ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର/ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର । ଜନତା ମୈଦାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲକ୍ଷଧିକ ମହିଳାଙ୍କୁ ସାମିଲ କରିବାକୁ ବିଜେପି ଚଳାଇଛି ବ୍ୟାପକ ପ୍ରସ୍ତୁତି । ପ୍ରତି ନିର୍ବାଚନ ମଣ୍ଡଳୀରୁ ଆସିବେ ମହିଳା । ପ୍ରତି ବ୍ଲକରେ ମଧ୍ୟ ୫ ହଜାର ମହିଳାଙ୍କୁ ନେଇ ହେବ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ବ୍ଲକ କାର୍ଯ୍ୟକ୍ରମରେ ଏଲଇଡି ମାଧ୍ୟମରେ ପ୍ରଦର୍ଶିତ କରାଯିବାର ବ୍ୟବସ୍ଥା ହେବ । ଯାହାକୁ ନେଇ ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ ବୈଠକ । ଯେଉଁଥିରେ ରାଜ୍ୟ ପ୍ରଭାରୀ, ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ମାନେ ଉପସ୍ଥିତ ଥିଲେ । ଏଥିରେ ସଦସ୍ୟତା ଅଭିଯାନକୁ ସକ୍ରିୟ କରିବା ସହ ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମକୁ ସଫଳ କରିବା ନେଇ ଆଲୋଚନା ହୋଇଥିଲା ।
ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କରାଯାଉଛି କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ପ୍ରଧାନମନ୍ତ୍ରୀ ଓ ଭିଆଇପିଙ୍କ ସୁରକ୍ଷା ପାଇଁ ପୋଲିସ କମିଶନରେଟ ପକ୍ଷରୁ ହୋଇଛି ସ୍ଵତନ୍ତ୍ର ବୈଠକ । ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡାକଡି କରାଯିବ ତାହାକୁ ନେଇ ଆଲୋଚନା କରାଯିବା ସହ ପ୍ରସ୍ତୁତ କରାଯାଇଛି ରୋଡ ମ୍ୟାପ । ଏୟାରପୋର୍ଟ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ବ୍ୟାରିକେଟ କରାଯିବ । ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ସହ ଲାଗୁ ହେବ ଟ୍ରାଫିକ୍ କଟକଣା । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜନତା ମଇଦାନରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ, ପୋଲିସ କମିଶନର ଏବଂ ଭୁବନେଶ୍ଵର ଡିସିପି । ଡଗ ସ୍କ୍ଵାର୍ଡ ଏବଂ ବମ୍ ସ୍କ୍ଵାର୍ଡ ମଧ୍ୟ ଆଜି ସଭାସ୍ଥଳ ଯାଞ୍ଚ କରିଛନ୍ତି । ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ୩ ଟି ବଡ଼ ବଡ ଷ୍ଟେଜ କରଯାଇଛି । ଜନତା ମଇଦାନର ପ୍ରବେଶ ଏବଂ ପ୍ରସ୍ଥାନ ଗେଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଉଚ୍ଚତମ ଅଟ୍ଟାଳିକାରେ ବନ୍ଧୁକଧାରୀ ପୋଲିସ ବାହିନୀ ମୁତୟନ ରହିବେ । ୬ରୁ ଅଧିକ ପୋଲିସ ଆଉଟ୍ ପୋଷ୍ଟ ହୋଇଛି ।
ସେହିପରି ବିଜେପି ସରକାରର ୧୦୦ ଦିନ ପୂର୍ତ୍ତିକୁ ବି ଭବ୍ୟ ଭାବେ ପାଳନ କରାଯିବ । ରାଜ୍ୟ ସ୍ତରରେ ଏକ ବଡ ସଭା ସହ ସମସ୍ତ ଜିଲ୍ଲାରେ ବି ଆୟୋଜନ ହେବ କାର୍ଯ୍ୟକ୍ରମ । ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ବିଧାୟକ ମାନେ ଉପସ୍ଥିତ ରହିବେ । ଆଜି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ସେହିପରି ପ୍ରତି ନିର୍ବାଚନ ମଣ୍ଡଳୀରେ ଲକ୍ଷେ ସଦସ୍ୟ ଏବଂ ପ୍ରତି ବୁଥରେ ୩ ଜଣ ସକ୍ରିୟ ସଦସ୍ୟ କରିବାକୁ ବି ଟାସ୍କ ଦିଆଯାଇଛି ।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର
