Videos
|
National

Man Killed Daughter / ଝିଅର ହାତ ଗୋଡ଼ ବାନ୍ଧି କେନାଲରେ ଫିଙ୍ଗି ଦେଇଥିଲା ବାପା, ୨ ମାସ ପରେ ଫେରିଲା ଝିଅ !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·3 min read
ଝିଅର ହାତ ଗୋଡ଼ ବାନ୍ଧି କେନାଲରେ ଫିଙ୍ଗି ଦେଇଥିଲା ବାପା, ୨ ମାସ ପରେ ଫେରିଲା ଝିଅ !
Crime

Key Points

ନାବାଳିକା ଜଣକ କହିଛନ୍ତି, 'ହାଉସିଂବୋର୍ଡ କଲୋନୀରେ ରହୁଥିବା ମୋ ବାପା ସୁରଜିତ ସିଂହ ମୋତେ କେନାଲରେ ଠେଲି ଦେଇଥିଲେ ।

ସେପ୍ଟେମ୍ବର ୩୦ ତାରିଖରେ, ଫିରୋଜପୁରରେ ଜଣେ ବ୍ୟକ୍ତି ତାଙ୍କ ଝିଅର ହାତ ଗୋଡ଼ ବାନ୍ଧି ଏକ କେନାଲକୁ ଫିଙ୍ଗି ଦେଇଥିଲା। ଘଟଣାର ଭିଡିଓ ଭାଇରାଲ ହେବା ପରେ, ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରି ଜେଲ୍ ପଠାଇ ଦେଇଥିଲା। ଏବେ ୬୮ ଦିନ ପରେ ମୃତ ଝିଅ, ଜେଲ୍‌ରୁ ବାପାର ମୁକ୍ତି ପାଇଁ ସାମ୍ନାକୁ ଆସିଛି । ଏହାସହ ସେ ଜୀବତ ବୋଲି କହିଛି । ଏକ ଭିଡିଓ ବାର୍ତ୍ତା ଜାରି କରି ସେ ପୋଲିସକୁ ନିବେଦନ କରିଛନ୍ତି, 'ମୁଁ ଜୀବିତ ଅଛି, ମୋ ବାପାଙ୍କୁ ଜେଲ୍‌ରୁ ବାହାର କରିଦିଅ' । ଏହାସହ ସେହି ଝଅ ବଖାଣିଛି, ପାଣିରେ ପଡ଼ିବା ପରେ ସେ କେମିତି ବଞ୍ଚିକି ବାହାରକୁ ଆସିଛି ।

ନାବାଳିକା ଜଣକ କହିଛନ୍ତି, 'ହାଉସିଂବୋର୍ଡ କଲୋନୀରେ ରହୁଥିବା ମୋ ବାପା ସୁରଜିତ ସିଂହ ମୋତେ କେନାଲରେ ଠେଲି ଦେଇଥିଲେ । ଯାହାଫଳରେ ମୁଁ ବୁଡ଼ିଯାଇଥିଲି । କିନ୍ତୁ ହଠାତ୍ ସେତେବେଳେ ମୋ ହାତ ଖୋଲିଯାଇଥିଲା, ତେଣୁ ମୁଁ ପାଣିରୁ ଉପରକୁ ଉଠିଯାଇଥିଲି । ତା'ପରେ କିଛି ଲୁହା ଜିନିଷ ମୋ ହାତରେ ବାଜିଲା । ଯାହାଫଳରେ ତାକୁ ଧରି ଧରି ମୁଁ କୂଳକୁ ଚାଲିଆସିଲି । ଶେଷରେ ଘାସ ଧରି ମୁଁ ଉପରକୁ ଆସିଲି । ଏହି ସମୟରେ ଦୁଇଜଣ ଯୁବକ ଏବଂ ଜଣେ ମହିଳା ତାଙ୍କୁ ଲିଫ୍ଟ ଦେଇଥିଲେ ।

ବାପା ନିର୍ଦ୍ଦୋଷ, ମାଆ ମୁଖ୍ୟ ଅଭିଯୁକ୍ତ

ଯଦିଓ ନାବାଳିକା ଝିଅଟି ଏତେ ଦିନ ଧରି କେଉଁଠି ଥିଲା ତାହା ପ୍ରକାଶ କରି ନଥିଲା, ସେ କେବଳ ଏତିକି କହିଛି ଯେ ସେ ଅସୁସ୍ଥ ଥିଲା ଏବଂ ଚିକିତ୍ସାଧୀନ ଥିଲା । ସେ କେବଳ ଗୋଟିଏ ଦାବି କରିଛି ଯେ 'ମୋ ବାପାଙ୍କୁ ଜେଲ୍‌ରୁ ମୁକ୍ତ କରିଦିଅ, ଆହୁରି ତିନି ସାନ ଭଉଣୀ ଅଛନ୍ତି, ସେମାନଙ୍କ ଲାଳନ ପାଳନ ଠିକ୍ ଭାବରେ ହୋଇପାରିବ । ବାପା ନଥିଲେ ସେମାନଙ୍କ ଜୀବନ ଦୁର୍ବିଶହ ହୋଇପଡ଼ିବ ।'

