Videos
|
National

RajThackeray / ରାଜ ଠାକରେଙ୍କୁ ନେଇ ରିଲ୍‌ ପଡ଼ିଲା ମହଙ୍ଗା: ଇନ୍‌ଫ୍ଲୁଏନ୍ସରଙ୍କୁ କଳା କାଳି ବୋଳି, ଜୋତା ମୁଣ୍ଡରେ ରଖି କରାଗଲା କ୍ଷମାପ୍ରାର୍ଥନା

Rashmita Mishra
Browse all articles by Rashmita Mishra
·1 hour ago·2 min read
ରାଜ ଠାକରେଙ୍କୁ ନେଇ ରିଲ୍‌ ପଡ଼ିଲା ମହଙ୍ଗା: ଇନ୍‌ଫ୍ଲୁଏନ୍ସରଙ୍କୁ କଳା କାଳି ବୋଳି, ଜୋତା ମୁଣ୍ଡରେ ରଖି କରାଗଲା କ୍ଷମାପ୍ରାର୍ଥନା
Raj Thackeray

Key Points

ରିଲ୍‌ ପଡ଼ିଲା ମହଙ୍ଗା... ମୁହଁରେ କାଳି ମୁଣ୍ଡରେ ଚପଲ
ରାଜ ଠାକରେଙ୍କୁ ନେଇ ରିଲ୍‌ ପଡ଼ିଲା ମହଙ୍ଗା ।
ଇନ୍‌ଫ୍ଲୁଏନ୍ସରଙ୍କୁ କଳା କାଳି ବୋଳି, ଜୋତା ମୁଣ୍ଡରେ ରଖି କରାଗଲା କ୍ଷମାପ୍ରାର୍ଥନା

ମହାରାଷ୍ଟ୍ରରେ ଏକ ସୋସିଆଲ୍ ମିଡିଆ ରିଲ୍‌କୁ ନେଇ ଜଣେ ଇନ୍‌ଫ୍ଲୁଏନ୍ସରଙ୍କୁ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) କର୍ମୀମାନେ ଅପମାନିତ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ, ମହେଶ ମୋଟେ ନାମକ ଜଣେ ଇନ୍‌ଫ୍ଲୁଏନ୍ସର ଏକ ରିଲ୍‌ରେ MNS ମୁଖ୍ୟ ରାଜ ଠାକରେଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ କରିଥିଲେ ।

ଏହା ପରେ MNS କର୍ମୀମାନେ ମହେଶଙ୍କୁ ଧରି ଏକ ଦଳୀୟ କାର୍ଯ୍ୟାଳୟକୁ ନେଇଯାଇଥିବା ଅଭିଯୋଗ ହୋଇଛି । ସେଠାରେ ତାଙ୍କୁ ରାଜ ଠାକରେଙ୍କ ଫଟୋ ସାମ୍ନାରେ ଶୋଇ ପ୍ରଣାମ କରାଯାଇଥିଲା । ତାଙ୍କ ମୁହଁରେ କଳା କାଳି ବୋଳାଯିବା ସହ ମୁଣ୍ଡ ଉପରେ ଚପଲ ରଖି ବୈଠକ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ପରେ ତାଙ୍କୁ ଏକ କ୍ଷମାପ୍ରାର୍ଥନା ଭିଡିଓ ରେକର୍ଡ କରିବାକୁ ବାଧ୍ୟ କରାଯାଇଥିବା ଜଣାପଡ଼ିଛି ।

ଭାଇରାଲ୍ ହୋଇଥିବା ଏହି ଭିଡିଓରେ ମହେଶ ଲୁହ ଭରା ଆଖିରେ ରାଜ ଠାକରେ ଏବଂ MNS କର୍ମୀମାନଙ୍କୁ କ୍ଷମା ମାଗୁଥିବା ଦେଖାଯାଉଛି । ହାତ ଯୋଡ଼ି ସେ ନିଜ ଭୁଲ ପାଇଁ ‘ନିଃସର୍ତ୍ତ କ୍ଷମା’ ମାଗିବା ସହ ଆଗକୁ ତାଙ୍କୁ ଯେପରି ହଇରାଣ କରାନଯାଏ, ସେଥିପାଇଁ ମଧ୍ୟ ଅନୁରୋଧ କରୁଛନ୍ତି ।

ଭିଡିଓରେ ମହେଶ କହୁଛନ୍ତି ଯେ, ରାଜ ଠାକରେଙ୍କ ବିଷୟରେ ସେ ଭୁଲ୍‌ବଶତଃ ଆପତ୍ତିଜନକ କଥା କହିଥିଲେ । ଏହାସହ MNSର ଶୁଭମ ଦାଦା ଏବଂ ଅନ୍ୟ ଦଳୀୟ ପଦାଧିକାରୀଙ୍କ ସମ୍ପର୍କରେ ମଧ୍ୟ ଅନୁଚିତ ଭାଷା ବ୍ୟବହାର କରିଥିବାରୁ ସେ ଦୁଃଖିତ ବୋଲି କହିଛନ୍ତି ।

MNSର ହଡପସର ବିଧାନସଭା କ୍ଷେତ୍ରର ଉପବିଭାଗୀୟ ଅଧ୍ୟକ୍ଷ ଶୁଭମ ଜଗଦାଲେ ଅଭିଯୋଗ କରିଛନ୍ତି ଯେ, ପ୍ରାୟ ୧୫ ଦିନ ପୂର୍ବେ ମହେଶ ଏକ ଭିଡିଓ ପୋଷ୍ଟ କରି ରାଜ ଠାକରେଙ୍କ ବିରୋଧରେ ଅତ୍ୟନ୍ତ ଅଶ୍ଳୀଳ ଭାଷା ବ୍ୟବହାର କରିଥିଲେ ।

ସୂଚନା ଅନୁସାରେ, ମହେଶ ଗତ ୧୫ରୁ ୨୦ ଦିନ ଧରି କେରଳରେ ଥିଲେ । ସେ ପୁଣେ ଫେରି କାତ୍ରଜ ଅଞ୍ଚଳର ଏକ ପାର୍କରେ ଥିବା ଖବର ପାଇବା ପରେ MNS କର୍ମୀମାନେ ସେଠାରେ ପହଞ୍ଚି ତାଙ୍କୁ ଧରି ଦଳୀୟ ଜନସମ୍ପର୍କ କାର୍ଯ୍ୟାଳୟକୁ ନେଇଯାଇଥିବା ଅଭିଯୋଗ ହୋଇଛି ।

ଘଟଣା ସମ୍ପର୍କରେ ଶୁଭମ ଜଗଦାଲେ କହିଛନ୍ତି ଯେ, କାର୍ଯ୍ୟାଳୟରେ ମହେଶଙ୍କୁ ‘ମହାପ୍ରସାଦ’ ଦିଆଯାଇଥିଲା । MNSର ଏହି କାର୍ଯ୍ୟକୁ ସେ ‘MNS ଷ୍ଟାଇଲ୍’ ବୋଲି ବର୍ଣ୍ଣନା କରିଛନ୍ତି ।

ଜଗଦାଲେଙ୍କ ଦାବି ଅନୁସାରେ, ରାଜ ଠାକରେଙ୍କୁ ଅପମାନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ MNS ପକ୍ଷରୁ ଏଭଳି ଜବାବ ଦିଆଯିବ । ତେବେ, ଜଣେ ବ୍ୟକ୍ତିଙ୍କୁ ଧରି ଅପମାନିତ କରିବା ଏବଂ ବଳପୂର୍ବକ କ୍ଷମା ମଗାଇବା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: