୍ବରର ଅର୍ଥନୀତିରେ ପରିଣତ ହୋଇଛି ବୋଲି ମୋଦି କହିଛନ୍ତି । କାର୍ଯ୍ୟକ୍ରମରେ ମୋଦିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ । ଦେଶର ନୂଆପିଢିର ଉନ୍ନତ ବିଚାର, ଚିନ୍ତାଧାରାକୁ ଦେଶର ବିକାଶ କାମରେ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ପ୍ରୟାଶ କରିଚାଲିଛନ୍ତି। ଚଳିତ ଥର ସ୍ମାର୍ଟ ହାକାଥନରେ ୨ ଲକ୍ଷ ୬୭ ହଜାର ଅଂଶଗ୍ରହଣକାରୀ ଭାଗ ନେଇଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଦେଶ ସମସ୍ୟାର ସମାଧାନ, ହାକାଥନର ଲକ୍ଷ୍ୟ
ବୈଠକରେ ଯୋଗ ଦେଇ ମୋଦି କହିଛନ୍ତି ଯେ ସ୍ମାର୍ଟ ହାକାଥନରର ଲକ୍ଷ ଦେଶର ସମସ୍ୟାଗୁଡିକ ସମାଧାନ ଏବଂ ସମାଧାନରୁ ରୋଜଗାର ନିର୍ମାଣ। ସ୍ମାର୍ଟ ହାକାଥନରୁ ଦେଶର ଯୁବଶକ୍ତି ବିକଶତି ଭାରତ ପାଇଁ ସମାଧାନର ଅମୃତ ବାହାର କରୁଛନ୍ତି । ଯୁବଶକ୍ତି ଉପରରେ ମୋର ଅତୁଟ ଭରଷା ଅଛି ବୋଲି ମୋଦି କହିଛନ୍ତି।
ବିଶ୍ୱକୁ ଭାରତ ଉପରେ ଭରଷା
📱 Get Argus News App
✨ସାରା ବିଶ୍ୱକୁ ଭାରତ ଉପରେ ଭରଷା ରହିଛି ବୋଲି ମୋଦି କହିଛନ୍ତି। ଭାରତ ବିଶ୍ୱସ୍ତରୀୟ ଆହ୍ୱାନଗୁଡିକ ପାଇଁ ସ୍ୱଳ୍ପ ମୂଲ୍ୟର, ଗୁଣାତ୍ମକ, ସ୍ଥାୟୀ ସମାଧାନ ପ୍ରଦାନ କରିବାରେ ସକ୍ଷମ ବୋଲି ମୋଦି କହିଛନ୍ତି। ଯୁବ ଉଦ୍ଭାବକମାନଙ୍କର ସମସ୍ୟା ସମାଧାନ କ୍ଷମତା ଏବଂ ଜଟିଳ ଆହ୍ୱାନ ମୁକାବିଲା ପାଇଁ ସେମାନଙ୍କର ପ୍ରତିଭା ଉଲ୍ଲେଖନୀୟ ।
AI ପାଇଁ ବ୍ଲୁ-ପ୍ରିଣ୍ଟ କରୁଛି ଭାରତ
ଆର୍ଟିଫିସିଆଲ ଇନଟେଲିଜେନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଯେକୌଣସି ବି ନୂଆ ଟେକ୍ଲୋଲୋଜି ପ୍ରତି ଆମକୁ ସତର୍କ ଓ ସାବଧାନ ରହିବାକୁ ପଡିବ । ଯଦି ଏହା ସଠିକ୍ ଭାବରେ ଏବଂ ନିୟମ ମଧ୍ୟରେ ବ୍ୟବହୃତ ହୁଏ, ତେବେ ବେଶ୍ ଉପଯୋଗୀ ହୋଇପାରେ, କିନ୍ତୁ ଯଦି ଏହାକୁ ଭୁଲ୍ ଭାବରେ ବ୍ୟବହାର କରାଯାଏ, ଅନେକ ସମସ୍ୟା ସୃଷ୍ଟି କରିପାରେ । ଡିପ୍ ଫେକ୍ ଭିଡିଓ ଏବଂ ଫଟୋ ନେଇ ସତର୍କ କରାଇଥିଲେ ମୋଦି।
ତେବେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୩ ପାଇଁ ମୋଟ ପୁରସ୍କାର ୨ କୋଟି ଟଙ୍କାରୁ ଅଧିକ । ଯେଉଁଥିରେ ପ୍ରତ୍ୟେକ ବିଜେତା ଦଳକୁ ପ୍ରତି ସମସ୍ୟା ବିବରଣୀ ପିଛା ୧ ଲକ୍ଷ ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ କରାଯିବ। ଚଳିତ ବର୍ଷ ଡିସେମ୍ବର ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଏସ୍ଆଇଏଚ୍ର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ।