ରୌପ୍ୟ ଜିତିଲା ପରେ ନୀରଜଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ ମିଳିବା ପରେ ଛୁଟିଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରଜଙ୍କୁ ସୋସିଆଲ ମିଡ଼ିଆ Xରେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଗୃହମନ୍ତ୍ରୀ ଅମିତ ସାହା, ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । କ୍ରମାଗତ ଦ୍ବିତୀୟ ଅଲିମ୍ପିକ୍ସରେ ପଦକ ଜିତି ଭାରତୀୟ ଜାଭେଲିନ୍ ଖେଳାଳି ଭାବେ ଇତିହାସ ରଚିଛନ୍ତି ନୀରଜ ।
ଅଧିକ ପଢନ୍ତୁ : ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ
ତେବେ ସ୍ବର୍ଣ୍ଣ ପଦକ ଦାବିଦାର ଥିବା ନୀରଜ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । 89.45 ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ସେ ରୌପ୍ୟ ପଦକ ଜିତିଛନ୍ତି । ପୂର୍ବରୁ 2020 ଟୋକିଓ ଅଲିମ୍ପିକ୍ସରେ ନୀରଜ ୮୭.୫୮ ମିଟର ଜାଭେଲିନ୍ ଥ୍ରୋ’ କରି ସ୍ଵର୍ଣ୍ଣ ପଦକ ଜିତିଥିଲେ । ସେପଟେ ପାକିସ୍ତାନୀ ଜାଭେଲିନ୍ ଥ୍ରୋୟର ଅର୍ଶଦ ନଦୀନ ଅଲିମ୍ପିକ୍ସ ଇତିହାସର ରେକର୍ଡ ଭାଙ୍ଗିବା ସହ 92.97 ମିଟର ଜାଭେଲିନ୍ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଗ୍ରେନେଡାର ଆଣ୍ଡରସନ ପିଟର୍ସ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ଏହାକୁ ମିଶାଇ ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଏ ପର୍ଯ୍ୟନ୍ତ ମୋଟ 5ଟି ପଦକ ମିଳିଛି ।
