Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଓଡ଼ିଶା ପର୍ବ; ଦିନ ପାଖଉଛି, ଉତ୍କଣ୍ଠା ବଢୁଛି

Smruti Parija
Browse all articles by Smruti Parija
·1 year ago·3 min read
ଓଡ଼ିଶା ପର୍ବ; ଦିନ ପାଖଉଛି, ଉତ୍କଣ୍ଠା ବଢୁଛି

ଅର୍ଗସ ବ୍ୟୁରୋ: ଦିଲ୍ଲୀ ଦରବାରରେ ଝଲସିବ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ଝଲକ । ଓଡ଼ିଶାର ଲୋକକଳା ଓ ଲୋକନୃତ୍ୟରେ ଦୁଲୁକିବ ମଞ୍ଚ । ପାରମ୍ପରିକ ଓଡ଼ିଆ ଖାଦ୍ୟ ଓ ସୁସ୍ୱାଦୁ ବ୍ୟଞ୍ଜନର ମହକରେ ମହକିବ ରାଷ୍ଟ୍ରୀୟ ରାଜଧାନୀ । ନଭେମ୍ବର ୨୨ ରୁ ୨୪ ତାରିଖ, ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶାର ସମୃଦ୍ଧ ଏବଂ ବହୁମୁଖୀ ସାଂସ୍କୃତିକ ଐତିହ୍ୟର ନିଦର୍ଶନ ‘ଓଡ଼ିଶା ପର୍ବ’ । 

ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ସାଂସ୍କୃତିକ ମହାକୁମ୍ଭକୁ ଉଦ୍‌ଘାଟନ କରିବେ । ସମ୍ମାନିତ ଅତିଥି ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେବେ । ୨୪ ତାରିଖ ଉଦ୍‌ଯାପନୀ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକମ୍ର ରହିଛି ।

'ଓଡିଆ ସମାଜ’ ପକ୍ଷରୁ ଆୟୋଜିତ ଏହି ୩ ଦିନିଆ ମହୋତ୍ସବ, ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଦିଲ୍ଲୀ ଦରବାରରେ ପ୍ରଦର୍ଶିତ କରିବା ସହ ଓଡ଼ିଆ ଅସ୍ମିତାର ବୈଜୟନ୍ତୀ ଉତ୍ତୋଳନ କରିବ । ଚଳିତ ବର୍ଷ ‘ଓଡ଼ିଶା ପର୍ବ’ର ୭ମ ସଂସ୍କରଣ ପୁଣିଥରେ ଦିଲ୍ଲୀ-ଏନ୍‌ସିଆର୍‌ସ୍ଥିତ ଓଡ଼ିଆ ଏବଂ ଅଣଓଡ଼ିଆଙ୍କ ମନ ଜିଣିବ ବୋଲି ଆଶା କରାଯାଉଛି ।
ଏ ସମ୍ପର୍କରେ ଓଡିଆ ସମାଜ, ନୂଆଦିଲ୍ଲୀର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ କହିଛନ୍ତି ଯେ, “ଓଡ଼ିଶା ପର୍ବକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହୋଇଛି । ଏହାକୁ ସଫଳ କରିବା ପାଇଁ ଦିଲ୍ଲୀରେ ଥିବା ସମସ୍ତ ପ୍ରବାସୀ ଓଡ଼ିଆ ସଂଗଠନମାନେ ଅଣ୍ଟା ଭିଡ଼ିଛନ୍ତି । 

