ସଂସଦରେ ଅନୁପ୍ରବେଶ ମାମଲାର ଅଭିଯୁକ୍ତଙ୍କ ବିରୋଧରେ UAPA ଅଧୀନରେ ମାମଲା

ନୂଆଦିଲ୍ଲୀ: ସଂସଦ ଭବନରେ ପଶି ହଙ୍ଗାମା କରିବା ପଡ଼ିଲା ମହଙ୍ଗା। ଗିରଫ 5 ଅଭିଯୁକ୍ତଙ୍କ ବିରୋଧରେ UAPA ଅଧୀନରେ ମାମଲା ରୁଜୁ କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏମାନଙ୍କ ବିରୋଧରେ ସଂସଦରେ ଅବୈଧ ଅନୁପ୍ରବେଶ ଏବଂ ଅପରାଧିକ ଷଡ଼ଯନ୍ତ୍ର ଧାରା ଲଗାଇଛି । ଦିଲ୍ଲୀ ପୋଲିସ ଓ ଇଣ୍ଟେଲିଜେନ୍ସ ବ୍ୟୁରୋର ଅଧିକାରୀ 4 ଜଣ ଅଭିଯୁକ୍ତଙ୍କୁ ଲଗାତାର ପଚରାଉଚୁରା କରୁଛନ୍ତି । ଏମାନେ ସମସ୍ତେ ସୋସିଆଲ୍ ମିଡିଆ ପେଜ୍ ଭଗତ ସିଂ ଫ୍ୟାନ୍ କ୍ଲବ ସହ ଜଡ଼ିତ ଥିଲେ। ଆଉ ଜଣେ ଫେରାର୍ ଅଭିଯୁକ୍ତ ଲଳିତ ଝାକୁ ଧରିବାକୁ ଛାନଭିନ୍ କରୁଛନ୍ତି ତଦନ୍ତକାରୀ ଏଜେନ୍ସି । ଏଥିପାଇଁ 6ଟି ସହରରେ ଘନ ଘନ ଚଢ଼ାଉ କରାଯାଉଛି।
ସେପଟେ ଏହି ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି । ବୁଧବାର ସଂସଦ ଭବନରେ ସୁରକ୍ଷା ଦାୟିତ୍ବରେ ଥିବା 8 କର୍ମଚାରୀଙ୍କୁ ସସପେଣ୍ଡ କରିଛି ଲୋକସଭା ସଚିବାଳୟ । ଏଥିସହ ସଂସଦ ଭବନ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ସଂସଦରେ ପ୍ରବେଶ କରୁଥିବା ସମସ୍ତଙ୍କୁ କଡ଼ାକଡ଼ି ଯାଂଚ କରାଯାଇଛି । ଜୋତା ଖୋଲି ସମସ୍ତଙ୍କ ଚେକିଂ କରିଛନ୍ତି ସୁରକ୍ଷାକର୍ମୀ। କେବଳ ମକର ଦ୍ୱାର ଦେଇ ସାଂସଦଙ୍କୁ ପ୍ରବେଶ କରିବାର ଅନୁମତି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ସହ ଏକ ବୈଠକ କରିଛନ୍ତି। ମାମଲାର ତଦନ୍ତ ପାଇଁ କେନ୍ଦ୍ରଗୃହ ମନ୍ତ୍ରାଳୟ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛି।
