Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

National Pollution Control Day / ସୁସ୍ଥ ପରିବେଶ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ନିହାତି ଜରୁରୀ

Rashmita Mishra
Browse all articles by Rashmita Mishra
·7 months ago·3 min read
ସୁସ୍ଥ ପରିବେଶ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ନିହାତି ଜରୁରୀ
Pollution

Key Points

ପ୍ରଦୂଷଣ ନିୟନ୍ତ୍ରଣ ରହିଲେ ସୁସ୍ଥ ରହିବ ଜୀବ ଜଗତ
ସୁସ୍ଥ ପରିବେଶ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ନିହାତି ଜରୁରୀ
ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସଚେତନତା ବଡ ଶକ୍ତି

ଆଧୁନିକ ଜ୍ଞାନ କୌଶଳ ସହିତ ତାଳ ଦେଇ ଆଗେଇ ଚାଲିଛି ମାନବ ସଭ୍ୟତା । ବିଜ୍ଞାନର ଅଗ୍ରଗତି ସହିତ ଆଧୁନିକତାର ବଶବର୍ତ୍ତୀ ହୋଇ ପରିବେଶ ପ୍ରତି ନିଜର କର୍ତ୍ତବ୍ୟ ଭୁଲିଯାଉଛନ୍ତି ଦେଶବାସୀ । ସମୟ ଅତିକ୍ରାନ୍ତ ସହିତ ବଢୁଛି ପରିବେଶ ଉପରେ ଚାପ। ବଢିବାରେ ଲାଗିଛି ପରିବେଶ ପ୍ରଦୂଷଣ । ଫଳରେ ଆମର ସୁନ୍ଦର ପରିବେଶ ହେଉଛି ପ୍ରଦୂଷଣ । ପ୍ରଦୂଷଣ ବୃଦ୍ଧି ହେତୁ ସୃଷ୍ଟି ହେଉଥିବା ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ୨ ଡିସେମ୍ବରରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ କରାଯାଉଛି ।

ଦେଶ ପାଳୁଛି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ । ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଜଳ, ବାୟୁ ଓ ମୃତ୍ତିକାକୁ ପ୍ରଦୂଷଣ ମୁକ୍ତ ରଖିବା । ଶିଳ୍ପ ବିପର୍ଯ୍ୟୟର ନିୟନ୍ତ୍ରଣ ବିଷୟରେ ସଚେତନତା ସୃଷ୍ଟି କରିବା । ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଉଦ୍ୟମ କରିବା । ଆମ ପରିବେଶକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା । ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅନେକ ଆଇନ ଗଠନ କରିଛନ୍ତି । ଏହି ଦିବସକୁ ପାଳନ କରିବା ସହିତ ସରକାର ଗଠନ କରିଥିବା ଆଇନ ପ୍ରତି ସଚେତନ ହେବା । ପ୍ରଦୂଷଣର ଅନେକ କାରଣ ଅଛି ।