ଏହି ସାଂସ୍କୃତିକ ମହାକୁମ୍ଭର ପରିକଳ୍ପନା କରିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଦିଲ୍ଲୀ ଦରବାରରେ ପ୍ରଦର୍ଶନ କରି ଓଡ଼ିଆ ଅସ୍ମିତାକୁ ବିଶ୍ୱସ୍ତରରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ଥିଲା। ୬ ବର୍ଷ ସଫଳ ଆୟୋଜନ ପରେ ଏହି ମହୋତ୍ସବ ଏବେ ୭ମ ବର୍ଷରେ ପଦାର୍ପଣ କରିଛି । ଏହାକୁ ଅଧିକ ସ୍ମରଣୀୟ କରିବାକୁ ଆମେ ଶତତ ପ୍ରୟାସରତ । ଐତିହାସିକ ଇଣ୍ଡିଆ ଗେଟ୍‌ରେ ଆମକୁ ‘ଓଡ଼ିଶା ପର୍ବ’ର ପ୍ରଥମ ଏବଂ ଦ୍ୱିତୀୟ ସଂସ୍କରଣ ଯଥାକ୍ରମେ ୨୦୧୭ ଏବଂ ୨୦୧୮ରେ ଆୟୋଜନ କରିବାର ସୁଯୋଗ ମିଳିବା ‘ଓଡ଼ିଆ ସମାଜ’ ଓ ଓଡ଼ିଶା ପାଇଁ ସମ୍ମାନର ବଷିୟ ଥିଲା । ଯେଉଁଠି ସମ୍ପ୍ରତି କୌଣସି ପ୍ରକାର କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ନାହିଁ ।”

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ମହୋତ୍ସବରେ ହେବାକୁ ଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ଓଡ଼ିଆ ସମାଜର ଟ୍ରଷ୍ଟି ଶ୍ରୀ ହିରଣ୍ୟ ମହାନ୍ତ କହିଛନ୍ତି ଯେ, ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ବୟସ ବର୍ଗଙ୍କୁ ଆକୃଷ୍ଟ କରିବ । ମହୋତ୍ସବର ବିଶେଷ ଆକର୍ଷଣ ଭାବେ ‘ପିଙ୍କ୍‌ଉଡ୍‌କ୍ରିଏସନ ଏବଂ ପେସ୍ ଫାଉଣ୍ଡେସନ’ ଦ୍ୱାରା ସଂକଳ୍ପିତ ଐତିହାସିକ ଶିଶୁନାଟକ ‘ବିପ୍ଳବୀ ବାଜିଆ’ ରହିବ ।

ଓଡ଼ିଶୀ ନୃତ୍ୟ ଠାରୁ ଆରମ୍ଭ କରି ଓଡ଼ିଶାର ବିବିଧ ଲୋକନୃତ୍ୟ ତଥା ଜନଜାତି ନୃତ୍ୟ ସହିତ ଲୋକପ୍ରିୟ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା, ସ୍ୱୟଂ ପାଢ଼ୀ ଓ ଦିପ୍ତୀରେଖା ପାଢ଼ୀଙ୍କ ମନଛୁଆଁ ସଙ୍ଗୀତ ଦର୍ଶକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ।

ଓଡ଼ିଶା ପର୍ବର ୪୫ ଟି ଖାଦ୍ୟ ଷ୍ଟଲରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପାରମ୍ପରିକ ପିଠା-ମିଠା ବ୍ୟତୀତ ଦହିବରା-ଆଳୁଦମ୍‌, ମୁଢି-ମାଂସ, ଆମିଷ ଓ ନିରାମିଷ ଥାଳିର ମଜା ନେଇପାରିବେ ଦିଲ୍ଲୀବାସୀ । ସେହିପରି ୨୫ଟି ହସ୍ତତନ୍ତ, ହସ୍ତକଳାର ଷ୍ଟଲରେ ଓଡ଼ିଶାର ବୁଣାକାରଙ୍କ କଳାକୃତିର ପ୍ରଦର୍ଶନ ଦେଖିବାକୁ ମିଳିବ ।

ଓଡ଼ିଆ ସମାଜର ଅନ୍ୟତମ ଟ୍ରଷ୍ଟି ଶ୍ରୀ ପ୍ରକାଶ ସାହୁ ଜଣାଇଛନ୍ତି ଯେ- ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ପ୍ରତିଟି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଓଡିଆ ସଂସ୍କୃତି ଓ ଐତିହ୍ୟକୁ ଆଗାମୀ ପିଢ଼ିଙ୍କ ନିକଟରେ ପହଞ୍ଚାଇବାର ଏକ ସର୍ବୋତ୍ତମ ମାଧ୍ୟମ ପାଲଟିଛି । ଡିଜିଟାଲ ମିଡିଆ ବ୍ୟବହାର କରି ଓଡ଼ିଶାର କଳା,ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟ ପ୍ରଚାର କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରମାନଙ୍କୁ ନେଇ ଆମେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନକରିଛୁ ।
 

Sponsored
president murmu to inagurate odisha parba on november 22 | Argus News