କୋର୍ଟକୁ ଯାଉଥିଲେ ସନ୍ଦୀପ : ଘୋଷାରି ବାଡେଇ ପକାଇଲେ ଉତ୍ୟକ୍ତ ଲୋକେ

ଅର୍ଗସ ବ୍ୟୁରୋ : କୋଲକତା ଦୁଷ୍କର୍ମ ମାମଲାରେ ଫଶିଥିବା ଆର ଜି କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ କୋର୍ଟକୁ ନେବା ବେଳେ ଖୋବି ଦେଇଗଲେ ଉତ୍ୟକ୍ତ ଲୋକେ । ସ୍ଥିତି ଏମିତି ହେଲା ଯେ କେହି ମୁହୂର୍ତ୍ତ ଲାଗି ଅଣନିଶ୍ଵାସୀ ହୋଇଗଲା ପୋଲିସ । କେମିତି ଉତ୍ୟକ୍ତ ଲୋକଙ୍କଠାରୁ ସନ୍ଦୀପଙ୍କୁ ମୁକୁଳାଇବ ସେନେଇ ପୋଲିସର ବୋହି ଯାଇଥିଲା ଗମଗମ ଝାଳ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସନ୍ଦୀପ ଘୋଷ । ଏବେ ପୁରା ଦେଶରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । କାରଣ ଯେଉଁପରି ଢଙ୍ଗରେ ମେଡିକାଲ ପରିସରରେ ଦୁଷ୍କର୍ମ ହେଲା, ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଆଗଲା ସେଥିରୁ ଗୋଟିଏ କଥା ସ୍ପଷ୍ଟ କି ପୁରା ମାମଲାରେ ସନ୍ଦୀପଙ୍କର ରହିଛି ସଂପୃକ୍ତି । ସେଇଥି ଲାଗି ତ ତାଙ୍କୁ ବାନ୍ଧି ଏବେ ତଦନ୍ତ କରୁଛି ସିବିଆଇ ।
ସୂଚନା ଅନୁସାରେ, ସୋମବାର ସିବିଆଇ ଆରଜି କର ମେଡିକାଲ୍ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ, ତାଙ୍କର ଅତିରିକ୍ତ ସୁରକ୍ଷା କର୍ମୀ ଅଫସର ଅଲିଙ୍କ ସମେତ ବିପ୍ଲାବ ସିଂଘ ଓ ସୁମନ ହଜ୍ରା ନାମକ ଅନ୍ୟ ଦୁଇଜଣଙ୍କୁ ଆରଜି କର ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଗିରଫ କରିଛି । ଗିରଫ ପରେ ମଙ୍ଗଳବାର ଦିନ କୋଲକାତାର ଆଲିପୋର କୋର୍ଟରେ ହାଜର କରାଯାଇଥିଲା । ହେଲେ କୋର୍ଟ ପରିସରକୁ ଯିବାବେଳେ ଓକିଲଙ୍କ ସମେତ ବହୁ ଜନତା ତାଙ୍କୁ ଘେରିଥିଲେ ଏବଂ ଚୋର, ଚୋର ସ୍ଲୋଗାନ ଦେବାକୁ ପଛାଇ ନଥିଲେ । ଏହାରି ଭିତରେ କୋର୍ଟରୁ ବାହାରିବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରି ଏକ ଚାପୁଡ଼ା ମାରିଥିଲେ ।
ନାକେଦମ ହେଲେ ସିବିଆଇ ଓ ସିଏସଏଫ କର୍ମଚାରୀ
📱 Get Argus News App
✨ସନ୍ଦୀପଙ୍କୁ କୋର୍ଟ ନେବା ବେଳେ କୋର୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସନ୍ଦୀପ ଘୋଷ ଏବଂ ସହ-ଅଭିଯୁକ୍ତମାନେ କୋର୍ଟ ପରିସରରୁ ବାହାରକୁ ଯାଉଥିବା ବେଳେ ବହୁ ଜନସମାଗମ ହେବା ସହିତ ତାଙ୍କୁ ଲୋକେ ଘେରିଯାଇଥିଲେ । ଯାହା ଫଳରେ ସିବିଆଇ ଅଧିକାରୀ ଏବଂ ସିଏସ୍ଏଫ୍ କର୍ମଚାରୀ ସେମାନଙ୍କୁ କାରରେ ପହଞ୍ଚାଇବା ପାଇଁ ସଂଘର୍ଷ କରିଥିଲେ । ସୂଚନା ଅନୁସାରେ, ପ୍ରାୟ ୧୫୦ ଘଣ୍ଟା ପଚରାଉଚରା ପରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସେପ୍ଟେମ୍ବର ୨ରେ ଗିରଫ କରାଯାଇଥିଲା । ଏହାରି ଭିତରେ ନୂଆ ବିଲ ଆଣିଛନ୍ତି ମମତା ସରକାର । ବିଲ୍ ଅନୁସାରେ ଦୁଷ୍କର୍ମ ପ୍ରମାଣ ହେଲେ ୧୦ ଦିନରେ ମିଳିବ ଫାଶୀ ।