ଉତ୍ତରପ୍ରଦେଶ ପ୍ରୟାଗରାଜ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆଜି ଉତ୍ତରପ୍ରଦେଶ ପ୍ରୟାଗରାଜ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ମହାକୁମ୍ଭ ମେଳା ୨୦୨୫ ପାଇଁ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ । ଏଥିସହ ପ୍ରୟାଗରାଜରେ 5,500 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ପ୍ରୟାଗରାଜରେ ପହଞ୍ଚି ପ୍ରଥମେ ସଂଗମ ଓ ଅକ୍ଷୟ ବଟ ବୃକ୍ଷରେ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ । ପରେ ହନୁମାନ ମନ୍ଦିର ଓ ସରସ୍ବତୀ କୁପରେ ମଧ୍ୟ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ରହିଛି । ଏହାପରେ ମହାକୁମ୍ଭ ପ୍ରଦର୍ଶନୀସ୍ଥଳ ପରିଦର୍ଶନ କରିବେ ପିଏମ୍ । ପ୍ରୟାଗରାଜରେ ମୋଦି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦଘାଟନ ଓ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।
ପ୍ରୟାଗରାଜରେ ଭିତ୍ତିଭୂମି ସୁବିଧା ଉନ୍ନତୀକରଣ ଏବଂ ନିରବଚ୍ଛିନ୍ନ ଯାତାୟାତକୁ ସୁଗମ କରିବା ପାଇଁ ଏସବୁ ପ୍ରକଳ୍ପ ଉଦ୍ଦିଷ୍ଟ । ଏସବୁ ପ୍ରକଳ୍ପ ମଧ୍ୟରେ ରହିଛି ୧୦ଟି ନୂଆ ଫ୍ଲାଏଓଭର୍, ସ୍ଥାୟୀ ଘାଟ ଏବଂ ରିଭରଫ୍ରଣ୍ଟ ରାସ୍ତା ଭଳି ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପ । ସ୍ବଚ୍ଛ ଏବଂ ନିର୍ମଳ ଗଙ୍ଗା ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀକୁ ଯାଉଥିବା କ୍ଷୁଦ୍ର ଡ୍ରେନ୍ ଗୁଡ଼ିକର ପ୍ରତିରୋଧକ, ଟ୍ୟାପ୍, ଡାଇଭର୍ଟ ଏବଂ ବିଶୋଧନ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ। ଏହା ଦ୍ବାରା ଗଙ୍ଗା ନଦୀକୁ ବିଶୋଧିତ ହୋଇନଥିବା ଜଳ ପ୍ରବେଶ କରିପାରିବ ନାହିଁ । ସେ ମଧ୍ୟ ପାନୀୟ ଜଳ ଓ ବିଜୁଳି ସମ୍ବନ୍ଧୀୟ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ କେତେକ ପ୍ରମୁଖ ମନ୍ଦିର କରିଡରକୁ ଉଦଘାଟନ କରିବେ ।
ଅଧିକ ପଢ଼ନ୍ତୁ: କୁମ୍ଭ ସହାୟକ `ଚାଟବଟ୍'ର ଲଞ୍ଚ କରିବେ ମୋଦି
ସେଗୁଡ଼ିକ ହେଲା ଭରଦ୍ବାଜ ଆଶ୍ରମ କରିଡର୍, ଶୃଙ୍ଗବେରପୁର ଧାମ କରିଡର୍, ଅକ୍ଷୟବଟ କରିଡର୍, ହନୁମାନ ମନ୍ଦିର କରିଡର୍ ଇତ୍ୟାଦି । ଏହି ପ୍ରକଳ୍ପ ଗୁଡ଼ିକ ଭକ୍ତଙ୍କ ଯାତାୟାତକୁ ସୁଗମ କରାଇବା ସହ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ । ପ୍ରଧାନମନ୍ତ୍ରୀ ଏହି ଅବସରରେ କୁମ୍ଭ `ସହାୟକ' (Sah’AI’yak) ଚାଟବଟ୍ ର ଶୁଭାରମ୍ଭ କରିବେ । ଏହି ଚାଟବଟ୍ ମହାକୁମ୍ଭ ମେଳା ୨୦୨୫ ସମ୍ପର୍କରେ ଭକ୍ତମାନଙ୍କୁ ସହାୟତା କରିବା ସହ ଏବଂ କାର୍ଯ୍ୟସୂଚୀ ସମ୍ପର୍କରେ ସଦ୍ୟତମ ସୂଚନା ପ୍ରଦାନ କରିବ ।