ସବୁଠାରୁ ବଡ଼ କଥା ହେଲା,‍ ନାବାଳିକା ଜଣକ ନିଜ ମାଆଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସେ କହିଛନ୍ତି, 'ମାଆଙ୍କ କଥାରେ ହିଁ ବାପା ମୋ ହାତ ଗୋଡ଼ ବାନ୍ଧି, ପାଣିକୁ ଠେଲିଦେଇଥିଲେ । ତେଣୁ ବାପା ଯେତିକି ଦୋଷୀ, ମାଆ ମଧ୍ୟ ସେତିକି ପରିମାଣର ଦୋଷୀ ।'

ସମ୍ପର୍କୀୟଙ୍କ ଉପରେ ଭରସା ନାହିଁ

ଅନ୍ୟପଟେ ଝିଅଟି ପୋଲିସ ସୁରକ୍ଷା ପାଇଁ ମଧ୍ୟ ଅନୁରୋଧ କରିଛି । ସେ କହିଛି, 'କୌଣସି ସମ୍ପର୍କୀୟଙ୍କୁ ବିଶ୍ୱାସ ନାହିଁ। ମୁଁ ବଞ୍ଚିବାକୁ ଚାହୁଁଛି'। ନାବାଳିକା ଝିଅର ବାପା ଘଟଣାର ଭିଡିଓ ରେକର୍ଡିଂ କରି ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଏହାକୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ହତ୍ୟା ମାମଲା ରୁଜୁ କରି ବାପାକୁ ଗିରଫ କରିଥିଲା ​​ଏବଂ ଜେଲ ପଠାଇ ଦେଇଥିଲା । ଯଦିଓ ଝିଅର ମୃତଦେହ ଉଦ୍ଧାର କରାଯାଇ ନଥିଲା।

ବୟାନ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ: ପୋଲିସ

ଏହି ଘଟଣାରେ ଫିରୋଜପୁର ଏସଏସପି ଭୂପିନ୍ଦର ସିଂହ କହିଛନ୍ତି, 'ଏହା ବହୁତ ଭଲ ଖବର ଯେ ଝିଅଟି ସୁରକ୍ଷିତ ଏବଂ ସୁସ୍ଥ ଅଛି। ଯେତେବେଳେ ତାଙ୍କ ବାପା ତାଙ୍କୁ କେନାଲରେ ଠେଲି ଦେଇଥିଲେ, ସେତେବେଳେ ତାଙ୍କ ହାତ କୌଣସି ସ୍ଥାନରେ ଲାଖିଥିଲା, ଯାହାଫଳରେ ବାହାରକୁ ବାହାରି ଆସିବାକୁ ତାଙ୍କୁ ସୁଯୋଗ ମିଳିଥିଲା । ସେ ବାହାରକୁ ଆସିବା ପରେ, ସେଠାରେ କେହି ନଥିଲେ। କିଛି ଦୂର ଚାଲିବା ପରେ, ସେ ଲିଫ୍ଟ ମାଗିଥିଲେ। ଝିଅଟି ନାବାଳିକା ଏବଂ ତାଙ୍କ ଅନୁସାରେ, ସେ ଦୁଇ ମାସ ପାଇଁ କେଉଁଠାରେ ଲୁଚି ରହିଥିଲେ ତାହା ପ୍ରକାଶ କରିବାକୁ ଚାହାଁନ୍ତି ନାହିଁ କାରଣ ଏହା କୌଣସି ସମ୍ପର୍କୀୟ କିମ୍ବା ପରିଚିତ ବ୍ୟକ୍ତିଙ୍କ ସହ ଜଡିତ ହୋଇପାରେ ଏବଂ ତାଙ୍କ ଜୀବନ ପ୍ରତି ବିପଦ ହୋଇପାରେ।'

ସେ କହିଛନ୍ତି ଯେ ଝିଅଟି ପ୍ରଥମେ କହିଥିଲା, ସେ ଭୟଭୀତ ଥିଲା ଏବଂ ମୁଣ୍ଡରେ ଆଘାତ ଯୋଗୁଁ ସେ କିଛି ଜିନିଷ ମନେ ରଖିପାରୁନଥିଲା, ଯେଉଁ କାରଣରୁ ସେ ସାମ୍ନାକୁ ଆସି ନଥିଲା।

ପୋଲିସ କହିଛି ଯେ କୋର୍ଟରେ ଝିଅଟିର ବୟାନ ରେକର୍ଡ କରାଯାଉଛି। ତାଙ୍କ ବୟାନ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାପା ପ୍ରଥମେ ଭିଡିଓଟି ନିଜେ ସୁଟିଂ କରିଥିଲେ, ଏବଂ ସେହି ଆଧାରରେ ତାଙ୍କ ବିରୁଦ୍ଧରେ ଧାରା ୩୦୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। କିନ୍ତୁ ଏବେ ଝିଅଟି ଜୀବିତ ଥିବାରୁ ବାପା ବିରୋଧରେ ଲାଗିଥିବା ଧାରା ବଦଳାଯିବ, ଝିଅଟିର ବୟାନ ଆଧାରରେ ଉପଯୁକ୍ତ ଧାରା ପ୍ରୟୋଗ କରାଯିବ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Man Killed Daughter | Punjab Teen, Thrown Into Canal By Father With Hands Tied, Reappears After 2 Months | Argus News