ଫାୟାର କ୍ରାକର, ବୋମା ବିସ୍ଫୋରଣ, ଶିଳ୍ପାଞ୍ଚଳ, ଯାନବାହନରୁ ବିଷାକ୍ତ ଗ୍ୟାସ ଲିକ ପରିବେଶକୁ ପ୍ରଦୂଷଣ କରୁଛି । ଏହି ସମସ୍ତ ପ୍ରଦୂଷଣର ଉତ୍ସକୁ ରୋକିବା ପାଇଁ ଚିନ୍ତା କରିବାର ଆଜି ଦିନ ଟିଏ । ସେହିପରି ଦୁଃଖଦ ଭୋପାଳ ଗ୍ୟାସ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ସ୍ମୃତିରେ ମଧ୍ୟ ଏହି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ କରାଯାଏ । ଭୋପାଳ ଗ୍ୟାସ ବିପର୍ଯ୍ୟୟକୁ ବିଶ୍ଵର ସବୁଠାରୁ ଖରାପ ଶିଳ୍ପ ବିପର୍ଯ୍ୟୟ ଭାବରେ ବିବେଚନା କରାଯାଏ । ଅତ୍ୟଧିକ କ୍ଷତିକାରକ ମିଥାଇଲ ଆଇସୋକିଆନେଟ ଗ୍ୟାସ ଲିକ ଯୋଗୁଁ ଘଟିଥିଲା ଏହି ବିପର୍ଯ୍ୟୟ । ଏହି ଦୁଃଖଦ ଘଟଣାରେ ପ୍ରାୟ ୩ ହଜାର ୭୮୭ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଭାରତର ଜାତୀୟ ସ୍ୱାସ୍ଥ୍ୟ ପୋର୍ଟାଲ ଅନୁଯାୟୀ, ବାୟୁ ପ୍ରଦୂଷଣ ହେତୁ ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୭ ନିୟୁତ ଲୋକ ମୃତ୍ୟୁ ବରଣ କରୁଛନ୍ତି । ବାୟୁରେ ଥିବା ପ୍ରଦୂଷକ ଶରୀରରେ ଥିବା ପ୍ରତିରକ୍ଷା ପ୍ରତିବନ୍ଧକକୁ ଅତିକ୍ରମ କରି ଆମ ଶରୀରର ଫୁସଫୁସ, ମସ୍ତିଷ୍କ ଏବଂ ହୃତପିଣ୍ଡ ମଧ୍ୟକୁ ପ୍ରବେଶ କରି କ୍ଷତି ପହଞ୍ଚାଇପାରେ । ବାୟୁ ପ୍ରଦୂଷଣ ହିଁ ଓଜନ ସ୍ତରର କ୍ଷତି ପାଇଁ ଦାୟୀ । ପ୍ରଦୂଷଣ ରୋକିବାକୁ ହେଲେ ଯାନବାହାନ ବ୍ୟବହାରର ଅପେକ୍ଷକୃତ କମାଇବା, ଧୂଆଁ କରୁଥିବା ବର୍ଜ୍ୟବସ୍ତୁ ନ ଜଳାଇବା, ଅକ୍ଷୟ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ଦେବା ଓ ସହରାଞ୍ଚଳରେ ପ୍ରଦୂଷଣ ହ୍ରାସ ପାଇଁ ସହରୀ ଜଙ୍ଗଲ ଏବଂ ସବୁଜ ଛାତ ପରି ବୃକ୍ଷରୋପଣର ବୃଦ୍ଧି କଲେ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରିବ ।

ଅନ୍ୟପଟେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ମୋଦି ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି । ୨୦୧୯ ଜାନୁଆରୀରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ସରକାର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପ୍ରଥମ ବର୍ଷ ଭାବରେ ୨୦୧୯ ସହିତ NCAP ଏକ ମଧ୍ୟମ ଅବଧି ଭାବେ ପାଞ୍ଚ ବର୍ଷର କାର୍ଯ୍ୟ ଯୋଜନା ହୋଇଛି । ସେହିପରି ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରମୁଖ ସହରାଞ୍ଚଳ କେନ୍ଦ୍ର ଗୁଡ଼ିକରେ ବାୟୁର ଗୁଣବତ୍ତା ଉପରେ ନଜର ରଖିବା ସହିତ ଜନସଚେତନତା ବୃଦ୍ଧି ପାଇଁ ଜାତୀୟ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଆରମ୍ଭ କରିଛନ୍ତି। ।

ଦୀର୍ଘ ଦିନ ଧରି ଦେଶ ବାହ୍ୟ ତଥା ଘରୋଇ ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିବା ଦ୍ୱାରା ବିଶ୍ୱରେ ବାର୍ଷିକ ୧.୬୭ ନିୟୁତରୁ ଅଧିକ ମୃତ୍ୟୁ ଘଟୁଛି । ଷ୍ଟ୍ରୋକ, ହୃଦଘାତ, ମଧୁମେହ, ଫୁସଫୁସ କର୍କଟ, ଫୁସଫୁସ ଓ ନବଜାତକ ଶିଶୁମାନେ ବିଶେଷ କରି ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହେଉଥିବା SoGA ୨୦୨୦ ରିପୋର୍ଟ କହୁଛି । ଏପରି ସ୍ଥଳେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କ ନିୟମ ସହିତ ନାଗରିକ ମାନେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ହେବା ଆବଶ୍ୟକ । ଯାହା ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ସହ ସୁସ୍ଥ ଜୀବନ ଯାପନ ସମ୍ଭବ ।

ଅଧିକ ପଢ଼ନ୍ତୁ ଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
National Pollution Control Day | Pollution Control Is Essential for a Healthy Environment | Importance of Pollution Prevention | Argus News