ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ଵସ୍ତି, ୫ ବର୍ଷ ପରେ ରେପୋ ରେଟ୍ ହ୍ରାସ୍ କଲା RBI

Key Points
୫ ବର୍ଷ ପରେ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ ପାଇଛି । ୬.୫୦ ପ୍ରତିଶତରୁ ୨୫ ବେସିସ୍ ପଏଣ୍ଟ ହ୍ରାସ ପରେ ରେପୋ ରେଟ୍ ୬.୨୫ ପ୍ରତିଶତ ହୋଇଛି ।
ଅର୍ଗସ ବ୍ୟୁରୋ: ଆରବିଆଇର ମନିଟାରୀ ପଲିସି ବୈଠକରେ ବଡ଼ ନିଷ୍ପତ୍ତି । ହ୍ରାସ ପାଇଲା ରେପୋ ରେଟ୍ । ଏନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ପ୍ରେସମିଟ୍ରେ ସୂଚନା ଦେଇଛନ୍ତି । ୫ ବର୍ଷ ପରେ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ ପାଇଛି । ୬.୫୦ ପ୍ରତିଶତରୁ ୨୫ ବେସିସ୍ ପଏଣ୍ଟ ହ୍ରାସ ପରେ ରେପୋ ରେଟ୍ ୬.୨୫ ପ୍ରତିଶତ ହୋଇଛି ।
ଏହା ପୂର୍ବରୁ ୨୦୨୦ ମେ ମାସରେ ଆରବିଆଇ ରେପୋ ରେଟ୍ କମାଇଥିଲା । ସେବେଠୁ ପ୍ରାୟ ୫ ବର୍ଷ ହେଲାଣି ରେପୋ ରେଟ୍ ହ୍ରାସ ପାଇନଥିଲା । ସେବେଠୁ ରେପୋ ରେଟ୍ ବଢ଼ି ୨୦୨୩ ଫେବ୍ରୁଆରୀରୁ ୬.୫୦ ପ୍ରତିଶତରେ ସ୍ଥିର ରହିଥିଲା । ଫେବ୍ରୁଆରୀ ୧ରେ ଆଗତ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକରରେ ରିହାତି ଦେଇଥିଲେ । ଏବେ ରେପୋ ରେଟ୍ ହ୍ରାସ ମଧ୍ୟବିତ୍ତଙ୍କ ଲାଗି ବଡ଼ ଉପହାର ହେବ ।
ଆରବିଆଇ ରେପୋ ରେଟ୍ ହ୍ରାସ୍ କରିଥିବାରୁ ଆପଣଙ୍କ ଇଏମ୍ଆଇ ମଧ୍ୟ ହ୍ରାସ ପାଇବ । ଆରବିଆଇ ଗଭର୍ଣ୍ଣର କହିଛନ୍ତି, ଏବେ ବିଶ୍ଵ ଆର୍ଥିକ ସମସ୍ୟାର ସମ୍ମୁଖିନ ହେଉଛି । ବୈଶ୍ଵିକ ସ୍ତରରେ ଦରବୃଦ୍ଧି ଘଟିଛି । ଭୂ-ରାଜନୈତିକ ଅସ୍ଥିରତା ବଢ଼ୁଛି । ଯାହାର ପ୍ରଭାବ ପଡ଼ିଛି ବିଶ୍ଵର ଅର୍ଥନୀତି ଉପରେ । ଫଳରେ ଭାରତୀୟ ଟଙ୍କା 'ରୂପି' ମଧ୍ୟ ପ୍ରଭାବିତ ହୋଇଛି ।
📱 Get Argus News App
✨୨୦୨୫ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବା ନେଇ ଆରବିଆଇ ଅନୁମାନ କରିଛି । ଆରବିଆଇ ଗଭର୍ଣ୍ଣର କହିଛନ୍ତି, ଆଗାମୀ ବର୍ଷ ଗୁଡ଼ିକରେ ଜିଡିପି ସ୍ଥିତିରେ ଆହୁରି ସୁଧାର ଆସିବ । ଏବେ ଉତ୍ପାଦନ ସେକ୍ଟରରେ ସୁଧାର ଆସିଛି । ଗ୍ରାମାଞ୍ଚଳରେ ସାମଗ୍ରୀର ଚାହିଦା ବଢ଼ିଛି ।
ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୪.୭ ପ୍ରତିଶତ ରହିବା ଅନୁମାନ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଆରବିଆଇ ଗଭର୍ଣ୍ଣର କହିଛନ୍ତି, ସାଇବର କ୍ରାଇମ୍ ଦ୍ରୁତ ଗତିରେ ବଢ଼ି ଚାଲିଛି । ସୁରକ୍ଷା ବଢ଼ାଇବାକୁ ଆରବିଆଇ କାମ କରୁଛି ।