ପରମାଣୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ଋଷିଆ ?

Key Points
- ଋଷିଆ ବଦଳାଇବ ପରମାଣୁ ନୀତି
- ଦେଶର ସୁରକ୍ଷା ପାଇଁ କରାଯାଇପାରେ ପରମାଣୁ ଆକ୍ରମଣ
- ପୁଟିନ୍ଙ୍କ ବୟାନ ପରେ ପରମାଣୁ ଯୁଦ୍ଧକୁ ନେଇ ବଢିଲା ଆଶଙ୍କା
ଅର୍ଗସ ବ୍ୟୁରୋ: ଋଷିଆ ଓ ପୁଟିନ୍ଙ୍କୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । କାରଣ ପରମାଣୁ ଶକ୍ତି ସଂପନ୍ନ ଋଷ୍ ପାଖରେ ଏତେ ମାତ୍ରାରେ ପରମାଣୁ ଅଛି ଯେ କୌଣସି ଦେଶକୁ ଧ୍ଵଂସ କରିବାକୁ ବେଶୀ ସମୟ ଲାଗିବନି । ଖାସ କରି ଋଷିଆ ଉପରେ କ୍ରୁଜ୍ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପାଇଁ ୟୁକ୍ରେନ୍ ଯୋଜନା କରୁଥିବାରୁ ଚିନ୍ତାରେ ଋଷ୍ । ଗୁଇନ୍ଦା ସୂଚନା ପାଇବା ମାତ୍ରେ ଆକ୍ସନ ମୋଡ୍ରେ ପୁଟିନ୍ । ସଙ୍ଗେ ସଙ୍ଗେ ଋଷିଆ ସରକାରଙ୍କ ପକ୍ଷରୁ ଗୁରୁତ୍ଵପୂର୍ଣ୍ଣ ବୈଠକ ଡକାଯିବା ସହିତ ଆବଶ୍ୟକ ସ୍ଥଳେ ଶତ୍ରୁର ମୁକାବିଲା ପାଇଁ ଆମ ପରମାଣୁ ନୀତି ବଦଳିବ ବୋଲି ପୁଟିନ ସ୍ପଷ୍ଟ କରିଛନ୍ତି । ପୁଟିନ୍ଙ୍କ ଏହି ବୟାନ ପରେ ନାଟୋ ରାଷ୍ଟ୍ରମାନେ ଗମ୍ଭୀରତାର ସହ ନେଇଛନ୍ତି ।
ପରମାଣୁ ଆକ୍ରମଣ । ଇଏ ଏମିତି ଏକ ବୋମା ଯାହା ନିମିଷକେ କୋଟି କୋଟି ଲୋକଙ୍କ ପ୍ରାଣ ନେବା ସହିତ ପଙ୍ଗୁ କରିଦେବ । ଏହାର ପ୍ରଭାବ ଏତେ ଅଧିକ ଯେ ବର୍ଷବର୍ଷ ପର୍ଯ୍ୟନ୍ତ ଜନ୍ମ ହେଉଥିବା ଶିଶୁ ଶାରୀରିକ ଭିନ୍ନକ୍ଷମ ହେବେ । ମନେଥିବ ନିଶ୍ଚୟ, ଜାପାନ ଉପରେ ଆମେରିକା କରିଥିବା ପରମାଣୁର ଭୟାଭୟ କେତେ ଥିଲା ? ଆଜି ବି ହିରୋସୀମା ଓ ନାଗାସାକିରେ ଜନ୍ମ ହେଉଥିବା ପିଲାଙ୍କ କ୍ଷେତ୍ରରେ ଶାରୀରିକ ବିକାଶ ଠିକ୍ରେ ହେଉନି । ହେଲେ ଏବେ ଋଷିଆ ପରମାଣୁ ଆକ୍ରମଣ କରିବାକୁ ସଜ ହେଉଥିବାରୁ ପୁରା ବିଶ୍ଵସମୂହ ଚିନ୍ତାବ୍ୟକ୍ତ କରିଛି ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ରୁଷ୍ରେ ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରିବାପାଇଁ କ୍ରୁଜ୍ ମିସାଇଲ୍ ବ୍ୟବହାର କରିବାକୁ ପାଶ୍ଚାତ୍ୟ ରାଷ୍ଟ୍ର ଅନୁମତି ଦେବା ପରେ ରୁଷ୍ ଏନେଇ ଚିନ୍ତା ପ୍ରକଟ କରିଛି । ଗତ ସପ୍ତାହରେ ରୁଷ୍ ଉପରେ ଆକ୍ରମଣ ପାଇଁ ବ୍ରିଟେନ୍ ଏହାର ‘ଷ୍ଟର୍ମ ସ୍ୟାଡୋ’ କ୍ରୁଜ୍ ମିସାଇଲ୍ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର ଷ୍ଟାରମର ମଧ୍ୟ ଆମେରିକା ଯାଇ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଭେଟିଥିଲେ । ଉଭୟ ନେତା ରୁଷ୍ ମାଟିରେ ୟୁକ୍ରେନର କ୍ଷେପଣାସ୍ତ୍ର ବ୍ୟବହାର ଉପରେ ଆଲୋଚନା କରିଥିଲେ । ତେଣୁ କେତେବେଳେ ଯେ ଋଷିଆ ଉପରେ କ୍ଷେପଣାସ୍ତ୍ର ମାଡ଼ ହେବ ସେନେଇ କୌଣସି ସୂଚନା ନଥିବା ବେଳେ ନିଜ ଦେଶର ସୁରକ୍ଷା ପାଇଁ ଋଷିଆ ସର୍ବଦା ପ୍ରସ୍ତୁତ ବୋଲି କହିଛନ୍ତି ପୁଟିନ୍ ।
📱 Get Argus News App
✨ସେପଟେ ୨ ବର୍ଷ ବିତିଥିଲେ ବି ଋଷିଆ ୟୁକ୍ରେନ୍ ଯୁଦ୍ଧ ଥମୁନି । ନିଇତି ଆକ୍ରମଣ ଓ ପ୍ରତି ଆକ୍ରମଣ ହେଉଛି । ଏହାରି ଭିତରେ ମୋଦିଙ୍କୁ ଦୁଇଦୁଇ ଥର ଭେଟିଲେଣି ଜେଲେନସ୍କି । କୁହାଯାଉଛି କି, ମୋଦିଙ୍କ ମଧ୍ୟସ୍ଥତାରେ ଯୁଦ୍ଧରେ ବିରାମ ଲାଗିବ । ହେଲେ ଏବେ ପୁଣି ଥରେ ପରମାଣୁ ଆଟାକ୍ର ଧମକ ପୁଟିନ୍ ଦେବା ପରେ ସ୍ଥିତି ଆହୁରି ଉଦବେଗଜନକ ରହିଛି । କିନ୍ତୁ ପରମାଣୁ ଆଟାକ୍ ହେବ ବୋଲି ଋଷିଆ ସ୍ପଷ୍ଟ କରିନଥିବାରୁ ପୁଟିନ୍ଙ୍କ ସହ ବିଶ୍ଵ ନେତା ଆଲୋଚନା କରିପାରନ୍ତି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି ।