ସେପଟେ ଏ ଘଟଣା ନେଇ ସଂସଦର ଉଭୟ ଗୃହରେ ହୋଇଛି ଜୋରଦାର ହଙ୍ଗାମା। ବିରୋଧୀ ସଦସ୍ୟମାନେ ଜୋରଦାର ହଟ୍ଟଗୋଳ କରିଛନ୍ତି। ଏଥିପାଇଁ ମୋଟ 15 ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଲୋକସଭାରୁ 14 ଜଣ ସାଂସଦଙ୍କୁ ସସପେଣ୍ଡ କରାଯାଇଥିବାବେଳେ। ରାଜ୍ୟସଭାରେ ଟିଏମସି ସାଂସଦ ଡେରେକ୍ ଓବ୍ରାଏନଙ୍କ ବିରୋଧରେ ବିଶୃଙ୍ଖଳିତ ଆଚରଣ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଓବ୍ରାଏନଙ୍କୁ ପୁରା ଶୀତ ଅଧିବେଶନରୁ ଗୃହରୁ ନିଲମ୍ବିତ କରାଯାଇଥିବାବେଳେ ତାଙ୍କ ବିରୋଧରେ ମାମଲା ସ୍ବାଧିକାର କମିଟିକୁ ପଠାଯାଇଛି । ଏହି ଘଟଣା ନେଇ ବିରୋଧୀ ଲୋକସଭାରେ ହୋ-ହଲ୍ଲା କରୁଥିବା ବେଳେ ବାଚସ୍ପତି ଓମ ବିର୍ଲା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜନାଥ ଏହାକୁ କଡ଼ା ନିନ୍ଦା କରିଥିବା ବେଳେ ଗଣତନ୍ତ୍ରର ମନ୍ଦିରରେ ଏଭଳି ଅରାଜକତାକୁ କେବେବି ବରଦାସ୍ତ କରାଯିବନି ବୋଲି କହିଛନ୍ତି।
ସଂସଦରେ ଅନୁପ୍ରବେଶ କରିଥିବା ଏ ଯୁବକମାନଙ୍କର ପ୍ରକୃତ ଉଦ୍ଦେଶ୍ୟ କଣ ଥିଲା। ସେ ନେଇ କରାଯାଉଛି ଛାନଭିନ୍। ତଦନ୍ତରୁ ଏଯାଏଁ ଯେଉଁ ତଥ୍ୟ ମିଳିଛି ସେଥିରୁ ଫେରାର୍ ଅଭିଯୁକ୍ତ ଲଳିତ ଝା ହିଁ ଘଟଣାର ମାଷ୍ଟରମାଇଣ୍ଡ ବୋଲି ସନ୍ଦେହ କରାଯାଉଛି। ଲଳିତ ଝା ହିଁ ଗୁରୁଗ୍ରାମରେ ନିଜ ଫ୍ଲାଟରେ ସମସ୍ତ ଅଭିଯୁକ୍ତଙ୍କୁ ମିଟିଂ ପାଇଁ ଡକାଇଥିଲା। ଲଳିତ ଝା ହିଁ ନିଜ ମୋବାଇଲରୁ ଭିଡିଓ ସୁଟିଂ କରି ସୋସିଆଲ୍ ମିଡିଆରେ ଅପଲୋଡ୍ କରାଇଥିଲା। ପ୍ରଶ୍ନ ଉଠୁଛି ଏ ଲଳିତ ଝା କିଏ ? ସଂସଦରେ ସ୍ମୋକ୍ କଲର କାନିଷ୍ଟର ହଙ୍ଗାମା ପଛରେ କଣ ଥିଲା ପ୍ଲାନ୍ ? ଅନ୍ୟ କିଛି ଷଡ଼ଯନ୍ତ୍ର କରାଯାଉଥିଲା କି ? ଏତେ ବଡ଼ ଷଡ଼ଯନ୍ତ୍ର ପଛରେ ଆଉ କେଉଁ ଗୋଷ୍ଠୀ ସାମିଲ ଅଛି କି ? ଡିସେମ୍ବର 13 ତାରିଖରେ ସଂସଦ ଭିତରେ ଓ ବାହାରେ ହଙ୍ଗାମା କରିବାକୁ ଦିନ ସ୍ଥିର କରିଥିଲା। 13 ଡିସେମ୍ବର 2001ରେ ହିଁ ପାକିସ୍ତାନୀ ଆତଙ୍କବାଦୀ ସଂସଦ ଉପରେ ଆକ୍ରମଣ କରିଥିଲେ। ଆଉ 22 ବର୍ଷ ପରେ ପୁଣି ସେମିତି କରିବାକୁ ଅପଚେଷ୍ଟା କରାଗଲା।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର