ମହାକୁମ୍ଭରେ ବୁଡ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମନ୍ତ୍ରୋଚ୍ଚାରଣରେ ଗୁଞ୍ଜରିତ ଗଙ୍ଗା ଘାଟ। ଅଦ୍ଭୁତ, ଆଲୌକିକ ଆଭା ଅନୁପମ ଦୃଶ୍ୟ। ତୀର୍ଥ ରାଜ ପ୍ରୟାଗର ଧରା ଆଉ ପତିତପାବନୀର ଅବିରଳ ଧାରା। ସଙ୍ଗମ ତୀର୍ଥରେ ତ୍ରିବେଣୀ ଜଳରେ ଛିଡ଼ା ହୋଇଥିବା ପିଏମ୍ ମୋଦି । କେତେବେଳେ ଧ୍ୟାନ କରୁଥିବାର ତ କେତେବେଳେ ମନ୍ତ୍ରୋପସନା କରୁଥିବାର ତ ଆଉ କେତେବେଳେ ଆଙ୍ଗୁଳିରେ ରୁଦ୍ରାକ୍ଷ ଜପ କରୁଥିବାର। ମହାକୁମ୍ଭର ମହାତୀର୍ଥରେ ତ୍ରିବେଣୀରେ ପ୍ରଧାନମନ୍ତ୍ରୀଙ୍କ ବୁଡ଼ର ଏ ବିରଳ ମୁହୂର୍ତ୍ତ ଦେଲା ଅଦ୍ଭୁତ, ଅଦ୍ବିତୀୟ ଅନୁଭବ ।
ପ୍ରଧାନମନ୍ତ୍ରୀ ଯେତେବେଳେ ପ୍ରୟାଗରାଜରେ ବୁଡ଼ ପକାଉଥିଲେ ସେତେବେଳେ ସଙ୍ଗମରେ ଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସ୍ନାନ, ଦାନ ଭଜନ, ପୂଜନ ଛଡ଼ା ମୋଦିଙ୍କ ଗୋଟିଏ ଝଲକର ଅପେକ୍ଷା ଥିଲା। ସଙ୍ଗମ ଧାରାରେ ପହଁରୁଥିବା ଏ ପକ୍ଷୀ ଏବଂ ତ୍ରିବେଣୀର ଧାରାରେ ଭାସୁଥିବା ଛୋଟ ଛୋଟ ନୌକା ପିଏମ୍ ମୋଦିଙ୍କ ସଙ୍ଗମ ଯାତ୍ରା ସମୟର ତୀର୍ଥ ଯାତ୍ରାର ଅଭୁଲା ସାକ୍ଷୀ ପାଲଟିଲେ ।
ସ୍ନାନ ପରେ ମା ଗଙ୍ଗାଙ୍କ ଉପାସନା କରିବାକୁ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ଏଥର ମୋଦି ନୂଆ କପଡା ପରିଧାନରେ ଥିଲେ । କଳା କୁର୍ତ୍ତା ଓ ଜ୍ୟାକେଟ୍ ସହ ମୁଣ୍ଡରେ ଟୋପି ବି ପିନ୍ଧିଥିଲେ । ବେକରେ ଗେରୁଆ ଗାମୁଛା ପକାଇ ମା ଗଙ୍ଗାଙ୍କ ପୂଜା କରିବାକୁ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ।
📱 Get Argus News App
✨
ବୈଦିକ ମନ୍ତ୍ରୋଚ୍ଚାରଣ ଭିତରେ ପିଏମ୍ ମୋଦି ମା ଗଙ୍ଗାଙ୍କ ଧାରାର ଅର୍ଚ୍ଚନା କଲେ। ପତିତପାବନୀଙ୍କ ଧାରାରେ ଅକ୍ଷତ, ପୁଷ୍ପ, ନୈବେଦ୍ୟ ଅର୍ପଣ କରିବାଠାରୁ ନେଇ ମା ଗଙ୍ଗାଙ୍କର ଦୁଗ୍ଧାଭିଷେକ କଲେ । ମନ୍ତ୍ରୋଚ୍ଚାରଣରେ ଗୁଞ୍ଜରିତ ହେଉଥିଲା ପୁରା ଗଙ୍ଗା ଘାଟ।
ତା ପରେ ମା ଗଙ୍ଗାଙ୍କର ଅଭିଷେକ କଲେ ପ୍ରଧାନମନ୍ତ୍ରୀ । ପବିତ୍ର ଧାରାକୁ ନୂତନ ବସ୍ତ୍ର ଅର୍ପଣ କଲେ। ମା ଗଙ୍ଗାଙ୍କ ଆରତି ବି କଲେ। ଚରାଚର ଜଗତର ମଙ୍ଗଳ କାମନା କରିବା ସହ ପୂଜା ସମ୍ପନ୍ନ କରି ପିଏମ୍ ମୋଦି ପୁଣି ଥରେ ସେହି ନୌକାରେ ବସିଲେ ଯାହା ମାଧ୍ୟମରେ ସେ ସଙ୍ଗମ ତଟରେ ପହଞ୍ଚିଥିଲେ। ସ୍ନାନ, ଦାନ, ପୂଜାର୍ଚ୍ଚନା ପରେ ପୁଣି ସେହି ଛୋଟ ନୌକାରେ ଅରେଲ୍ ଘାଟକୁ ଆସିଲେ ଯେଉଁଥିରେ ସେ ଯାଇଥିଲେ । ଅରେଲ୍ ଘାଟ ଆଖପାଖରେ 100ରୁ 200 ମିଟର ଦୂରତାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ପିଏମ୍ ମୋଦିଙ୍କର ଗୋଟିଏ ଝଲକ ପାଇଁ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କୁ ନିରାଶ କଲେନାହିଁ। ନୌକାରୁ ଓହ୍ଲାଇବା ପରେ କାରରେ ବସିବା ବଦଳରେ ପ୍ରଧାନମନ୍ତ୍ରୀ କିଛି ଦୂର ଆଗକୁ ଗଲେ ଏବଂ ସେଠାରେ ଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଲେ।
ଏହି ସମୟରେ ସିଏମ୍ ଯୋଗୀ ବି ତାଙ୍କ ସହ ଥିଲେ। ପୁଣି ଉଭୟ ଗୋଟିଏ କାରରେ ସେଠାରୁ ବାହାରିଲେ। ପିଏମ୍ ମୋଦି ଅରେଲ୍ ଘାଟ ପହଞ୍ଚିବା ବେଳେ ବି ତାଙ୍କ ସହ କିଛି ବଡ଼ ପାଟ ପଟୁଆର ନ ଥିଲା। ସୁରକ୍ଷା କର୍ମୀଙ୍କ ଛଡ଼ା କେବଳ ସିଏମ୍ ଯୋଗୀ ହିଁ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ। ଆଉ ପ୍ରଧାନମନ୍ତ୍ରୀ ଫେରିବା ବେଳେ ବି କୌଣସି ସାଧୁ ସନ୍ଥ ସନ୍ୟାସୀ ବା ଅନ୍ୟ କେହି ଲୋକେ ସେଠାରେ ନଥିଲେ ।