Inspiring Story / ଶେଷ ନିଃଶ୍ୱାସ ପରେ ବି ଅମର ରହିବେ ରୋହିତା, ଅଙ୍ଗଦାନ କରି ୬ ଜଣଙ୍କ ଜୀବନରେ ଭରିଲେ ଖୁସିର ଆଲୋକ

Key Points
ଦୁନିଆ ଛାଡ଼ିବା ପୂର୍ବରୁ ୬ ଜଣଙ୍କୁ ଦେଇଗଲେ ନୂଆ ଜୀବନ, ହୃଦୟ ଜିତିଲା ରୋହିତାଙ୍କ ପରିବାରର ମହାନତା
ଝିଅକୁ ହରାଇ ବି ମାନବିକତା ଭୁଲିଲେନି ପରିବାର, ୧୩ ବର୍ଷୀୟାଙ୍କ ଅଙ୍ଗଦାନରେ ବଞ୍ଚିଲେ ୬ ଜଣ
ଶେଷ ନିଃଶ୍ୱାସ ପରେ ବି ଅମର ରହିବେ ରୋହିତା, ଅଙ୍ଗଦାନ କରି ୬ ଜଣଙ୍କ ଜୀବନରେ ଭରିଲେ ଖୁସିର ଆଲୋକ
ଜୀବନ ଯିବା ପରେ ମଧ୍ୟ ୬ ଜଣଙ୍କ ଜୀବନରେ ଆଶାର ଆଲୋକ ଭରିଦେଲେ ଜଣେ ୧୩ ବର୍ଷୀୟା ନାବାଳିକା । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଏଭଳି ଦୁଃଖଦ ସମୟରେ ମଧ୍ୟ ପରିବାର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇ ମହାନତାର ପରିଚୟ ଦେଇଛନ୍ତି ।
ମୃ*ତ ନାବାଳିକାଙ୍କ ନାମ ଗୁଡା ରୋହିତା । ସେ କୁକଟପଲ୍ଲୀର ଏକ ସରକାରୀ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିଲେ । ଗତ ଅକ୍ଟୋବର ୨୦ ତାରିଖରେ ସେ ପରିବାର ସହ ମନ୍ଦିରରୁ ଅଟୋ ରିକ୍ସାରେ ଫେରୁଥିବା ସମୟରେ ବାଲାନଗର ଫ୍ଲାଏଓଭର ନିକଟରେ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ ଗାଡ଼ି ଅଟୋକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ରୋହିତା ଗୁରୁତର ଆହତ ହୋଇଥିଲେ ।
ତାଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ସମସ୍ତ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା । ଶେଷରେ ଅକ୍ଟୋବର ୩୦ ତାରିଖରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ।
ଏଥି ସହ ପଢନ୍ତୁ: ଏକେ-୪୭ ଛାଡ଼ି ଡାଣ୍ଡିଆ ତାଳରେ ଝୁମିଲେ ମହିଳା କମାଣ୍ଡୋ, ପୋଲିସ ଲାଇନ୍ରେ ଉତ୍ସବର ମାହୋଲ
ଦୁଃଖରେ ବି ଅଙ୍ଗଦାନ ପାଇଁ ଆଗେଇ ଆସିଲେ ପରିବାର
ଝିଅକୁ ହରାଇ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଥିଲା । ତଥାପି ଏହି କଠିନ ସମୟରେ ରୋହିତାଙ୍କ ବାପା ନାରାୟଣ ରାଓ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଅଙ୍ଗଦାନ ପାଇଁ ସମ୍ମତି ଦେଇଥିଲେ । ଜୀବନଦାନ ଅଙ୍ଗଦାନ କାର୍ଯ୍ୟକ୍ରମ ଅଧୀନରେ ରୋହିତାଙ୍କ ଅଙ୍ଗଦାନ କରାଯାଇଥିଲା ।
ତାଙ୍କର ଦୁଇଟି କିଡନୀ, ଲିଭରର ଦୁଇଟି ଅଂଶ ଏବଂ ଉଭୟ ଆଖିର କର୍ଣ୍ଣିଆ ଦାନ କରାଯାଇଥିଲା । ଏହାଦ୍ୱାରା ମୋଟ ୬ ଜଣ ଆବଶ୍ୟକତା ଥିବା ରୋଗୀ ଉପକୃତ ହୋଇଛନ୍ତି ।
ପରିବାରର ମହାନ ନିଷ୍ପତ୍ତିକୁ ପ୍ରଶଂସା କଲେ ପୋଲିସ କମିଶନର
ଏହି ଘଟଣାରେ ହାଇଦ୍ରାବାଦ ପୋଲିସ କମିଶନର ଭି.ସି. ସଜ୍ଜନାର ଗଭୀର ଶୋକ ପ୍ରକାଶ କରିବା ସହ ରୋହିତାଙ୍କ ପରିବାରର ଅଙ୍ଗଦାନ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ନିଜ ଝିଅକୁ ହରାଇବାର ଅସହ୍ୟ ଦୁଃଖ ମଧ୍ୟରେ ପରିବାର ଅଙ୍ଗଦାନ ପାଇଁ ଆଗେଇ ଆସି ଅନ୍ୟମାନଙ୍କ ପାଇଁ ଏକ ମହାନ ଉଦାହରଣ ସୃଷ୍ଟି କରିଛନ୍ତି ।
ଶେଷ ନିଃଶ୍ୱାସ ପରେ ମଧ୍ୟ ଛୋଟ ରୋହିତା ୬ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ତାଙ୍କର ଏହି ନିଃସ୍ୱାର୍ଥପର ଅଙ୍ଗଦାନ ସବୁଦିନ ପାଇଁ ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଛନ୍ତି । ଏଥିସହ ସେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ରୋହିତାଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି ।
📱 Get Argus News App
✨Related Topics
Explore more stories