ସରିଲା ମହାକୁମ୍ଭ, ଶେଷ ଅମୃତ ସ୍ନାନରେ ବି ଅସମ୍ଭାଳ ଭିଡ଼ !

ସରିଲା ମହାକୁମ୍ଭ ମେଳା । ଶେଷ ଦିନରେ ଅମୃତ ସ୍ନାନ ପାଇଁ କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଲା । ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ମେଳାର ଆଜି ଅନ୍ତିମ ଦିନ । ଆଜି ପବିତ୍ର ମହାଶିବରାତ୍ରୀ ପାଇଁ ବୁଡ଼ ପକାଇବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ୧୪୪ ବର୍ଷ ପରେ ଆୟୋଜିତ ହୋଇଥିଲା ଏହି ମହାକୁମ୍ଭ । ପ୍ରୟାଗରାଜ ମହାକୁମ୍ଭ ସନାତନ ଧର୍ମର ସବୁଠୁ ବଡ଼ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଛି । ଏହାର ଆୟୋଜନରେ ଉଭୟ ଉତ୍ତରପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ବ୍ୟାପକ ସୁବ୍ୟବସ୍ଥାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଶେଷ ଦିନ ସୁଦ୍ଧା ମହାକୁମ୍ଭରେ ୬୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇସାରିଥିବା କୁହାଯାଉଛି ।
ତେବେ ଶୀବରାତ୍ରିରେ ଅମୃତ ସ୍ନାନ ପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲା ୟୁପି ପୋଲିସ । ଏହି ପବିତ୍ର ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଦେଶର ପ୍ରତ୍ୟେକ କୋଣରୁ ଏବଂ ବିଦେଶରୁ ଭକ୍ତମାନଙ୍କର ଆଜି ପ୍ରବଳ ସମାଗମ ହୋଇଛି। ଏହା ଯୋଗୁଁ ଯାନବାହନ ମଧ୍ୟ ବହୁ ସଂଖ୍ୟାରେ ପ୍ରୟାଗରାଜରେ ପହଞ୍ଚିଛି। ସହରରେ ଭିଡ଼ ନିୟନ୍ତ୍ରଣ ପାଇଁ, ଉତ୍ତର ପ୍ରଦେଶ ପୋଲିସ ପାଞ୍ଚଟି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲା। ସଙ୍ଗମରେ ପହଞ୍ଚିବା ପାଇଁ ଭକ୍ତମାନଙ୍କୁ ଯେପରି କମ୍ ଚାଲିବାକୁ ପଡିବ ସେନେଇ ବ୍ୟବସ୍ଥା କରାଯାଇଥିଲା।
ପୂର୍ବ ପାଞ୍ଚଟି ଅମୃତ ସ୍ନାନର ଅଭିଜ୍ଞତା ଆଧାରରେ, ସହରର ଗହଳି ସ୍ଥାନ ଗୁଡ଼ିକୁ ଚିହ୍ନଟ କରାଯାଇଥିଲା। ସେଠାରେ ଅତିରିକ୍ତ ପୋଲିସ କର୍ମଚାରୀ ମୁତୟନ କରାଯାଇଛି। ଏହି ପଏଣ୍ଟଗୁଡ଼ିକ ଉପରେ ନିରନ୍ତର ନଜର ରଖାଯାଇଛି । ଭକ୍ତମାନେ ରାସ୍ତାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବାକୁ ଏବଂ ସେମାନଙ୍କର ଯାତ୍ରା ଆରାମଦାୟକ ହେବା ପାଇଁ, କିଛି ସ୍ଥାନରେ ମାନବ ଶୃଙ୍ଖଳ ଗଠନ କରାଯାଇଛି। ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଯାଇଛି, ଯାହା ସିଧାସଳଖ ନିୟନ୍ତ୍ରଣ କକ୍ଷ ସହିତ ଯୋଡ଼ି ହୋଇଛି ।
