ଦିଲ୍ଲୀ ରାଜନୀତିରେ ଲେଖାହେଲା ନୂଆ ଅଧ୍ୟାୟ

Key Points
ଦିଲ୍ଲୀ ରାଜନୀତିରେ ଲେଖାହେଲା ନୂଆ ଅଧ୍ୟାୟ
27 ବର୍ଷ ପରେ ହେଲା ବିଜେପି ସରକାର
ପିଏମ୍ ମୋଦିଙ୍କ ଉପସ୍ଥିତିରେ ରାମଲୀଳା ମୈଦାନରେ ଭବ୍ୟ ଶପଥ ସମାରୋହ
ଦେଶର ଅଷ୍ଟାଦଶ, ବିଜେପିର ପଞ୍ଚମ ଓ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା
ରେଖାଙ୍କ ସହ ଶପଥ ନେଲେ 6 ଜଣ ମନ୍ତ୍ରୀ
ଉପସ୍ଥିତ ଥିଲେ ତମାମ କେନ୍ଦ୍ରମନ୍ତ୍ରୀ ଓ NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ଦେଶର ରାଜଧାନୀରେ ଆଜିଠୁ ଆରମ୍ଭ ହେଲା ଶାସନର ନୂଆ ଅଧ୍ୟାୟ। ଦିଲ୍ଲୀରେ ଶାସନ ବଦଳିବା ପରେ ଆଜି ପାଳନ ହୋଇଛି ଏ ଉତ୍ସବ। 27 ବର୍ଷର ବନବାସ ପରେ ବିଜେପିକୁ ଦିଲ୍ଲୀରେ ମିଳିଥିବା ବଡ଼ ବିଜୟ ଫଳରେ ଏ ଉଲ୍ଲାସ। ଦିଲ୍ଲୀକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ। ରାମଲୀଳା ମୈଦାନରୁ ଆଜି ଟଣାହୋଇଛି ରାଜନୀତିର ନୂଆ ରେଖା ।
ଦେଶର ଅଷ୍ଟାଦଶ, ବିଜେପିର ପଞ୍ଚମ ଓ ଦିଲ୍ଲୀର ଚତୁର୍ଥ ଏବଂ ଗତ 27 ବର୍ଷରେ ପ୍ରଥମ ଥର ଦିଲ୍ଲୀରେ ବିଜେପିକୁ ମିଳିଛନ୍ତି ମହିଳା ମୁଖ୍ୟମନ୍ତ୍ରୀ ।6 ଜଣ ଧୂରନ୍ଧର ମନ୍ତ୍ରୀଙ୍କ ସହ ଦିଲ୍ଲୀରେ ବିଜେପିର ଟିମ୍ ରେଖା ନିଜ ଇନିଂସର ଆରମ୍ଭ କରିସାରିଛି । ଏମାନେ ହେଲେ ନୂଆଦିଲ୍ଲୀରୁ କେଜ୍ରିଓ୍ବାଲଙ୍କୁ ହରାଇଥିବା ପରବେଶ ବର୍ମା, ଆଶିଷ ସିଂ ସୁଦ, ମନଜିନ୍ଦର ସିଂ ସିର୍ସା, ରବୀନ୍ଦର ଇନ୍ଦ୍ରଜ ସିଂ, କପିଲ ମିଶ୍ରା ଓ ପଙ୍କଜ କୁମାର ସିଂ।
ମଞ୍ଚରେ ପିଏମ୍ ମୋଦି, ଦିଲ୍ଲୀ ଉପରାଜ୍ୟପାଳ, ବହୁ କେନ୍ଦ୍ରମନ୍ତ୍ରୀ, ଅଧିକାଂଶ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ। ଯେଉଁ ମଞ୍ଚରେ ବିଜେପିର ନୂଆ ସରକାର ଶପଥ ନେଉଥିଲା, ସେଠାରେ କେବଳ ଦୁଇଟି ହିଁ ଶବ୍ଦ ହିଁ ଦେଖାଯାଉଥିଲା ବିକଶିତ ଦିଲ୍ଲୀ, ଯାହାର ଶପଥ ନେଲେ ରେଖା ଗୁପ୍ତା ଓ ତାଙ୍କ ଟିମର ମନ୍ତ୍ରୀ ।