କୋଲକାତାରେ ସଂଯୁକ୍ତ କମାଣ୍ଡର୍ସ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

Key Points
ପିଏମଙ୍କ କୋଲକାତା ଓ ବିହାର ଗସ୍ତ
କୋଲକାତାରେ ସଂଯୁକ୍ତ କମାଣ୍ଡର୍ସ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ବିହାର ଯାଇ ୩୬ ହଜାର କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି
ଆଜି କୋଲକାତାରେ ସଂଯୁକ୍ତ କମାଣ୍ଡର୍ସ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ସେନା ବଳ ଦ୍ୱାରା ଆୟୋଜିତ ସଂଯୁକ୍ତ କମାଣ୍ଡର୍ସ୍ ସମ୍ମିଳନୀ ୨୦୨୫ ବା CCC କାର୍ଯ୍ୟକ୍ରମରେ ସାମିଲ୍ ହେବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜୀତ ଡୋଭାଲ୍ ମଧ୍ୟ ଏହି ସମ୍ମିଳନୀରେ ଉପସ୍ଥିତ ରହିବେ । ଏହି ସମ୍ମିଳନୀ ଭାରତୀୟ ସେନାର ପୂର୍ବ ଆଦେଶ ମୁଖ୍ୟାଳୟ ଫୋର୍ଟ ୱିଲିଆମରେ ଆୟୋଜିତ ହେଉଛି । CCC ହେଉଛି ସେନା ବଳର ସର୍ବୋଚ୍ଚସ୍ତରର ଚିନ୍ତନ-ମନନ ମଞ୍ଚ, ଯାହା ଦେଶର ଶୀର୍ଷ ସିଭିଲ୍ ଓ ସେନା ନେତୃତ୍ୱକୁ ଧାରଣାମୂଳକ ଓ କୌଶଳତମକ ସ୍ତରରେ ମତ ବିନିମୟ ପାଇଁ ଏକତ୍ର କରେ । ତେବେ ବିମାନ ବନ୍ଦରରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।
CCC ସମ୍ମିଳନୀରେ ଅଂଶଗ୍ରହଣ କରିବା ପରେ ମୋଦିଙ୍କ ବିହାର ଗସ୍ତ କାର୍ଯ୍ୟକ୍ରମ ରହିଛି । ଉତ୍ତର ବିହାର ଅଞ୍ଚଳରେ ନବ ନିର୍ମିତ ବିମାନବନ୍ଦର ଟର୍ମିନାଲ୍ ଉଦଘାଟନ କରିବେ ପିଏମ୍ । ବିହାରର ପୂର୍ଣିଆରେ ଏକ ଜନସଭାକୁ ସମ୍ବୋଧନ କରିବା ସହ ୩୬ ହଜାର କୋଟି ମୂଲ୍ୟର ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହାସହ ଜାତୀୟ ମଖନା ବୋର୍ଡ୍ ଉଦଘାଟନ କରିବେ, ଯାହାକୁ ଚଳିତ ବର୍ଷ ବଜେଟରେ ଘୋଷଣା କରାଯାଇଥିଲା। ଏହି ବୋର୍ଡ୍ ମଖନା ଉତ୍ପାଦନ ଓ ନୂତନ ପ୍ରଯୁକ୍ତି ବିକାଶକୁ ଉତ୍ସାହିତ କରିବ। ପ୍ରଧାନମନ୍ତ୍ରୀ ଏହି ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ୪୦ ହଜାରରୁ ଅଧିକ ଲାଭାନ୍ୱିତଙ୍କ ପାଇଁ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଓ ମହିଳା ସ୍ୱୟଂ ସାହାୟତା ଗୋଷ୍ଠୀମାନଙ୍କୁ ୫୦୦ କୋଟି ଅର୍ଥ ବଣ୍ଟନ କରିବେ । ଅରରିଆରେ ନୂଆ ରେଳ ଲାଇନର ଉଦଘାଟନ କରିବେ ।