Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଓଡ଼ିଶାରେ ଜାରି ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା

Ritu Das
Browse all articles by Ritu Das
·2 years ago·2 min read
ଓଡ଼ିଶାରେ ଜାରି ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା

ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାରେ ନ୍ୟାୟ ଯାତ୍ରା ବେଳେ ବିଜେଡିକୁ ରାହୁଲ ଗାନ୍ଧିଙ୍କ ସାଙ୍ଘାତିକ ଆକ୍ରମଣ । ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇ ଯାଇଥିବା ବେଳେ ବେରୋଜଗାରୀ ବଢ଼ିଛି। ଗତ ୪୦ ବର୍ଷରେ ଦେଶରେ ସବୁଠାରୁ ଅଧିକ ବେରୋଜଗାର ଓଡ଼ିଶାରେ ଥିବା କହିଛନ୍ତି ରାହୁଲ ।  ଓଡ଼ିଶାରେ କାମ ନ ପାଇ ୩୦ ଲକ୍ଷ ଲୋକ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହୋଇଛନ୍ତି। ମାତ୍ର ବାହାର ରାଜ୍ୟରୁ ଓଡ଼ିଶାକୁ ଲୁଟିବାକୁ 30 କୋଟିପତି ଆସିଛନ୍ତି। ତେଣୁ ଓଡ଼ିଶାରୁ ୩୦ ଲକ୍ଷ ଲୋକ ବାହାରକୁ ଚାଲି ଯାଇଥିବା ବେଳେ ବାହାରୁ 30ଜଣ ରାଜ୍ୟ ଭିତରକୁ ଆସିଛନ୍ତି। ସେମାନେ ଓଡ଼ିଶାକୁ ଲୁଟି ନିଜେ କୋଟିପତି ହେଉଛନ୍ତି।  ଓଡ଼ିଶା ଏକ ଆଦିବାସୀବହୁଳ ରାଜ୍ୟ । ମାତ୍ର ଏଠାରେ ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ପ୍ରତି ଅତ୍ୟାଚାର ହେଉଥିବା ପରି ଆରୋପ ଲଗାଇଛନ୍ତି ରାହୁଲ ଗାନ୍ଧି ।

ଆଜି ସକାଳ ପ୍ରଥମେ କଂଗ୍ରେସ ନେତାଙ୍କ ସହ ଆଲୋଚନା ପରେ ବେଦବ୍ୟାସ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ରାହୁଲ । ହେଲେ ସେଠାରେ ପୂଜାରୀଙ୍କୁ ଛୋଟ ଟିକା ଲଗେଇବାକୁ କହିବା ପରେ ଜାତୀୟସ୍ତରରେ ପୁଣି ରାହୁଲଙ୍କ ମିଛ ହିନ୍ଦୁ ଖୋଳପାର ମୁଖା ଖୋଲିଛି । ବିଜେପି ରାହୁଲଙ୍କ ଏହି ଭିଡିଓ ଟ୍ବିଟ୍ କରି କାଉଣ୍ଟର କରିଛି । 
ସେପଟେ ରାହୁଲ ଏପରି ସମୟରେ ଓଡ଼ିଶାରେ ସଭା ଓ ରୋଡ୍ ଶୋ କରୁଛନ୍ତି ଯେତେବେଳେ କଂଗ୍ରେସ ଉଭୟ ରାଜ୍ୟ ଓ ଦେଶରେ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। 2000ରେ କ୍ଷମତାରୁ ଯିବା ପରଠୁ ଲଗାତାର ଭାବେ ରାଜ୍ୟରେ କଂଗ୍ରସର ସ୍ଥିତି ଖରାପ ହୋଇଚାଲିଛି। 2004 ମସିହାରେ କଂଗ୍ରେସର ଭୋଟ୍ ହାର ଥିଲା 34.82 ପ୍ରତିଶତ। 2009ରେ ଏହା 29.10 ପ୍ରତିଶତକୁ ଖସିଆସିଥିଲା। 2014 ବିଧାନସଭା ନିର୍ବାଚନରେ ଓଡ଼ିଶା କଂଗ୍ରସ ଭୋଟ୍ ହାର ଖସି ପହଞ୍ଚିଥିଲା 25.7 ପ୍ରତିଶତରେ। ତେବେ 2019 ବିଧାନସଭା ନିର୍ବାଚନରେ କଗ୍ରେସ ସବୁଟୁ ଖରାପ ପର୍ଦର୍ଶନ କରିବା ସହ ଦଳର ଭୋଟ୍ ହାର 16.12 ପ୍ରତିଶତରେ ପହଞ୍ଚିଥିଲା। ଏଥିସହ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ହରାଇ ରାଜ୍ୟରେ ପାଲଟିଥିଲା 3 ନମ୍ବର ଦଳ।