ହଜାର ହଜାର ସମର୍ଥକରେ ଖଚାଖଚ ଭରା ରାମଲୀଳା ମୈଦାନରେ ଯେତେବେଳେ ପିଏମ୍ ମୋଦି ଦିଲ୍ଲୀରେ ନିଜର ଏହି ନୂଆ ଟିମକୁ ଶାସନର ଭାର ଦେଉଥିଲେ, ସେଠି ପ୍ରତି ଚେହେରାରେ ଥିଲା ଆଗାମୀ ସ୍ବର୍ଣ୍ଣିମ ଦିନର ଆଶା।ଦିଲ୍ଲୀ ଗତ 10 ବର୍ଷରେ ଯେଉଁ ରାଜନୀତି ଦେଖିଛି, ଦିଲ୍ଲୀବାସୀ 10 ବର୍ଷରେ ଯେଉଁ ଶାସନ ଦେଖିଛନ୍ତି, ବଦହାଲ ଦିଲ୍ଲୀର ଯେଉଁ ଚିତ୍ର ସାରା ବିଶ୍ବ ଦେଖିଲା, ଦୂଷିତ ଯମୁନା, ବିଷାକ୍ତ ବାୟୁ, ମଇଳା ପାଣି, ବେହାଲ୍ ରାସ୍ତାର ଯେଉଁ ଦୁର୍ଦ୍ଦଶା ଦିଲ୍ଲୀ ସହୁଛି, ଏବେ ସେହି ଦୁର୍ଦ୍ଦିନ ଦୂର କରିବାର ଶପଥ ସହ ବିଜେପି ଶାସନର ରଥ ଚଢ଼ିଛି।
📱 Get Argus News App
✨ଦିଲ୍ଲୀରେ ଡବଲ୍ ଇଞ୍ଜିନ ସରକାର ଏବେ ଦେଶର ରାଜଧାନୀକୁ ୱାର୍ଲଡ କ୍ଲାସ୍ ସିଟି କରିବାର କାମ ଆରମ୍ଭ କରିଛି । ଶପଥ ଗ୍ରହଣ ପରେ ସଚିବାଳୟ ପହଞ୍ଚି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ରେଖା ଗୁପ୍ତା । ପ୍ରଥମ ଥର ବିଧାୟକ ଆଉ ମୁଖ୍ୟମନ୍ତ୍ରୀ ହୋଇଥିବା ରେଖା ଗୁପ୍ତାଙ୍କର ୧୯୭୪ରେ ହରିୟାଣାରେ ହୋଇଥିଲା ଜନ୍ମ। ପିଲାବେଳୁ ଥିଲେ RSSର ସକ୍ରିୟ ସଦସ୍ୟ। କଲେଜ ଜୀବନରୁ ଥିଲେ ଛାତ୍ର ରାଜନୀତିରେ ସକ୍ରିୟ। ABVPର କର୍ମକର୍ତ୍ତା ଭାବେ ୧୯୯୪-୯୫ କଲେଜରେ ସାଧାରଣ ସମ୍ପାଦିକା ଓ ୧୯୯୫-୯୬ରେ ଛାତ୍ର ସଂଘର ସେକ୍ରେଟାରୀ ହେଲେ। ୨୦୦୩-୦୪ରେ ହୋଇଥିଲେ ବିଜେପି ଯୁବ ମୋର୍ଚ୍ଚା ସେକ୍ରେଟାରୀ। ୨୦୦୪-୦୬ ଯୁବ ମୋର୍ଚ୍ଚାର ଜାତୀୟ ସଂପାଦିକା। ୨୦୦୭ରେ ଉତ୍ତର ପ୍ରିତମପୁରାରୁ କାଉନସିଲର ହେଲେ। ୨୦୧୦ରେ ହୋଇଥିଲେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ। ଦିଲ୍ଲୀର ଯେଉଁ ରାମଳୀଲା ମୈଦାନ ଏକ ଦଶକ ପୂର୍ବରୁ ରାଜନୀତିର ବଦଳୁଥିବା ଚିତ୍ର ଦେଖିଥିଲା, ଆଜି ସେହି ରାମଲୀଳା ମୈଦାନରେ ଟଣାଯାଇଛି ରାଜନୀତିର ନୂଆ ରେଖା।