Inspiring Story / ଗୋଟିଏ ଗୋଡ଼ରେ ୪୦୦ ମିଟର ରାସ୍ତା, ରାଗିଣୀଙ୍କ ସ୍କୁଲ ଯାତ୍ରା ଦେଖିଲେ ଛାତି ଥରିଉଠିବ

Key Points
ଦିବ୍ୟାଙ୍ଗ ରାଗିଣୀଙ୍କ ସଂଘର୍ଷ ଆଖିରେ ଲୁହ, ମନରେ ସ୍ୱପ୍ନ
ହାର ମାନିନି ରାଗିଣୀ ଗୋଟିଏ ଗୋଡ଼ରେ ଚାଲିଛି ପାଠ ପଢ଼ିବାକୁ
୪୦୦ ମିଟର ରାସ୍ତା... ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ସ୍କୁଲ
ଯଦି ମନରେ ଦୃଢ଼ ଇଚ୍ଛା ଥାଏ, ତେବେ ବାଟରେ ଆସୁଥିବା ପ୍ରତିବନ୍ଧକ ବି ଲକ୍ଷ୍ୟ ଆଗରେ ଛୋଟ ହୋଇଯାଏ । ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ୭ ବର୍ଷୀୟ ଦିବ୍ୟାଙ୍ଗ ଛାତ୍ରୀ ରାଗିଣୀ । ଗୋଟିଏ ଗୋଡ଼ରେ ସେ ପ୍ରତିଦିନ ପ୍ରାୟ ୪୦୦ ମିଟର ରାସ୍ତା ଡେଇଁ ଡେଇଁ ସ୍କୁଲ ଯାଉଛନ୍ତି । ରାଗିଣୀଙ୍କ ଏହି ସଂଘର୍ଷର ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓଟି ଦେଖିଲେ ଯେକୌଣସି ଲୋକଙ୍କ ଆଖିରେ ଲୁହ ଆସିଯିବ ।
ଉତ୍ତରପ୍ରଦେଶର ବଲିଆ ଜିଲ୍ଲା ମନିୟର ବ୍ଲକ୍ର ଦିଘେଡ଼ା ଗ୍ରାମସଭା ଅଧୀନ ରାଣୀପୁରରେ ରାଗିଣୀଙ୍କ ଘର । ସେ ଦିଘେଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ରୀ । ସ୍କୁଲ ଘରଠାରୁ ମାତ୍ର ୪୦୦ ମିଟର ଦୂର । କିନ୍ତୁ ରାଗିଣୀଙ୍କ ପାଇଁ ଏହି ଦୂରତା ଯେମିତି ଶହ ଶହ କିଲୋମିଟର ସମାନ ।
ରାଗିଣୀଙ୍କ ମା’ ବବିତା ଦେବୀଙ୍କ କହିବା ଅନୁସାରେ, ରାଗିଣୀ ମାତ୍ର ୬ ମାସର ହୋଇଥିବା ବେଳେ ତାଙ୍କୁ କୋଳରେ ଧରି ଔଷଧ ଆଣିବାକୁ ଯାଉଥିଲେ । ରାସ୍ତାରେ ଘଟିଥିବା ଏକ ଦୁର୍ଘଟଣାରେ ରାଗିଣୀଙ୍କ ଗୋଡ଼ ଗୁରୁତର ଭାବେ ଆହତ ହୋଇଥିଲା । ବହୁ ସ୍ଥାନରେ ଚିକିତ୍ସା କରାଇଥିଲେ ମଧ୍ୟ ଗୋଡ଼ଟି ଠିକ୍ ହୋଇପାରିନଥିଲା ।
ପରିବାରର ଆର୍ଥିକ ସ୍ଥିତି ମଧ୍ୟ ଭଲ ନାହିଁ । ବାପା ଦିନମଜୁରିଆ ଭାବେ କାମ କରନ୍ତି । ତେଣୁ ଦାମୀ ଚିକିତ୍ସା କରାଇବା ପରିବାର ପାଇଁ ସମ୍ଭବ ହୋଇପାରୁନାହିଁ । ହେଲେ ପାଠପଢ଼ା ପ୍ରତି ରାଗିଣୀଙ୍କ ଆଗ୍ରହ କମିନାହିଁ । ଘର ସାମ୍ନା ଦେଇ ଅନ୍ୟ ପିଲାମାନେ ସ୍କୁଲ ବ୍ୟାଗ୍ ଧରି ଯାଉଥିବା ଦେଖିଲେ ସେ ମଧ୍ୟ ସ୍କୁଲ ଯିବାକୁ ଜିଦ୍ କରନ୍ତି ।
କେବେ ପରିବାରର କେହି ତାଙ୍କୁ ସ୍କୁଲରେ ଛାଡ଼ି ଆସନ୍ତି, ତ କେବେ ରାଗିଣୀ ନିଜେ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ସ୍କୁଲ ଯାଆନ୍ତି । ରାସ୍ତାରେ ଅନେକଥର ଥକିଯାଇ ମାଟିରେ ବସିପଡ଼ନ୍ତି, ଆଖିରୁ ଲୁହ ଝରେ । ତଥାପି ପାଠପଢ଼ାର ସ୍ୱପ୍ନ ଛାଡ଼ିବାକୁ ସେ ପ୍ରସ୍ତୁତ ନୁହନ୍ତି ।
ରାଗିଣୀଙ୍କୁ ଏବେ ଦରକାର ଦୟା ନୁହେଁ, ଏକ ସହାୟତାର ହାତ । ଏକ କୃତ୍ରିମ ଗୋଡ଼ କିମ୍ବା ଟ୍ରାଇସାଇକେଲ୍ ମିଳିଲେ ତାଙ୍କ ସ୍କୁଲ ଯିବା ଆଗକୁ ବଢ଼ିବା ସହଜ ହୋଇପାରିବ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ ପାଲ ଯାଦବ ମଧ୍ୟ ରାଗିଣୀଙ୍କୁ ସରକାରୀ ସହାୟତା ମିଳିବା ଆବଶ୍ୟକ ବୋଲି କହିଛନ୍ତି । ଯୋଜନାରେ ତାଙ୍କ ନାମ ପଞ୍ଜିକରଣ କରାଯାଇଛି ଏବଂ ସୁଯୋଗ ମିଳିଲେ ସହାୟତା ଦିଆଯିବ ବୋଲି ସେ କହିଛନ୍ତି ।
ପ୍ରତିଦିନର କଷ୍ଟ ଓ ଲୁହ ସତ୍ତ୍ୱେ ରାଗିଣୀଙ୍କ ମନରେ ହାର ମାନିବାର ଚିନ୍ତା ନାହିଁ । ଗୋଟିଏ ଗୋଡ଼ରେ ସେ ଆଗକୁ ବଢ଼ୁଛନ୍ତି କାରଣ ତାଙ୍କ ସ୍ୱପ୍ନ ହେଉଛି ପାଠ ପଢ଼ି ଜୀବନରେ କିଛି କରିବା ।
📱 Get Argus News App
✨Related Topics
Explore more stories