ଏବେ ବି ସମାଜରେ ରହିଛି ଏଭଳି କୁତ୍ସିତ ପ୍ରଥା...

Key Points
ଧଡ଼ିଚା ପ୍ରଥା ଅନୁସାରେ ପତ୍ନୀ ଏବଂ ଝିଅମାନଙ୍କୁ ଭଡାରେ ଦିଆଯାଏ ।
ବିଭିନ୍ନ ସଂସ୍କୃତି, ପ୍ରଥା ଓ ପରମ୍ପରା ପାଇଁ ଜଣାଶୁଣା ଭାରତର ହୃଦୟ କୁହାଯାଉଥିବା ମଧ୍ୟପ୍ରଦେଶରେ ଏବେ ବି ଏପରି କିଛି କୁପ୍ରଥା ରହିଛି, ଯାହା ଶୁଣିଲେ କାନକୁ ବିଶ୍ୱାସ ହେବ ନାହିଁ । ଆଜିକା ସମୟରେ ଏପରି ଘଟଣା ଘଟୁଥିବା କଥା କେହି ବିଶ୍ୱାସ କରିପାରିବେ ନାହିଁ । ଏଥିମଧ୍ୟରୁ ଗୋଟିଏ ହେଲା ଧଡ଼ିଚା ପରମ୍ପରା । ଏହି କୁପ୍ରଥା ଅନୁସାରେ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଝିଅବୋହୂଙ୍କୁ ଭଡ଼ାରେ ଦିଆଯାଏ । କେବଳ ଏତିକି ନୁହେଁ ଝିଅବୋହୂଙ୍କୁ ଭଡ଼ାରେ ଦେବା ପାଇଁ ଏଠାରେ ନିୟମିତ ନିଲାମ ଡକାଯାଏ । ମହିଳା ଓ ଝିଅଙ୍କ ବ୍ୟକ୍ତିତ୍ୱ ଓ ସୌନ୍ଦର୍ଯ୍ୟ ହିସାବରେ ବିଡିଂ ହୁଏ । ତେବେ ଆସନ୍ତୁ ଜାଣିବା ମଧ୍ୟପ୍ରଦେଶର ଏହି ଧଡ଼ିଚା ପ୍ରଥା କ’ଣ ?
ଧଡ଼ିଚା ପ୍ରଥା ଅନୁସାରେ ପତ୍ନୀ ଏବଂ ଝିଅମାନଙ୍କୁ ଭଡାରେ ଦିଆଯାଏ । ଏହି ପରମ୍ପରା ଅନୁଯାୟୀ ମହିଳାଙ୍କୁ ହାଟରେ ପରିବା ଭଳି ସଜା ଯାଇଥାଏ । ବଜାରରେ ମହିଳା ଏବଂ ଝିଅଙ୍କ ସୌନ୍ଦର୍ଯ୍ୟ ଆଧାରରେ ନିଲାମ ହୁଏ । ଧଡ଼ିଚା ପ୍ରଥା ଏକପ୍ରକାର କୁରୀତି ଅଟେ । ପୂର୍ବରୁ ଏହି ପ୍ରଥା ଥିଲା କି ନାହିଁ ସେସମ୍ପର୍କରେ ସ୍ପଷ୍ଟ ସୂଚନା ନାହିଁ ।
ଏହି ପ୍ରଥାରେ ଅନ୍ୟମାନଙ୍କର ଝିଅବୋହୂମାନଙ୍କୁ ଭଡ଼ାରେ ନିଆଯାଇପାରେ । ଏଥିପାଇଁ ଏକ ଦେୟ ଚୁକ୍ତି ହୋଇଥାଏ । ଏହି ପ୍ରକ୍ରିୟାରେ ଷ୍ଟାମ୍ପ ପେପରରେ ୧୦ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଚୁକ୍ତିନାମା କରାଯାଇଥାଏ । ଚୁକ୍ତିନାମା ଉପରେ ଉଭୟ ପକ୍ଷର ସର୍ତ୍ତ ଏବଂ ନିୟମ ଲେଖାଯାଇ ଥାଏ ।
📱 Get Argus News App
✨
କୁହାଯାଏ ଧଡ଼ିଚା ପ୍ରଥା ଅନୁସାରେ ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ସମୟରେ ନିଲାମ ଡକାଯାଏ । ଯେତେବେଳେ ଝିଅବୋହୂଙ୍କ ବଜାର ବସେ, ସେମାନଙ୍କୁ କିଣିବା ପାଇଁ ଦୂରଦୂରାନ୍ତରରୁ ପୁରୁଷ ଲୋକ ଆସନ୍ତି । ମହିଳାଙ୍କ ଚାଲିଚଳଣ, ଆଚାରବ୍ୟବହାର ଦେଖି ପୁରୁଷମାନେ ଦାମ ଦେଇଥାଆନ୍ତି । ତେବେ ସତରେ ଏପରି ହୁଏ କି ନାହିଁ ସେସମ୍ପର୍କରେ ସ୍ପଷ୍ଟ ସୂଚନା ନାହିଁ ।
ଗଣମାଧ୍ୟମ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବଜାରରେ ମହିଳାଙ୍କ ମୂଲ୍ୟ ୧୫ ହଜାରରୁ ଆରମ୍ଭ ହୋଇ ସର୍ବାଧିକ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । ଏପରି ସ୍ଥିତିରେ ପୁରୁଷମାନେ ମୂଲ୍ୟ ଦେଇ ମହିଳାଙ୍କୁ ଏକ ବର୍ଷ କିମ୍ବା ତା’ଠାରୁ କମ୍ ସମୟ ପାଇଁ ନିଜ ଘରକୁ ନେଇଥାନ୍ତି । ଏହାରି ଭିତରେ କୌଣସି ମହିଳା ଯଦି ପୁରୁଷଙ୍କୁ ପସନ୍ଦ ଆସିଯାଆନ୍ତି, ତଥାପି ଏଗ୍ରିମେଣ୍ଟ ସମୟ ସୀମା ବୃଦ୍ଧି କରାଯାଇପାରିବ ନାହିଁ । ଏଥିପାଇଁ ବଜାରକୁ ଯାଇ ପୁନର୍ବାର ଚୁକ୍ତିନାମା କରିବାକୁ ପଡିବ ।
ପୁରୁଷମାନେ ନିଜର ଭିନ୍ନ ଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ମହିଳାଙ୍କୁ ଏହି ହାଟରୁ କିଣିଥାଆନ୍ତି । ଉଦାହରଣ ସ୍ୱରୂପ, ଯଦି କେହି ତାଙ୍କ ମା’ର ସେବା କରିବାକୁ ଚାହାଁନ୍ତି, ତେବେ ବିବାହର ନାଟକ କରି ମହିଳାଙ୍କୁ ଭଡ଼ାରେ ନେଇପାରିବେ । ଏହା ବ୍ୟତୀତ ସେ ମହିଳାଙ୍କୁ ତାଙ୍କ ସହିତ ସମୟ ବିତାଇବା ପାଇଁ ମଧ୍ୟ ପୁରୁଷମାନେ ନେଇଯାଆନ୍ତି ।