ସୁରକ୍ଷା ପ୍ରୋଟୋକଲ୍ ମାନୁ ନାହାନ୍ତି ରାହୁଲ୍ ଗାନ୍ଧୀ, ନ ଜଣାଇ ୯ ମାସରେ ୬ଥର ଗଲେଣି ବିଦେଶ

Key Points
ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ସୁରକ୍ଷା ପ୍ରୋଟୋକଲ୍ ମାନୁ ନାହାନ୍ତି । ଏନେଇ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଚିଠି ଲେଖିଛି ।
ନୂଆଦିଲ୍ଲୀ: ରାହୁଲ୍ ଭାଙ୍ଗୁଛନ୍ତି ପ୍ରୋଟୋକଲ୍, ଅଭିଯୋଗ ଆଣିଲା CRPF । ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ସୁରକ୍ଷା ପ୍ରୋଟୋକଲ୍ ମାନୁ ନାହାନ୍ତି । ଏନେଇ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଚିଠି ଲେଖିଛି । ଯେଉଁଥିରେ CRPF ପକ୍ଷରୁ କୁହାଯାଇଛି, ବିଗତ ୯ ମାସ ମଧ୍ୟରେ ରାହୁଲ୍ ଗାନ୍ଧୀ କୌଣସି ପ୍ରାକ୍ ସୂଚନା ନ ଦେଇ ୬ ଥର ବିଦେଶ ଯାଇଛନ୍ତି ।
୯ ମାସରେ ରାହୁଲ୍ ଗାନ୍ଧୀ ଇଟାଲି, ଭିଏତନାମ, ଦୁବାଇ, କତାର, ଲଣ୍ଡନ ଓ ମାଲେସିଆ ଯାଇଥିବା କହିଛି CRPF । ଏନେଇ CRPF ପକ୍ଷରୁ ରାହୁଲ୍ ଗାନ୍ଧୀଙ୍କୁ ବି ଅଲଗା ଭାବେ ଚିଠି କରାଯାଇଛି । ଯେଉଁଥିରେ ଲେଖାଯାଇଛି, ଏଭଳି ଅବହେଳା କାରଣରୁ ତାଙ୍କୁ ଯୋଗାଇ ଦିଆଯାଉଥିବା Z+ କ୍ୟାଟେଗୋରି ସୁରକ୍ଷା ଦୁର୍ବଳ ହୋଇପାରେ । ଯେଉଁଥିପାଇଁ ତାଙ୍କୁ ବିପଦର ସାମ୍ନା କରିବାକୁ ବି ପଡ଼ିପାରେ ।
ସୂଚନା ଅନୁସାରେ, ବିରୋଧୀ ଦଳ ନେତା ରାହୁଲ୍ ଗାନ୍ଧୀଙ୍କୁ ଆଡଭାନ୍ସଡ୍ ସିକ୍ୟୁରିଟି ଲାଇଜନ (ASL) କଭର୍ ସହିତ ଉଚ୍ଚସ୍ତରର Z+ ସୁରକ୍ଷା ଯୋଗାଇ ଦିଆଯାଇଛି । ଏହି ସ୍ତରର ସୁରକ୍ଷା ପାଉଥିବା ଲୋକଙ୍କୁ 'ୟେଲୋ ବୁକ୍ ପ୍ରଟୋକଲ୍' ଅନୁସାରେ ତାଙ୍କ ଗତିବିଧି ଓ ବିଦେଶ ଯାତ୍ରା ନେଇ ସୂଚନା ସୁରକ୍ଷା ଏଜେନ୍ସିକୁ ଦେବାକୁ ପଡ଼଼ିଥାଏ । ଯେଭଳି ତାଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇ ପାରିବ ।
📱 Get Argus News App
✨
CRPFର ଭିଭିଆଇପି ସିକ୍ୟୁରିଟି ହେଡ୍ ସୁନୀଲ ଜୁନ୍ ଚିଠିରେ ଖଡ଼ଗେଙ୍କୁ ଲେଖିଛନ୍ତି, ରାହୁଲ୍ ଗାନ୍ଧୀ ତାଙ୍କ ସୁରକ୍ଷାକୁ ଗୁରୁତ୍ଵର ସହ ନେଉ ନାହାନ୍ତି । ଅଧିକାଂଶ ବିଦେଶ ଯାତ୍ରା କୌଣସି ସୂଚନା ନ ଦେଇ କରୁଛନ୍ତି । ଡିସେମ୍ବର ୩୦ରୁ ଜାନୁଆରୀ ୯ ପର୍ଯ୍ୟନ୍ତ ଇଟାଲି, ମାର୍ଚ୍ଚ ୧୨ରୁ ୧୭ ଯାଏଁ ଭିଏତନାମ, ଏପ୍ରିଲ୍ ୧୭ରୁ ୨୩ ଦୁବାଇ, ଜୁନ୍ ୧୧ରୁ ୧୮ କତାର, ଜୁନ୍ ୨୫ପି ଜୁଲାଇ ୬ ଲଣ୍ଡନ ଏବଂ ସେପ୍ଟେମ୍ବର ୪ରୁ ୭ ମାଲେସିଆ ଗସ୍ତର ଉଲ୍ଲେଖ କରିଛି CRPF ।