ଓଡ଼ିଶାରେ ପାରମ୍ପରିକ ଭାବେ ଆଦିବାସୀ, ଦଳିତ ଓ ଗରିବ ଶ୍ରେଣୀର ଲୋକେ କଂଗ୍ରେସ ଭୋଟ୍ ବ୍ୟାଙ୍କ ରହିଆସିବା ବେଳେ। 2004 ପରଠୁ ସେମାନଙ୍କର ଜନାଧାର ଲଗାତାର ହରାଇ ଚାଲିଛି କଂଗ୍ରେସ। ଏହି ବର୍ଗଙ୍କର ଭୋଟ୍ ଉଭୟ ବିଜେପି ଓ ବିଜେଡିକୁ ସମୟକ୍ରମେ ଚାଲିଯାଇଛି। ଖୋଦ୍ କଂଗ୍ରେସର କମ୍ୟୁନିକେସନ ଇନଚାର୍ଜ ଜୟରାମ ରମେଶ ମଧ୍ୟ ଏହା ସ୍ବୀକାର କରିଛନ୍ତି ।

ରାହୁଲ ଆଜି ଓଡ଼ିଶାରେ ବିଜେଡି- ବିଜେପି ସରକାର ଚାଲିଥିବାର ମଧ୍ୟ ଅଭିଯୋଗ କରିଛନ୍ତି । ହେଲେ 2004ରୁ 2014 ମସିହା ପର୍ଯ୍ୟନ୍ତ କେନ୍ଦ୍ରରେ କଂଗ୍ରେସ କ୍ଷମତାସୀନ ଥିଲେ ବି ଓଡ଼ିଶାରେ ଦଳର ସ୍ଥିତିରେ କୌଣସି ସୁଧାର ଆସିପାରିନଥିଲା। 2009ରେ ଯେତେବେଳେ ବିଜେପି- ବିଜେଡି ମେଣ୍ଟ ଭାଙ୍ଗିଥିଲା କଂଗ୍ରେସ ପାଖରେ ନିଜ ସ୍ଥିତି ସୁଧାରିବା ପାଇଁ ବଡ଼ ସୁଯୋଗ ଥିଲା। କିନ୍ତୁ ପରୋକ୍ଷରେ ନବୀନ ସରକାରକୁ ସମର୍ଥନ କରି ରାଜ୍ୟରେ କ୍ଷମତା ବଜାୟ ରଖିବାରେ ସହାୟକ ହୋଇଥିଲା କଂଗ୍ରେସ। ସେହି ଭୁଲ ଯୋଗୁଁ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇଚାଲିଥିବା କହିଛନ୍ତି ରାଜନୀତି ସମୀକ୍ଷକ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଂଗ୍ରେସକୁ ଟ୍ରକ୍ କୁ ଆଣିବାରେ ନା କେନ୍ଦ୍ରୀୟ ନେତୃତ୍ବ ନା ରାଜ୍ୟ ନେତୃତ୍ବ କେହି ଆଜିଯାଏ ସଫଳ ହୋଇପାରିନାହାନ୍ତି। ବରଂ ସାମର୍ଥ ରଖୁଥିବା ନେତା ଦଳର ହାତ ଛାଡ଼ିବା ସହ କଂଗ୍ରେସ ଅଧିକରୁ ଅଧିକ ଦୁର୍ବଳ ହୋଇଛି। ଏଭଳି ସ୍ଥିତିରେ ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା ଓଡ଼ିଶା କଂଗ୍ରେସକୁ ଉଦ୍ଧାର କରିବାର କେତେ ସହାୟକ ହୋଇପାରିବ ତାହା ବଡ଼ ପ୍ରଶ୍ନ।

ଅଧିକ ପଢ଼ନ୍ତୁ ଭାରତ ଖବର 


 

Sponsored
Rahul Gandhi's justice | Argus News