ହିମାଚଳ ପ୍ରଦେଶରେ ଜାରି ରହିଛି ରାଜନୈତିକ ସଙ୍କଟ

- ହିମାଚଳ ପ୍ରଦେଶରେ ଜାରି ରହିଛି ରାଜନୈତିକ ସଙ୍କଟ
- କଂଗ୍ରେସ ଦଳର 6 ଜଣ ବିଧାୟକ କରିଛନ୍ତି ବିଦ୍ରୋହ
- ସୂତାଖିଅରେ ଝୁଲୁଛି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଆସନ
ଅର୍ଗସ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ପରେ ହିମାଚଳ ପ୍ରଦେଶରେ ରାଜନୈତିକ ହଟଚମଟ । କଂଗ୍ରେସ ଦଳର ୬ ଜଣ ବିଧାୟକ ପାଲଟିଛନ୍ତି ବିଦ୍ରୋହୀ। ଦଳ ବିରୋଧରେ ଯାଇ ସେମାନେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ରାଜ୍ୟ କଂଗ୍ରେସରେ ବିଦ୍ରୋହ ପରେ ବିଧାନସଭା ଦଳର ନେତା ଜୟରାମ ଠାକୁର ଲଗାତର ଭାବରେ ସୁଖବିନ୍ଦର ସିଂହ ସୁଖୁ ସରକାରଙ୍କ ସଂଖ୍ୟା ଗରିଷ୍ଠତା ପରୀକ୍ଷା କରିବାକୁ ଦାବି କରି ଆସୁଛନ୍ତି। ତେବେ ବଜେଟ୍ ପୂର୍ବରୁ ଗୃହରେ ହଙ୍ଗାମା ଏବଂ ସ୍ଲୋଗାନ ଦେବା ନେଇ ବୁଧବାର ବାଚସ୍ପତି ଠାକୁରଙ୍କ ସମେତ ୧୫ଜଣ ବିଜେପି ବିଧାୟକଙ୍କୁ ସମଗ୍ର ଅଧିବେଶନ ପାଇଁ ଗୃହରୁ ବହିଷ୍କାର କରିଥିଲେ। ଏହାକୁ ନେଇ ବିଧାନସଭାରେ ଆଜି ଜୋରଦାର ହୋ-ହଲ୍ଲା ଦେଖିବାକୁ ମିଳିଥିଲା।
ଏତିକିରେ ଶେଷ ହୋଇନି ସୁଖୁଙ୍କ ସମସ୍ୟା। କଂଗ୍ରେସ ସରକାରରେ ସାମିଲ ଥିବା ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ମଧ୍ୟ ସାଂଘାତିକ ଅଭିଯୋଗ ଆଣି ନିଜ ମନ୍ତ୍ରୀ ପଦରୁ ଦେଇଛନ୍ତି ଇସ୍ତଫା। ଏକ ସାମ୍ବାଦିକ ସମ୍ମିଳନୀ ବିକ୍ରମାଦିତ୍ୟ ସିଂହ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣିଛନ୍ତି। ତେବେ କଂଗ୍ରେସ ହାଇକମାଣ୍ଡ ସରକାର ବଞ୍ଚାଇବାକୁ କର୍ଣ୍ଣାଟକ ନେତା ଡି.କେ ଶିବକୁମାର ଏବଂ ହରିୟାଣର ପୂର୍ବ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ପର୍ଯ୍ୟବେକ୍ଷକ କରି ହିମାଚଳ ପଠାଇଛି। ସେପଟେ ବିଦ୍ରୋହ ଓ ଅଭିଯୋଗ ସତ୍ତ୍ବେ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ।
ହିମାଚଳ ପ୍ରଦେଶ ରାଜ୍ୟସଭା ନିର୍ବାଚନରେ ୬ଜଣ କଂଗ୍ରେସ ବିଧାୟକ ବିଜେପି ପ୍ରାର୍ଥୀଙ୍କ ପକ୍ଷରେ ଭୋଟ ଦେଇଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ପାଇଁ ଦଳର ଶୀର୍ଷ ନେତୃତ୍ୱ ସକ୍ରୀୟ ହୋଇ ପଡିଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ କାର୍ଯ୍ୟ ଶୈଳୀରେ ଏହି ୬ ଜଣ ବିଧାୟକ ନିରାଶ ହୋଇ ତାଙ୍କୁ ହଟାଇବାକୁ ଦାବି କରୁଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: