୨୦ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା । ରାଜ୍ୟରେ ସରକାର ଗଠନ ଲକ୍ଷ୍ୟରେ ଏଥର ଆରପାର୍ ଲଢେଇ । ଜଣେ ଜଣେ କେନ୍ଦ୍ରୀୟ ତୁଙ୍ଗନେତା ଓଡ଼ିଶା ଗସ୍ତରେ ଆସି ନେତା ଓ କର୍ମୀଙ୍କୁ ଜୋଶ୍ ବଢ଼ାଉଥିବାବେଳେ ବିଜୟ ମନ୍ତ୍ର ଦେବାକୁ ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାରେ 24 ମହାଲଢେଇରେ ପ୍ରଧାନମନ୍ତ୍ରୀଙ୍କ ଏଣ୍ଟ୍ରି, ରାଜ୍ୟରେ କ୍ଷମତା ପରିବର୍ତ୍ତନର ମୁଳଦୂଆ ପକାଇଥିବା ଚର୍ଚ୍ଚା ଲାଗି ରହିଛି । ଏପଟେ ପୁଣି ଆସନ୍ତା 20 ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ପୁରୀରେ ବିଶାଳ ରୋଡ ଶୋ କରିବା ସହ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ମୋଦି । ଶନିବାର ରାଜ୍ୟରେ ସ୍ଥାଣୁ ପାଲଟିଥିବା ଶାସନ ବ୍ୟବସ୍ଥା ଉପରେ ଜୋରଦାର ଆଟାକ୍ କରି ଓଡ଼ିଶାର ଦୁର୍ଗତି, ଓଡ଼ିଶାବାସୀଙ୍କ ଦୁଃସ୍ଥିତି ପାଇଁ ବିଜେଡି ସରକାର ଓ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ ମୋଦି ।
ସେହିପରି ଆସନ୍ତା 15 ତାରଖରେ ରାଉରକେଲା, ସୋରଡ଼ା ଓ କଣ୍ଟାବାଞ୍ଜିରେ ନିର୍ବାଚନ ପ୍ରଚାର କରିବାକୁ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା 17 ତାରିଖରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ହିଞ୍ଜଳି, ସୁନ୍ଦରଗଡ଼ ଓ ପଦ୍ମପୁରରେ ନିର୍ବାଚନ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଜନତାଙ୍କ ଆଶୀର୍ବାଦ ଲୋଡ଼ିବେ ନଡ୍ଡା । ମୋଦି, ଶାହ ଓ ନଡ୍ଡାଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ।
ଓଡ଼ିଶାରେ ସରକାର କରିବାକୁ ଲକ୍ଷ୍ୟ ସ୍ଥିର କରିସାରିଛି ବିଜେପି । ଇସ୍ତାହାରରେ 21 ସଂକଳ୍ପ ସାମିଲ କରି ରାଜ୍ୟ ବିକାଶର ରୋଡମ୍ୟାପ୍ ରାଜ୍ୟବାସୀଙ୍କ ଆଗରେ ରଖିସାରିଛି ଦଳ । ରାଜ୍ୟରେ 25 ବର୍ଷର ସରକାର ପରିବର୍ତ୍ତନର ଆହ୍ବାନ ଶୁଣାଇ ବିଜେଡି ଶିବିରରେ ଛନକା ଭରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି । ଏବେ ପୁଣି ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଥିବା ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ପହଞ୍ଚିବାକୁ ଯାଉଛନ୍ତି ବିଜେପି ତୁଙ୍ଗ ନେତା । 2019 ନିର୍ବାଚନରେ 34 % ଭୋଟ୍ ହାସଲ କରି ରାଜ୍ୟରେ ବିରୋଧୀ ଦଳ ବନିଥିଲା ବିଜେପି । 24 ନିର୍ବାଚନରେ ରାଜ୍ୟରେ ଏକାକୀ ସରକାର ଗଠନ କରିବାର ଲକ୍ଷ୍ୟ ନେଇ ଆରପାର୍ ଲଢେଇ ଜାରି ରଖିଛି ବିଜେପି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଦେଶ ଖବର: