ନୂଆ ପାମ୍ବନ ରେଳ ସେତୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ତାମିଲନାଡୁ ଗସ୍ତ କରିବେ। ରାମନବମୀ ଅବସରରେ ସେ ନୂତନ ପାମ୍ବନ ରେଳ ସେତୁ ତଥା ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁର ଉଦଘାଟନ କରିବେ। ସେତୁରୁ ଏକ ଟ୍ରେନ ଏବଂ ଏକ ଜାହାଜକୁ ପତାକା ଦେଖାଇ ସେତୁର କାର୍ଯ୍ୟକ୍ଷମତା ଦେଖିବେ।
ଏହା ପରେ ସେ ରାମେଶ୍ୱରମର ରାମନାଥସ୍ବାମୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ। ରାମେଶ୍ୱରମରେ ସେ ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ନୂତନ ପାମ୍ବନ ରେଳ ସେତୁର ଉଦଘାଟନ କରିବା ଅବସରରେ ରାମେଶ୍ୱରମ-ତାମ୍ବରମ ନୂତନ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।
ରାମେଶ୍ବରମକୁ ମୁଖ୍ୟଭୂମି ସହିତ ସଂଯୋଗ କରୁଥିବା ଏହି ସେତୁ, ବିଶ୍ୱସ୍ତରରେ ଭାରତୀୟ ଇଞ୍ଜିନିୟରିଂର ଏକ ଉଲ୍ଲେଖନୀୟ ସଫଳତା। ଏହା ୫୫୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ନିର୍ମିତ। ଏହାର ଲମ୍ବ ୨.୦୮ କିଲୋମିଟର, ଏଥିରେ ୯୯ଟି ସ୍ପାନ ଏବଂ ୭୨.୫ ମିଟର ଭୂଲମ୍ବ ଲିଫ୍ଟ ସ୍ପାନ ଅଛି, ଯାହା ୧୭ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉପରକୁ ଉଠିଥାଏ, ଯାହା ଜାହାଜଗୁଡ଼ିକର ସୁଗମ ଗତିକୁ ସହଜ କରିବା ସହିତ ସୁଗମ ଟ୍ରେନ ପରିଚାଳନାକୁ ସୁନିଶ୍ଚିତ କରିଥାଏ।
ଷ୍ଟେନଲେସ ଷ୍ଟିଲ ଦୃଢ଼ୀକରଣ, ଉଚ୍ଚ-ଗ୍ରେଡ ସୁରକ୍ଷାତ୍ମକ ରଙ୍ଗ ଏବଂ ସମ୍ପୂର୍ଣ୍ଣ ୱେଲ୍ଡିଂ ସନ୍ଧି ସହିତ ର୍ନିମିତ ଏହି ସେତୁର ସ୍ଥାୟୀତ୍ୱ ବୃଦ୍ଧି ଏବଂ ରକ୍ଷଣାବେକ୍ଷଣ ଆବଶ୍ୟକତା ହ୍ରାସ ପାଇଛି। ଭବିଷ୍ୟତର ଚାହିଦାକୁ ଦୃଷ୍ଟିରେ ରଖି ଏହାକୁ ଦୋହରୀକରଣ ରେଳ ଟ୍ରାକ ପାଇଁ ଡିଜାଇନ କରାଯାଇଛି। ଏକ ସ୍ବତନ୍ତ୍ର ପଲିସିଲୋକ୍ସେନ ଆବରଣ ଏହାକୁ କ୍ଷୟରୁ ରକ୍ଷା କରେ, କଠୋର ସାମୁଦ୍ରିକ ପରିବେଶରେ ଦୀର୍ଘସ୍ଥାୟୀତା ସୁନିଶ୍ଚିତ କରେ।
ଏହି ପୋଲ ଗଭୀର ସାଂସ୍କୃତିକ ଗୁରୁତ୍ୱତା ବହନ କରେ । ରାମାୟଣର ତଥ୍ୟ ଅନୁସାରେ ରାମେଶ୍ୱରମ୍ ନିକଟ ଧନୁଷ୍କୋଡ଼ିଠାରେ ରାମସେତୁ ନିର୍ମାଣ ଆରମ୍ଭ ହୋଇଥିଲା ।