Videos
|
National

ଶବ୍ଦର ଶିଳ୍ପୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ପୂଣ୍ୟ ତିଥି

Manini Pattanayak
Browse all articles by Manini Pattanayak
·2 years ago·2 min read
ଶବ୍ଦର ଶିଳ୍ପୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ପୂଣ୍ୟ ତିଥି

ନୂଆଦିଲ୍ଲୀ:  ରାଜନୀତିର ରଣବୀର, ଶବ୍ଦର ଶିଳ୍ପୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ପୂଣ୍ୟ ତିଥି। ଭାରତରେ ସଡ଼କ କ୍ରାନ୍ତିର ଜନକ ଭାବରେ ପରିଚିତ ଅଟଳ ବିହାରୀଙ୍କ ପ୍ରଧାନମନ୍ତ୍ରୀଙ୍କ ଶାସନ କାଳରେ ଦେଶରେ ଗମନାଗମନ କ୍ଷେତ୍ରରେ ହୋଇଥିଲା ଯୁଗାନ୍ତକାରୀ ପରିବର୍ତ୍ତନ। ସ୍ବର୍ଣ୍ଣ ଚତୁର୍ଭୁଜ ଯୋଜନା ହେଉ କି  ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଏହା ଦେଶକୁ ଦେଇଛି ନୂଆ ଦିଶା। ପୁଣ୍ୟ ତିଥିରେ ବିକାଶ ପୁରୁଷଙ୍କୁ ମନେ ପକାଉଛି ପୂରା ଦେଶ।  ରାଜନୀତିର ରଣବୀର, ଶବ୍ଦର ଶିଳ୍ପୀ, ତର୍କର ତୀରନ୍ଦାଜ, କାଳଜୟୀ କବି, ଦିଗନ୍ତବିସ୍ତାରୀ ଦାର୍ଶନିକ, ବିଶାଳ ବ୍ୟକ୍ତିତ୍ବ  । ଅଟଳ ସଂଘର୍ଷ, ଅଟଳ ସାହସ, ଅଟଳ ସଂକଳ୍ପ, ଅଟଳ ପରିଶ୍ରମ ଆଉ ଅଟଳ ଧୈର୍ଯ୍ୟ । କାଳର କପାଳରେ ଲେଖିବା, ଲିଭାଇବାର ସଙ୍କଳ୍ପ ନେଇ ଚାଲୁଥିବା ମଣିଷ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ। ଗ୍ବାଲିଅରର ଗଳିରୁ ଆରମ୍ଭ କରି ସଂସଦର ସେଣ୍ଟ୍ରାଲ ହଲ୍ ପର୍ଯ୍ୟନ୍ତ । ନୀତିରେ, ଦର୍ଶନରେ, କଥନରେ ଅସମ୍ଭବ ଧୀମତା ପାଇଁ ଯିଏ ବନିଯାଇଥିଲେ ହିନ୍ଦୁ ହୃଦୟ ସମ୍ରାଟ, ଅଟଳ ବିହାରୀ ବାଜପେୟୀ।

 ଆଜି ଅଟଳଙ୍କର ପୁଣ୍ୟତିଥି। ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ବାଜପେୟୀଙ୍କ ସ୍ମାରକୀସ୍ଥଳ ‘ସଦୈବ ଅଟଳ’ରେ ଆୟୋଜିତ ପ୍ରାର୍ଥନା ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଲୋକସଭା ବାଚସ୍ପତ୍ ଓମ୍ ବିର୍ଲା ଏବଂ କେନ୍ଦ୍ର କ୍ୟାବିନେଟ୍‌ର ଅନେକ ମନ୍ତ୍ରୀ ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି ଅଜାତଶତ୍ରୁ ତଥା ସୁଶାସନର ପ୍ରଣେତା ବାଜପେୟୀଙ୍କୁ ନମନ କରିଛନ୍ତି । ବାଜପେୟୀଙ୍କୁ ନିଜର କାର୍ଯ୍ୟ ପାଇଁ ବିକାଶ ପୁରୁଷ ଭାବେ ପରିଗଣିତ କରାଯାଉଛି । ବିଶେଷ କରି ଦେଶରେ ସଡ଼କ କ୍ରାନ୍ତିର ସେ ଥିଲେ ଜନକ । ସ୍ବର୍ଣ୍ଣ ଚତୁର୍ଭୁଜ ସଡ଼କ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଦେଶରେ ଯୋଗାଯୋଗ ପରିବହନ କ୍ଷେତ୍ରେରେ ଦେଶର ଦଶା ଓ ଦିଶା ପରିବର୍ତ୍ତନ କରିଦେଇଥିଲା । ଆର୍ଥିକ ବ୍ୟବସ୍ଥାରେ ଗତି ପାଇଁ ଦେଶରେ ପରିବହନ ବ୍ୟବସ୍ଥାର ପୁନରୁତ୍ଥାନ ଆବଶ୍ୟକ ବୋଲି ହୃଦୟଙ୍ଗମ କରିଥିଲେ ବାଜପେୟୀ । ସେଥିପାଇଁ ଦେଶର 4 ବୃହତ ସହର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ମଧ୍ୟରେ ଆରମ୍ଭ କରିଥିଲେ ସ୍ବର୍ଣ୍ଣ ଚତୁର୍ଭଜ ଜାତୀୟ ରାଜପଥ ଯୋଜନା ।

ଫଳରେ ଜାତୀୟ ସଡ଼କପଥ ବ୍ୟବସ୍ଥାରେ ଆସିଥିଲା ଅଦ୍ଭୂତପୂର୍ବ କ୍ରାନ୍ତି । ସେହି ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ସେ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା । ଏହି ଦୁଇ ଯୋଜନା ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଯାହାକୁ କୌଣସି ଭାରତୀୟ ମଧ୍ୟ ଅସ୍ବୀକାର କରିପାରିବେ ନାହିଁ ।   ମଧ୍ୟପ୍ରଦେଶ ଗ୍ବାଲିଅରରେ ଜନ୍ମିତ ବାଜପେୟୀ ୪ଟି ଭିନ୍ନ ଭିନ୍ନ ରାଜ୍ୟରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶା ସହ ମଧ୍ୟ ତାଙ୍କର ସମ୍ପର୍କ ନିବିଡ଼ ଥିଲା । ୧୯୯୯ ମହାବାତ୍ୟା ସମୟରେ ଓଡ଼ିଶା ସହ କାନ୍ଧ ମିଶାଇ ଛିଡ଼ା ହେବା ହେଉ କି ଭୁବନେଶ୍ବରରେ ଏମ୍ସ ପ୍ରତିଷ୍ଠା । ସେଥିପାଇଁ ଏମ୍ସରେ ବି ଅଟଳଙ୍କର ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କୁ ସଲାମ ଜଣାଇଛନ୍ତି । ଓଡ଼ିଶା ପ୍ରତି ବାଜପେୟୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଥିଲା । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: