ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ପିଏମଙ୍କ ସମ୍ବୋଧନ
ଅର୍ଗସ ବ୍ୟୁରୋ: 2014 ନିର୍ବାଚନ ପୂର୍ବରୁ ମୋଦି ଦେଇଥିଲେ କଂଗ୍ରେସ ମୁକ୍ତ ଭାରତ ନାରା। 50 ବି ଟପି ପାରିଲାନି କଂଗ୍ରେସର ଆସନ ସଂଖ୍ୟା। 206ରୁ ସିଧା 44କୁ ଖସିଆସିଥିଲା କଂଗ୍ରେସର ଆସନ ସଂଖ୍ୟା। ବିରୋଧୀ ଦଳର ମାନ୍ୟତା ପାଇବାରେ ବି ଅସମର୍ଥ ହେଲା ଦେଶର ଏହି ସର୍ବ ପୁରାତନ ଦଳ। 2019ରେ ଆସନ ବଢି 52 ହେଲା। ତଥାପି ବିରୋଧୀ ଦଳ ମାନ୍ୟତା ହାସଲରେ ଫେଲ। ଆଉ 2024କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟବାଣୀ 40 ଟପିପାରିବନି କଂଗ୍ରେସର ଆସନ ସଂଖ୍ୟା। ରାଷ୍ଟ୍ରପତିଙ୍କ ଭାଷଣ ଉପରେ ରାଜ୍ୟସଭାରେ ଦେଇଥିବା ନିଜ ସମ୍ବୋଧନରେ ପିଏମ୍ କରିଛନ୍ତି କଂଗ୍ରେସ ଉପରେ ଯୋରଦାର ପ୍ରହାର।
ଯେଉଁ କଂଗ୍ରେସ କ୍ଷମତା ପାଇଁ ଗଣତନ୍ତ୍ରର ହତ୍ୟା କରିଥିଲା, ନିର୍ବାଚିତ ସରକାରଙ୍କୁ ବହିଷ୍କାର କରିଥିଲା, ଗଣମାଧ୍ୟମ ଉପରେ ରୋକ୍ ଲଗାଇଥିଲା ସେ ଦଳ ଏବେ ଆମକୁ ପ୍ରବଚନ ଦେଉଛି। ଭାଷା, ଜାତି, ଧର୍ମ ନାମରେ ଦେଶର ହିଂସା ସୃଷ୍ଟି କରିବା ଏ ଦଳର ପ୍ରମୁଖ କାମ । ଦେଶର ଜମି ଶତ୍ରୁ ହାତକୁ ଟେକି ଦେଉଥିବା ଦଳ ଏବଂ ଦେଶର ସୁକ୍ଷାକୁ ନେଇ ଆମକୁ ଭାଷଣ ଦେବା ଉଚିତ ନୁହେଁ। ନିଜର ଉଦ୍ଦେଶ୍ୟ ସାଧାନ ପାଇଁ ଆତଙ୍କବାଦ ଓ ବିଛିନ୍ନତାବାଦୀଙ୍କୁ କଂଗ୍ରେସ ପ୍ରୋତ୍ସାହନ ଦେଉଥିବା କହିଛନ୍ତି ପିଏମ୍।
ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଆମେ ବଡ ନିଷ୍ପତ୍ତି ନେଇଛୁ। ଗତ ୧୦ ବର୍ଷ ଭିତରେ ଆମ ଅର୍ଥନୀତି ବିଶ୍ବର ଶୀର୍ଷ ୫ ରେ ପହଞ୍ଚି ସାରିଛି। କିନ୍ତୁ ଏହି କଂଗ୍ରେସ ଦଳ ସ୍ବାଧୀନତା ପରଠାରୁ କେଉଁ କ୍ଷେତ୍ରରେ ନିଷ୍ପତ୍ତି ନେବ ସେ ନେଇ ସବୁବେଳେ ସନ୍ଧୀହାନ ଥିଲା।
ଜାତି ପ୍ରସଙ୍ଗରେ କଂଗ୍ରେସକୁ ସମାଲୋଚନା କରି ପିଏମ କହିଛନ୍ତି ଦଳିତ, ପଛୁଆବର୍ଗ ଓ ଆଦିବାସୀଙ୍କ ବଡ଼ ବିରୋଧୀ ହେଉଛି କଂଗ୍ରେସ। ଯଦି ବାବା ସାହେବ ଭୀମରାଓ ଆମ୍ବେଦକର ନଥାନ୍ତେ ତେବେ ଏମାନଙ୍କୁ ସଂରକ୍ଷଣ ମିଳିନଥାନ୍ତା।
ଏପରିକି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି କହିଛନ୍ତି, କଂଗ୍ରେସ ନିଜ ଯୁବରାଜଙ୍କୁ ଏକ ଷ୍ଟାର୍ଟ-ଅପ୍ ରେ ପରିଣତ କରିଛି। ହେଲେ ନା ସେ ଲିଫ୍ଟ ହେଉଛନ୍ତି ନା ଲଞ୍ଚ ହେଉଛନ୍ତି।
ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଆହୁରୀ କହିଛନ୍ତି, ବିଜେପି ସରକାର ତୃତୀୟ ଟର୍ମ ବେଶୀ ଦୂର ନୁହେଁ। ଅନେକ ଲୋକେ ଏହାକୁ ଏବେଠୁ ମୋଦୀ ୩.୦ କହିବା ଆରମ୍ଭ କଲେଣି। ତୃତୀୟ ଟର୍ମରେ ଭାରତ ଆହୁରୀ ବିକଶିତ ହେବ..। ଆଗାମୀ ୫ ବର୍ଷ ଭିତରେ ଦେଶରେ ଚିକିତ୍ସା ସେବା ଶସ୍ତା ହେବ, ଗରିବଙ୍କୁ ପିଏମ ଆବାସ ଦେବା ଉପରେ ଅଧିକ ଧ୍ୟାନ ଦିଆଯିବ। ସୌରଶକ୍ତିରୁ ବିଜୁଳି ଉତ୍ପାଦନ ଓ ସାରା ଦେଶରେ ପାଇପ୍ ଯୋଗେ ଗ୍ୟାସ ସଂଯୋଗୀକରଣ ବ୍ୟବସ୍ଥା ଉପରେ ଅଧିକ ପ୍ରୟାସ କରାଯିବ।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର