ଆଜି ବାରାଣସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆଜି ବାରାଣସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ସେଠାରେ ପ୍ରଧାନମନ୍ତ୍ରୀ ୬୧୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିମାନବନ୍ଦର ପ୍ରକଳ୍ପ ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାସହିତ ପ୍ରଧାନମନ୍ତ୍ରୀ ଆର୍ ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟନ କରିବେ।
ଦିନ ୨ଟା ସମୟରେ ସେ ଆର୍ ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଉଦଘାଟନ କରିବେ। ଏହା ପରେ ପ୍ରାୟ ୪:୧୫ରେ ସେ ବାରାଣସୀରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସମାବେଶକୁ ସମ୍ବୋଧିତ କରିବେ । ଯୋଗାଯୋଗ ସୁବିଧା ବୃଦ୍ଧି କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ପ୍ରାୟ ୨୮୭୦ କୋଟି ଟଙ୍କାର ବ୍ୟୟ ଅଟକଳରେ ବାରାଣସୀରୀ ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେ ସମ୍ପ୍ରସାରଣ, ଏକ ନୂତନ ଟର୍ମିନାଲ ଭବନ ନିର୍ମାଣ ଏବଂ ଅନ୍ୟାନ୍ୟ ବିକାଶ କାର୍ଯ୍ୟର ଶିଳାନ୍ୟାସ କରିବେ। ଏହାଛଡା ସେ ପ୍ରାୟ ୫୭୦ କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳରେ ଆଗ୍ରା ବିମାନବନ୍ଦର, ୯୧୦ କୋଟି ଟଙ୍କାର ବ୍ୟୟରେ ଦରଭଙ୍ଗା ବିମାନବନ୍ଦର ଏବଂ ୧୫୫୦ କୋଟି ଟଙ୍କ ବ୍ୟୟରେ ବାଗଡୋଗରା ବିମାନବନ୍ଦରରେ ନିର୍ମିତ ହେବାକୁ ଥିବା ନୂତନ ସିଭିଲ୍ ଏନକ୍ଲେଭ୍ର ଶିଳାନ୍ୟାସ କରିବେ। ସେହିପରି କ୍ରୀଡା ପାଇଁ ଉନ୍ନତମାନର ଭିତ୍ତିଭୂମି ଯୋଗାଇବାକୁ ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ଯୋଜନା ଏବଂ ସ୍ମାର୍ଟ ସିଟି ମିଶନ ଅଧୀନରେ ୨୧୦ କୋଟିରୁ ଅଧିକ ମୂଲ୍ୟରେ ନିର୍ମିତ ବାରାଣସୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସର ପୁନର୍ବିକାଶର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟର ଉଦ୍ଘାଟନ କରିବେ।
