Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୦ ବର୍ଷ ପରେ ଗୋଟିଏ ମଞ୍ଚରେ ଏକାଠି ହେଲେ ଦୁଇ ଭାଇ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
୨୦ ବର୍ଷ ପରେ ଗୋଟିଏ ମଞ୍ଚରେ ଏକାଠି ହେଲେ ଦୁଇ ଭାଇ

Key Points

ଦୁଇ ଭାଇ ଶେଷ ଥର ପାଇଁ ୨୦୦୫ ମସିହାରେ ଏକ ନିର୍ବାଚନ ପ୍ରଚାର ସମୟରେ ମଞ୍ଚରେ ଏକତ୍ର ନଜର ଆସିଥିଲେ।

୨୦ ବର୍ଷ ଭିତରେ ଉଭୟ ରାଜ ଠାକରେ ଓ ଉଦ୍ଧବ ଠାକରେ ରାଜନୈତିକ ଭାବେ ଅନେକ ଉତ୍ଥାନ ପତନ ଦେଖିଛନ୍ତି ।

ଏକାଠି ହେଲେ ଠାକ୍‌ରେ ବ୍ରଦର୍ସ । ଗୋଟିଏ କି ଯୋଡ଼ିଏ ନୁହେଁ, ପ୍ରାୟ ୨୦ ବର୍ଷ ପରେ ଏକାଠି ହେଲେ ଦୁଇ ଭାଇ ରାଜ ଠାକ୍‌ରେ ଓ ଉଦ୍ଧବ ଠାକ୍‌ରେ । ଦୀର୍ଘ ଦଶନ୍ଧି ଧରି ମହାରାଷ୍ଟ୍ର ରାଜନୀତିର ଦୁଇ ପ୍ରତିଦ୍ୱନ୍ଦ୍ୱୀ ରହି ଆସିଛନ୍ତି ରାଜ ଓ ଉଦ୍ଧବ । ୨୦ ବର୍ଷର ରାଜନୈତିକ ବିଚ୍ଛେଦ ପରେ ଏକତ୍ର ଗୋଟାଏ ମଞ୍ଚରେ ନଜର ଆସିଛନ୍ତି ଦୁଇ ଭାଇ ।

ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପରେ ବର୍ଷିଛନ୍ତି ରାଜ୍‌ ଠାକ୍‌ରେ । ସେ କହିଛନ୍ତି, 'ମହାରାଷ୍ଟ୍ର ଯେକୌଣସି ରାଜନୀତି ଏବଂ ଲଢ଼େଇଠାରୁ ବଡ଼ । ୨୦ ବର୍ଷ ପରେ ଉଦ୍ଧବ ଏବଂ ମୁଁ ଏକାଠି ହୋଇଛୁ । ଏହା କେବଳ ଫଡ୍‌ନାବିସ୍‌ଙ୍କ ପାଇଁ ସମ୍ଭବ ହୋଇପାରିଛି । ବାଲାସାହେବ ଯାହା କରିପାରି ନଥିଲେ, ଫଡନାଭିସ୍ ତାହା କରି ଦେଖାଇଲେ' ।

ଅନ୍ୟପଟେ ଉଦ୍ଧବ କହିଛନ୍ତି, 'ଆମେ ଦୁଇ ଭାଇ ଏକାଠି ହୋଇ ଖୁବ୍‌ ଖୁସି । ଆମେ ଏକାଠି ହୋଇଛୁ ଓ ଏକାଠି ରହିବୁ’। ତ୍ରିଭାଷା ସୂତ୍ର ଲାଗୁ ନୀତି ପ୍ରତ୍ୟାହାର ଉତ୍ସବକୁ ପାଳନ କରିବା ପାଇଁ ମୁମ୍ବାଇରେ ଆୟୋଜିତ ଏକ "ମେଗା ବିଜୟ" ରାଲିକୁ ସମ୍ବୋଧିତ କରି ଉଦ୍ଧବ ଠାକରେ କହିଛନ୍ତି କି ଭାଷଣ ଅପେକ୍ଷା ସେମାନଙ୍କର ଏକତ୍ର ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ ଆହୁରି ବି କହିଛନ୍ତି "ଗୋଟିଏ କଥା ସ୍ପଷ୍ଟ, ଆମେ ଆମ ମଧ୍ୟରେ ଦୂରତା ଦୂର କରିଛୁ,"। ମହାରାଷ୍ଟ୍ରରେ ତ୍ରିଭାଷା ସୂତ୍ର ଲାଗୁ କରିବାକୁ ନେଇ ସରକାର ଆଣିଥିବା ପ୍ରସ୍ତାବକୁ ରାଜ ଠାକରେ ଓ ଉଦ୍ଧବ ଠାକରେ କଡ଼ା ବିରୋଧ କରିଥିଲେ ।

ଉଲ୍ଲେଖଯୋଗ୍ୟ, ଦୁଇ ଭାଇ ଶେଷ ଥର ପାଇଁ ୨୦୦୫ ମସିହାରେ ଏକ ନିର୍ବାଚନ ପ୍ରଚାର ସମୟରେ ମଞ୍ଚରେ ଏକତ୍ର ନଜର ଆସିଥିଲେ। ତା’ପରେ ରାଜ ଠାକରେ ସେହି ବର୍ଷ ଶିବସେନା ଛାଡି ୨୦୦୬ ମସିହାରେ ଏମ୍‌ଏନ୍‌ଏସ୍‌ ପ୍ରତିଷ୍ଠା କରିଥିଲେ। 

ୱର୍ଲିରେ ଆୟୋଜିତ ଠାକ୍‌ରେ ବ୍ରଦର୍ସଙ୍କ କାର୍ଯ୍ୟକ୍ରମରେ ଉଭୟ ଦଳର ସମର୍ଥକ ଭିଡ଼ ଜମାଇଥିଲେ। ଏକ ଅପୂର୍ବ ଦୃଶ୍ୟ ସୃଷ୍ଟି ହୋଇଥିଲା, ଯାହା ମହାରାଷ୍ଟ୍ରର ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ ତରଙ୍ଗ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ୨୦ ବର୍ଷ ଭିତରେ ଉଭୟ ରାଜ ଠାକରେ ଓ ଉଦ୍ଧବ ଠାକରେ ରାଜନୈତିକ ଭାବେ ଅନେକ ଉତ୍ଥାନ ପତନ ଦେଖିଛନ୍ତି । ଏବେ ଆଗାମୀ ଦିନରେ ହେବାକୁ ଥିବା ମହାନଗରପାଳିକା ନିର୍ବାଚନର ଫଳାଫଳ ଉଭୟ ଭାଇଙ୍କ ରାଜନୈତିକ ଭବିଷ୍ୟତ ନିର୍ଣ୍ଣୟ କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Raj's Resolve, Uddhav's Big Hint: A Thackeray Reunion 20 Years In Making | Argus News