ଦିଦିଙ୍କୁ ପାଣି ପିଆଇଲେଣି ବଙ୍ଗ ଚାଷୀ

Key Points
- ମମତାଙ୍କୁ ଘେରିଲେଣି ପଶ୍ଚିମବଙ୍ଗ ଚାଷୀ
- ରାସ୍ତା ଅବରୋଧ କଲେ, ସରକାରୀ ବିରୋଧୀ ନାରା ଦେଲେ
- ଆଳୁ ବିକ୍ରି ନକଲେ ସାଙ୍ଘାତିକ ଫଶିବେ ଦିଦି
ଅର୍ଗସ ବ୍ୟୁରୋ : ଦିଦିଙ୍କ ଅକଲ ଗୁଡୁମ କଲେଣି ନିଜ ରାଜ୍ୟର ଚାଷୀ । ପାଖାପାଖି ୧୫ ଦିନ ହେଲାଣି ରାଜ୍ୟରେ ଚାଷୀମାନେ ନିଜ ଉତ୍ପାଦନ ଆଳୁ ବିକ୍ରି କରିପାରୁନାହାନ୍ତି । ଯାହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଯିବା ସହିତ ତୁରନ୍ତ ଏନେଇ ରାଜ୍ୟ ସରକାର ପଦକ୍ଷେପ ନନେଲେ ଆଗାମୀ ସ୍ଥିତି ଖରାପ ହେବ ବୋଲି କହିଲେଣି ଚାଷୀ । ହଠାତ୍ ପୁରା ରାଜ୍ୟରେ ଚାଷୀଙ୍କ ଏମିତି ଆନ୍ଦୋଳନ ଦେଖି ଆକ୍ତାମାକ୍ତା ଟିଏମସି ନେତା । କାରଣ ଚାଷୀ ଆନ୍ଦୋଳନର ସ୍ଥିତି ସରକାର ବଦଳାଇବାକୁ ବେଶୀ ସମୟ ନେବନି ଏକଥା ମମତା ବେଶ ଭଲରେ ଜାଣିଛନ୍ତି । ତେଣୁ ତୁରନ୍ତ ଆଳୁଚାଷୀଙ୍କ ସହ ମମତା ୱାନ ଟୁ ୱାନ ଆଲୋଚନା କରିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
୧୦ କି ୧୦୦ ନୁହେଁ ଏକାସାଙ୍ଗରେ ୫୦୦ ଚାଷୀ ଓହ୍ଲାଇଲେଣି ଆନ୍ଦୋଳନକୁ । ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଜିଲ୍ଲା ଧୁପଗିରିରେ ଗତ ଶନିବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲେ ଚାଷୀ । ଖାଲି ଆନ୍ଦୋଳନ କରିଥିଲେ ତାହା ନୁହେଁ ବରଂ ଉତ୍ପାଦିତ ଆଳୁ ସେମାନେ କଣ କରିବେ ବୋଲି ପ୍ରଶ୍ନ କରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ରାସ୍ତାରେ ଗାଡି ବି ଗଡ଼ିନଥିଲା । ସ୍ଥିତି ଅଣାୟତ୍ତ ହେବାରୁ ସ୍ଥାନୀୟ ସବଡିଭିଜନାଲ ଅଫିସର ଚାଷୀଙ୍କ ସହ ଆଲୋଚନା ବି କରିଥିଲେ ଏବଂ ପ୍ରତିଶ୍ରୁତି ଦେଇଥିଲେ ସରକାରଙ୍କୁ ସେମାନଙ୍କ ଦାବି ଜଣାଇବା ସହିତ ଖୁବଶୀଘ୍ର ସମାଧାନ କରାଯିବ ।
ସେପଟେ ଚାଷୀ ଅଭିଯୋଗ କରିଛନ୍ତି, “ଆମ ଉତ୍ପାଦନ ଆଳୁକୁ ଅନ୍ୟ ରାଜ୍ୟକୁ ପଠାଇବାରେ ପୋଲିସ ଆମକୁ ଅଟକାଉଛି । ଗୋଟିଏ ପଟେ ଆମେ ବଙ୍ଗଳା ବାହାରକୁ ଆଳୁ ପଠାଇ ପାରିଲୁ ନାହିଁ । ଅନ୍ୟପକ୍ଷରେ, ଏଠାରେ ଥିବା ହୋଲସେଲ ବ୍ୟବସାୟୀମାନେ ଆମଠାରୁ ପର୍ଯ୍ୟାପ୍ତ ପରିମାଣରେ ଆଳୁ କିଣୁ ନାହାଁନ୍ତି । ଯେଉଁ କ୍ଷତି ହେଉଛି ? ତାହାର ଭରଣା କିଏ କରିବ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି ।
📱 Get Argus News App
✨ପ୍ରତିବର୍ଷ ଆଳୁ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଉଛି ବଙ୍ଗ ସରକାର । ଯାହାକୁ ନେଇ ଚିନ୍ତାରେ ପଡୁଛନ୍ତି ଚାଷୀ । ଉତ୍ପାଦନ ହେବା ପରେ ଦୁଇ ପଇସା ରୋଜଗାର କରିବାକୁ ଚାଷୀ ଯେଉଁ ସ୍ଵପ୍ନ ଦେଖୁଛନ୍ତି ସେ ସ୍ଵପ୍ନକୁ ଭାଙ୍ଗିରୁଜି ଦେଉଛି ବଙ୍ଗ ସରକାର । ତେଣୁ ଏଥର ଦିଦିଙ୍କୁ ପାନେ ଦେବାକୁ ପ୍ଲାନ କରିଛନ୍ତି ବଙ୍ଗ ସରକାର । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।