ଅନ୍ୟପଟେ ଗତକାଲି ସଂଧ୍ୟା ୫ଟାରୁ ପ୍ରୟାଗରାଜକୁ ନୋ-ଭେହିକିଲ ଜୋନ ଭାବେ ଘୋଷଣା କରାଯାଇଛି। ପ୍ରଶାସନିକ, ଜରୁରିସେବା ଯୋଗାଉଥିବା ଗାଡି଼କୁ ଛାଡ଼ି ଅନ୍ୟ ସବୁ ବାହନର ଏଣ୍ଟ୍ରି ଉପରେ ରୋକ ଲାଗିଛି । ମେଳାର ଅନୁଧ୍ୟାନ ଲାଗି ବାୟୁସେନାର ଯବାନ ବି ମୁତୟନ ହୋଇଛନ୍ତି ।
ଜାନୁଆରୀ ୧୩ରେ ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହୋଇଥିଲା । ଉତ୍ତର ପ୍ରଦେଶ ସରକାରଙ୍କ ତଥ୍ୟ ଅନୁସାରେ ଏଯାଏଁ ୬୪ କୋଟି ଲୋକ ମହାକୁମ୍ଭରେ ବୁଡ଼ ପକାଇସାରିଲେଣି । ମହାଶିବରାତ୍ରିରେ ହେବାକୁ ଥିବା ଜନସମାଗମକୁ ମିଶାଇଲେ ଏହି ସଂଖ୍ୟା ୬୬ କୋଟି ଟପିପାରେ । ବିଗତ ୧୦ ଦିନ ମଧ୍ୟରେ ପ୍ରତ୍ୟହ ୧.୨୫ କୋଟିରୁ ଅଧିକ ଲୋକ ବିଶ୍ୱର କୋଣ ଅନୁକୋଣରୁ ଆସି ମହାକୁମ୍ଭରେ ବୁଡ଼ ପକାଉଛନ୍ତି । ପୂରା ମେଳା ଅବଧି ମଧ୍ୟରେ ପ୍ରମୁଖ ସ୍ନାନ ଦିନମାନଙ୍କରେ କେବଳ ସଙ୍ଗମରେ ସ୍ନାନ କରିଛନ୍ତି ୧୭ କୋଟି ଶ୍ରଦ୍ଧାଳୁ । ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ସାମିଲ । ସେହିପରି ପ୍ରତ୍ୟେକ ଅମୃତ ସ୍ନାନ ଦିନରେ ୨.୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ଆସିଛନ୍ତି । ସାଧାରଣ ଶ୍ରଦ୍ଧାଳୁଙ୍କ ଠାରୁ ଆରମ୍ଭ କରି ରାଜନେତା, ଖେଳାଳି, ଫିଲ୍ମ ଷ୍ଟାର ସମସ୍ତେ ମହାକୁମ୍ଭରେ ସ୍ନାନ କରିଛନ୍ତି।
ଏହି ସବୁର ତଦାରଖ ପାଇଁ ଜଣେ ଆଇପିଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି, ଯିଏ ନିୟନ୍ତ୍ରଣ କକ୍ଷରୁ ନିରନ୍ତର ନଜର ରଖିବେ। ଟ୍ରାଫିକ୍ ଜାମ୍ ପରିସ୍ଥିତିକୁ ଏଡାଇବା ପାଇଁ, ୩୫ଟି ମୋବାଇଲ୍ ସ୍କ୍ୱାଡ୍ ନିୟୋଜିତ କରାଯାଇଛି । ଯେଉଁମାନେ ଗାଡ଼ି ଖରାପ ହେବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ ଗାଡ଼ିକୁ ବାହାର କରିବେ। ଶେଷ ଅମୃତ ସ୍ନାନ ଶିବରାତ୍ରିରେ ଥିବାରୁ, ସ୍ନାନ ପରେ ଅନେକ ଭକ୍ତ ଶିବ ମନ୍ଦିରକୁ ମଧ୍ୟ ଯିବେ। ଏହି କାରଣରୁ ମନ୍ଦିରଗୁଡ଼ିକରେ ଅଧିକ ଭିଡ଼ ହେବ। ଏହାକୁ ଧ୍ୟାନରେ ରଖି, ଶିବାଳୟଗୁଡ଼ିକ ଉପରେ ନଜର ରଖାଯିବ ଏବଂ ଫୋର୍ସ ମୁତୟନ କରାଯିବ।