Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିକଶିତ ଭାରତ ବିକଶିତ ଜାମ୍ମୁ କାଶ୍ମୀର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·2 min read
ବିକଶିତ ଭାରତ ବିକଶିତ ଜାମ୍ମୁ କାଶ୍ମୀର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ବର୍ଷ କେଇଟା ତଳେ ଯେଉଁ ଘାଟିରେ ଥିଲା ଆତଙ୍କବାଦର ରାଜୁତି, ଆଜି ସେହି ଜମ୍ମୁ-କାଶ୍ମୀରରେ ବିକାଶର ସାମ୍ରାଜ୍ୟ। ମୋଦି ସରକାରଙ୍କ ଦୃଢ଼ ଇଚ୍ଛା ଶକ୍ତି ଓ ଉଦ୍ୟମ ବଳରେ ଜମ୍ମୁ କାଶ୍ମୀରରେ ଲେଖାଯାଉଛି ନୂଆ ଇତିହାସ। ବିକାଶର ଏ ଧାରାକୁ ଆଗକୁ ବଢ଼ାଇବା ପାଇଁ ଆଜି ବିକଶିତ ଭାରତ, ବିକଶିତ ଜମ୍ମୁ କାଶ୍ମୀର କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାମ୍ମୁ କାଶ୍ମୀରରେ 32 ହଜାର କୋଟି ମୂଲ୍ୟର 220ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଜନ ସମାବେଶକୁ ସମ୍ବୋଧନ କରି କହିଛନ୍ତି ବିକାଶ ପଥରେ ଆଗଉଛି ଜମ୍ମୁ କାଶ୍ମୀର। 70 ବର୍ଷ ଧରି ଘାଟିର ଲୋକେ ଦେଖିଥିବା ସ୍ବପ୍ନ ପୂରଣ ହେବ। ଏହା ମୋଦି ଗ୍ୟାରେଣ୍ଟି। 

ଜାମ୍ମୁ କାଶ୍ମୀରକୁ ମିଳିଥିବା ମୋଦିଙ୍କ ଉପହାର ମଧ୍ୟରେ ରହିଛି ଜାମ୍ମୁ ଏମ୍‌ସ ସହ 3ଟି IIM । ଏଥିସହ ବାନୀହାଲ–ଖାରୀ-ସମ୍ବର-ସଙ୍ଗଲଦନ ସେକ୍ସନର ନୂଆ ରେଳ ଲାଇନର ଲୋକାର୍ପଣ ଏବଂ ଏହି ସେକ୍ସନ ଅଧୀନରେ ଆସୁଥିବା ସଂଗଲଦାନ-ବାରାମୁଲା ଷ୍ଟେସନ୍ ମଧ୍ୟରେ ଜମ୍ମୁ କାଶ୍ମୀରର ପ୍ରଥମ ଇଲେକ୍ଟ୍ରିକ୍ ରେଳ ଚଳାଚଳର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଉପକୃତ ହିତାଧିକାରୀଙ୍କ ସିଧାସଳଖ ସହ କଥା ହୋଇଛନ୍ତି ପିଏମ ମୋଦି। 
ଜମ୍ମୁରୁ ଦେଶର 83ଟି ସ୍ଥାନକୁ 13 ହଜାର କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ 10ଟି ଆଇଆଇଟି, 3ଟି ଆଇଆଇଏମ୍, 12ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, 25ଟି କେନ୍ଦ୍ରୀୟ ବିଦ୍ୟାଳୟ, 13ଟି ନବୋଦୟ ବିଦ୍ୟାଳୟ, 2ଟି କୌଶଳ ବିଦ୍ୟାଳୟର ଉଦଘାଟନ ଶିଳ୍ୟାନ୍ୟାସ ଓ ଲୋକାର୍ପଣ କରିଛନ୍ତି ପିଏମ୍ ମୋଦି। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରରୁ ଭିଡିଓ କନଫରେନ୍ସିଂ ଯୋଗେ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ଗୋଶାଲାସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ 4କୋଟି50 ଲକ୍ଷ ଅଟକଳରେ  ଅତ୍ୟାଧୁନିକ ସଭାଗୃହ ପାଇଁ ଶିଳାନ୍ୟାସ ହୋଇଛି। 

ଓଡ଼ିଶାକୁ ମିଳିଥିବା ଅନ୍ୟ ପ୍ରକଳ୍ପ ମଧ୍ୟରେ ରହିଛି ପ୍ରାୟ 1583 କୋଟି ବ୍ୟୟରେ ବ୍ରହ୍ମପୁରରେ ନିର୍ମିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଏଣ୍ଡ ରିସର୍ଚ୍ଚ ବା ଆଇଜରର ସ୍ଥାୟୀ କ୍ୟାମ୍ପସ। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ସେହିପରି କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ 129 କୋଟି ଟଙ୍କା ମୂଲ୍ୟର ପ୍ରଶାସନିକ ଭବନ ସହ ଅନ୍ୟ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ସେହିପରି ପ୍ରାୟ 16 କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠାର ମଧ୍ୟ ଲୋକାର୍ପଣ ହୋଇଛି। 2019 ମସିହାରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Prime Minister on Developed | Argus News