ଦିଲ୍ଲୀ-ଏନସିଆରରେ ହିଟଓ୍ବେଭକୁ ନେଇ ଜାରି ହେଲା ରେଡ ଆଲର୍ଟ

ଅର୍ଗସ ବ୍ୟୁରୋ: ଦିଲ୍ଲୀ-ଏନସିଆର ସମେତ ପୁରା ଉତ୍ତର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ଲୋକମାନେ ସନ୍ତୁଳି ହେଉଛନ୍ତି । ଏହାରି ଭିତରେ ଦିଲ୍ଲୀର ତାପମାତ୍ରା ଆଜି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରବିବାର ଦିନ ଦିଲ୍ଲୀର ନଜଫଗଡରେ ତାପମାତ୍ରା ୪୭.୮ ଡିଗ୍ରୀ ଛୁଇଁଛି । ରବିବାର ସାରା ଭାରତରେ ନଜଫଗଡ ସବୁଠାରୁ ଉତ୍ତପ୍ତ ସହର ଭାବେ ଚିହ୍ନଟ କରାଯାଇଛି। ଆଗାମୀ ୪ଦିନ ପର୍ଯ୍ୟନ୍ତ ଭୀଷଣ ଗରମ ସହ ଲୁ'କୁ ନେଇ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।
ଭାରତୀୟ ପାଣିପାଗର ବିଜ୍ଞାନର ବରିଷ୍ଠ ବୈଜ୍ଞାନିକ ସୋମ୍ ସେନ୍ ରାୟ କହିଛନ୍ତି କି, ରାଜସ୍ଥାନ, ପଞ୍ଜାବ, ହରିଆଣା ଓ ପାକିସ୍ତାନରେ ଶୁସ୍କ ବାୟୁ ପ୍ରବାହିତ ହେଉଛି । ଏହି ଶୁସ୍କବାୟୁ ଦିଲ୍ଲୀମୁହାଁ ହୋଇଥିବାରୁ ପୁରା ଦିଲ୍ଲୀର ତାପମାତ୍ରା ୪୫ ରୁ ୪୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଦିଲ୍ଲୀ ଏନସିଆରରେ ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ବୃଦ୍ଧି ପାଇବ । ହେଲେ କେବେ ପାଗର ପରିବର୍ତ୍ତନ ହେବ ସେନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ।
-ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ଜାରି କରିବା ସହ ଦିନ ସାରା ଅଧିକରୁ ଅଧିକ ପାଣି ପିଇବାକୁ କୁହାଯାଇଛି। ହାଲୁକା ରଙ୍ଗର ସୂତା କପଡା ପରିଧାନ କରନ୍ତୁ। ଘରୁ ବାହାରିବା ସମୟରେ ଚଷମା, ଛତା ସହ ଟୋପି ପିନ୍ଧନ୍ତୁ।
-ଯଦି ଆପଣ ବାହାରେ କାମ କରୁଛନ୍ତି ହାତ, ଗୋଡ଼, ମୁହଁକୁ ଓଦା କପଡ଼ାରେ ଢାଙ୍କିକି ରଖନ୍ତୁ। କାମ ନ ଥିଲେ ବାହାରକୁ ବାହାରନ୍ତୁ ନାହିଁ।
-ଯଦି କାହାକୁ ଅଂଶୁ ଘାତ ହେଉଛି ପ୍ରଥମେ ଉକ୍ତ ବ୍ୟକ୍ତିଙ୍କୁ ଛାଇକୁ ନେଇ ଥଣ୍ଡା ଚିକିତ୍ସା କରନ୍ତୁ। ଏହାପରେ ତୁରନ୍ତ ହସ୍ପିଟାଲକୁ ନେଇଯାଆନ୍ତୁ।
-ବାହାରକୁ ଯିବା ସମୟରେ ସାଥୀରେ ପାଣି ବୋତଲ ରଖନ୍ତୁ। ଖାଇଲା ବେଳେ କଞ୍ଚା ପିଆଜ ଖାଦ୍ୟରେ ଆଡ କରନ୍ତୁ।
-ଖରାରୁ ଆସିବା ପରେ ଯଦି ଦୁର୍ବଳ ଲାଗୁଛି ତେବେ ଲସି, ଲେମ୍ବୁ ପାଣି, ଛାସ, ବତୁରା ଚାଉଳର ପାଣି ପିଅନ୍ତୁ ଶରୀରରେ ଜଳୀୟଅଂଶର ମାତ୍ରା କମିବ ନାହିଁ।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର