ଝିଅ ଠାରୁ ପ୍ରେରଣା ପାଇ ବାପା ପାଇଲେ ସଫଳତା

ଝିଅ ଠାରୁ ପ୍ରେରଣା ପାଇଁ ଆଗକୁ ବଢିଲେ ବାପା। ବିଦେଶରେ ପାଇଲେ ସଫଳତା। ମାଲଦ୍ବୀପରେ ୭୫ତମ ମାଇଲଖୁଣ୍ଟ ସ୍ଥାପନ କରିବାକୁ ୧୦୦ ଫୁଟ ଗଭୀରକୁ ଯାଇ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ।
ଦୁବାଇରେ ରହୁଥିବା ଓଡ଼ିଆ ସ୍କୁବା ଡାଇଭର୍ ପ୍ରିୟଦର୍ଶୀ ପାଣିଗ୍ରାହୀ ୨୨ ମାର୍ଚ୍ଚ ୨୦୨୫ ରେ ମାଲଦୀପର ଗୁରାଇଧୂ ଦ୍ୱୀପ ନିକଟରେ ଥିବା "ମାଡୁ ଫାରୁ-ଗୁରାଇଧୂ କୋର୍ଣ୍ଣର ଡାଇଭ୍ ସାଇଟ୍"ରେ ନିଜର ୭୫ତମ ସ୍କୁବା ଡାଇଭ୍ ସମାପ୍ତ କରି ନିଜ ସ୍କୁବା ଡାଇଭ୍ ଜୀବନରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡିଛନ୍ତି। ସେ ଏପର୍ଯ୍ୟନ୍ତ ସ୍କୁବା ଡାଇଭିଂ କରି ମୋଟ ୫୨ ଘଣ୍ଟାରୁ ଅଧିକ ସମୟ ଜଳ ଅଧିନରେ ବିତାଇଛନ୍ତି ପ୍ରିୟଦର୍ଶୀ।
📱 Get Argus News App
✨ଏହି ଅବସରରେ ସେ କହିଛନ୍ତି, ସ୍କୁବା ଡାଇଭିଂ ମୋ ପାଇଁ ସବୁଠୁ ବଡ଼ ଯାତ୍ରା। ପ୍ରତିଟି ଡାଇଭ୍ ମୋତେ ଦେଇଥାଏ ନୂଆନୂଆ ଅନୁଭୂତି ଓ ଅଭିଜ୍ଞତା। ତେବେ ମାଲଦ୍ୱୀପରେ ମିଳିଥିବା ଉପଲବ୍ଧି ସବୁଠାରୁ ବିଶେଷ ଉପଲବ୍ଧି ବୋଲି ସେ ପ୍ରକାଶ କରିଛନ୍ତି।
ତେବେ ଏହି ସଫଳତାର ସମସ୍ତ ଶ୍ରେୟ ସେ ନିଜ ଝିଅ ଟିସ୍ୟାଙ୍କୁ ଦେଇଛନ୍ତି। ତାଙ୍କ ଝିଅ ଯେଭଳି କମ୍ ବୟସରେ ନିଜ କଠିନ ପରିଶ୍ରମ ବଳରେ ରେକର୍ଡ କରିଛନ୍ତି, ତାକୁ ଦେଖି ସେ ଉତ୍ସାହିତ ହୋଇ ଏଭଳି ଚ୍ୟାଲେଞ୍ଜ ଗ୍ରହଣ କରିଥିବା କହିଛନ୍ତି। ସମ୍ବଲପୁରରେ ଜନ୍ମ ହୋଇଥିବା ପ୍ରସିଦ୍ଧ ଏବଂ ଯୁବ ସ୍କୁବା ଡାଇଭର୍ ଟିସ୍ୟା ପାଣିଗ୍ରାହୀଙ୍କ ବାପା ହେଉଛନ୍ତି ପ୍ରିୟଦର୍ଶୀ ପାଣିଗ୍ରାହୀ । ତାଙ୍କ ଝିଅ ଟିସ୍ୟା, ଏବେ ୧୪ ବର୍ଷର । ୨୦୨୦ ରେ ୧୦ ବର୍ଷ ବୟସରେ ଓଡିଶାର ସବୁଠୁ କମ୍ ବୟସ୍କ ସ୍କୁବା ଡାଇଭର୍ ହୋଇ ସେ ଇତିହାସ ରଚିଥିଲେ।
ମାଲଦ୍ୱୀପରେ ସ୍କୁବା ଡାଇଭର୍ ପ୍ରିୟଦର୍ଶୀ ପାଣିଗ୍ରାହୀଙ୍କର ଡାଇଭିଂ ପ୍ରଶିକ୍ଷକ ଥିଲେ ନେୟା ନିଆଫ୍ । ସେ ଏହାକୁ ନେଇ କହିଛନ୍ତି " ପାଣିଗ୍ରାହୀଙ୍କ ସହ କାର୍ଯ୍ୟ କରି ଏକ ନୂଆ ଅନଭୁତି ମିଳିଛି। ପ୍ରଖର ସ୍ରୋତରେ ୧୦୦ ଫୁଟ ଗଭୀରକୁ ଯିବା ଏତେ ସହଜସାଧ୍ୟ ନୁହେଁ।
ସୂଚନାଯୋଗ୍ୟ : ପ୍ରିୟଦର୍ଶୀ ପାଣିଗ୍ରାହୀ ବହୁରାଷ୍ଟ୍ରୀୟ କମ୍ପାନୀର ମିଡିଲ୍ ଇଷ୍ଟ୍ ଏବଂ ଉତ୍ତର ଆଫ୍ରିକା (MENA) ପରିଚାଳନା ମୁଖ୍ୟ ଅଟନ୍ତି। ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ପୁଅ ହେଉଛନ୍ତି ପ୍ରିୟଦର୍ଶୀ। ୨୦୧୨ ମସିହାରେ ୩୭ ବର୍ଷ ବୟସରେ ସେ ସ୍କୁବା ଡାଇଭିଂ ଆରମ୍ଭ କରିଥିଲେ । ଏସିଆ, ଆଫ୍ରିକା ଏବଂ ୟୁରୋପର ୧୨ଟି ଦେଶରେ ଡାଇଭ୍ କରିଛନ୍ତି। ଏପ୍ରିଲ୍ ୨୦୨୩ ରେ, ସେ ମାଲେସିଆରେ ୧୦୦ ଫୁଟ୍ ଡାଇଭ୍ କରି ଆଡଭାନସ୍ ଓପେନ୍ ୱାଟର୍ ସ୍କୁବା ଡାଇଭର ପ୍ରମାଣପତ୍ର ପ୍ରାପ୍ତ କରିଛନ୍ତି। ଏହି ବାପା-ଝିଅ ଯୋଡ଼ି ଏକାଠି ଅନେକ ଅସାଧାରଣ ଡାଇଭିଂ କରିଛନ୍ତି। ଯେଉଁଥିରେ ଅନ୍ତର୍ଭୁକ୍ତ ଅଛି ହର୍କୁଲେସ୍ ସି-୧୩୦ ବିମାନର ଅନୁସନ୍ଧାନ।