Delhi Explosion / ବିସ୍ଫୋରଣରେ ବ୍ୟବହାର ହୋଇଥିଲା ଏହି ବିସ୍ଫୋଟକ

Key Points
ଏହି ଦୁର୍ଘଟଣାରେ ଚାଲିଯାଇଛି ୧୨ ଜଣଙ୍କ ଜୀବନ ।
ବିସ୍ଫୋରଣରେ ବ୍ୟବହାର ହୋଇଥିଲା ଏହି ବିସ୍ଫୋଟକ ।
ଦିଲ୍ଲୀ ଲାଲ୍କିଲ୍ଲା ମେଟ୍ରୋ ଷ୍ଟେସନ୍ ବାହାରେ ଭୟଙ୍କର ବିସ୍ଫୋରଣ ପରେ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଯାଇଛି । ଏହି ବିସ୍ଫୋରଣ ଦେଶର ରାଜଧାନୀକୁ ଥରାଇ ଦେଇଛି । ଦିଲ୍ଲୀ ପୋଲିସ ବିସ୍ଫୋରଣ ତଦନ୍ତକୁ ଜୋରଦାର କରିଛି, ଅନ୍ୟପଟେ ଏହି ମାମଲାରେ NIA ମଧ୍ୟ ତନାଘନା ଆରମ୍ଭ କରିଦେଇଛି । ଫରିଦାବାଦର ଡାକ୍ତରଙ୍କ ଠାରୁ ଆରମ୍ଭ କରି କାଶ୍ମୀରର ମୌଲବୀ ପର୍ଯ୍ୟନ୍ତ ସମସ୍ତେ ଏବେ NIA ସ୍କାନରରେ ରହିଛନ୍ତି ।
ବିସ୍ଫୋରଣ ପରେ ଫରେନ୍ସିକ୍ ଟିମ୍ ୪୨ଟି ନମୂନା ସଂଗ୍ରହ କରିଥିଲା । ଯାହାର ପରୀକ୍ଷଣ କରାଯାଉଛି । ଏହି ନମୂନାରେ କାର ଚକ, ଚେସିସ, ସିଲିଣ୍ଡର, ସମ୍ମୁଖ ଭାଗ ସାମିଲ ରହିଛି । ଆହୁରି ମଧ୍ୟ ଆଖପାଖରେ ପଡିଥିବା କିଛି ଗୁଣ୍ଡ ଏବଂ ପାଉଡରକୁ ଟେଷ୍ଟ ପାଇଁ ପଠାଯାଇଛି । ଏହା ବିସ୍ଫୋରକ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେବ ।
ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ କେବଳ ଆମୋନିୟମ୍ ନାଇଟ୍ରେଟ୍ ନୁହେଁ, ଉଚ୍ଚମାନର ଏକ ବିସ୍ଫୋରକ ମଧ୍ୟ ବ୍ୟବହାର କରାଯାଇଥିଲା ବୋଲି ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରୀର ଜଣେ ଅଧିକାରୀ କହିଛନ୍ତି । ଦିଲ୍ଲୀ ବିସ୍ଫୋରଣ ସ୍ଥଳରୁ ସଂଗ୍ରହ କରାଯାଇଥିବା ବିସ୍ଫୋରକ ନମୁନା ମଧ୍ୟରୁ ଗୋଟିଏ ଆମୋନିୟମ୍ ନାଇଟ୍ରେଟ୍ ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ବିସ୍ଫୋରକ ବୋଲି ସୂଚନା ରହିଛି ।
ଆଶଙ୍କା କରାଯାଉଛି ଯେ, ବିସ୍ଫୋରଣରେ ପେଣ୍ଟାଏରିଥ୍ରୀଟୋଲ୍ ଟେଟ୍ରାନାଇଟ୍ରେଟ ବା ପିଇଟିଏନକୁ ବ୍ୟବହାର କରାଯାଇଛି । ଏହା ନାଇଟ୍ରୋଜେନକୁ କିଛି କେମିକାଲରେ ମିଶାଇ ଲ୍ୟାବରେ ପ୍ରସ୍ତୁତ କରାଯାଇଥାଏ । ସବୁଠାରୁ ବଡ଼ କଥା ହେଲା ପିଇଟିଏନ୍ ସବୁଠୁ ଶକ୍ତିଶାଳୀ ବିସ୍ଫୋରକ । ଆତଙ୍କବାଦୀମାନେ ଏହାକୁ ବହୁଳ ଭାବେ ବ୍ୟବହାର କରୁଛନ୍ତି । କାରଣ ପିଇଟିଏନ ଏକ ରଙ୍ଗହୀନ କ୍ରିଷ୍ଟାଲ । ଯାହାକୁ ଟ୍ରାକ୍ କରିବା ସହଜ ନୁହେଁ ।
ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା କଥା ହେଲା, ପିଇଟିଏନର ମାତ୍ର ଅଳ୍ପ ପରିମାଣ ବଡ ବିସ୍ଫୋରଣ ଘଟାଇପାରିବ । ୨୦୧୦ରେ ଏକ ପ୍ରିଣ୍ଟରର କ୍ୟାଟ୍ରିଜ୍ ବା କାଳି ରଖାଯାଉଥିବା ପାତ୍ରରେ ପିଇଟିଏନକୁ ରଖାଯାଇ ବିସ୍ପୋରଣ କରାଯାଇଥିଲା । ମାତ୍ର ୧୦୦ ଗ୍ରାମର ଏହି ଦ୍ରବ୍ୟ ସାମାନ୍ୟ ତାପମାତ୍ରାରେ ଏକ କାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିପାରିବ ।
ଆମୋନିୟମ ନାଇଟ୍ରେଟ୍ ଦ୍ୱାରା ଅଧିକ ମାତ୍ରାରେ ଶକ୍ତି ନିର୍ଗତ ହୁଏ । ଯାହା ବିସ୍ଫୋରଣ ଘଟାଇଥାଏ । ୨୦୧୧ ଦିଲ୍ଲୀ ହାଇକୋର୍ଟ ବ୍ଲାଷ୍ଟରେ ଆମୋନିୟମ ନାଇଟ୍ରେଟ୍ ଏବଂ ପିଇଟିଏନକୁ ବ୍ୟବହାର କରାଯାଇଥିବା ଫରେନ୍ସିକ୍ ଟିମ୍ କହିଥିଲା । କିନ୍ତୁ ଗୃହ ମନ୍ତ୍ରାଳୟ ପରେ କେବଳ ଆରଡିଏକ୍ସ ବ୍ୟବହାର ହୋଇଥିବା ପ୍ରକାଶ କରିଥିଲା । ତେବେ ସୋମବାର ଦିଲ୍ଲୀ ବିସ୍ଫୋରଣରେ କେବଳ ପିଇଟିଏନକୁ ଟାଇମ୍ ବମ୍ ହିସାବରେ ବ୍ୟବହାର କରାଯାଇଥିବା କିଛି ଅଧିକାରୀ କହିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର...
📱 Get Argus News App
✨Related Topics
Explore more stories