Videos
|
National

Marathon Running / ଗର୍ଭାବସ୍ଥାର ମାରାଥନ୍ ଦୌଡ଼ିଲେ, ଗୋଟିଏ ବର୍ଷରେ ପୂରଣ କଲେ ବିଶ୍ୱର ୭ଟି ବଡ଼ ମାରାଥନ୍‌ର ସ୍ୱପ୍ନ

Rashmita Mishra
Browse all articles by Rashmita Mishra
·32 mins ago·3 min read
ଗର୍ଭାବସ୍ଥାର ମାରାଥନ୍ ଦୌଡ଼ିଲେ, ଗୋଟିଏ ବର୍ଷରେ ପୂରଣ କଲେ ବିଶ୍ୱର ୭ଟି ବଡ଼ ମାରାଥନ୍‌ର ସ୍ୱପ୍ନ
Marathon Running

Key Points

ଗର୍ଭାବସ୍ଥାର ୩୪ତମ ସପ୍ତାହରେ ମାରାଥନ୍ ଦୌଡ଼ିଲେ ମହିଳା,
ଗୋଟିଏ ବର୍ଷରେ ପୂରଣ କଲେ ବିଶ୍ୱର ୭ଟି ବଡ଼ । 

ସାଧାରଣତଃ ମାରାଥନ୍ ଦୌଡ଼ିବା ଏକ ବଡ଼ ଚ୍ୟାଲେଞ୍ଜ । ଏଥିପାଇଁ ଲୋକେ ମାସ ମାସ ଧରି ଅଭ୍ୟାସ କରିବା ସହ ନିଜ ଫିଟନେସ୍‌ ଉପରେ ବିଶେଷ ଧ୍ୟାନ ଦିଅନ୍ତି । କିନ୍ତୁ ଗର୍ଭବତୀ ଅବସ୍ଥାରେ ଯଦି କେହି ମାରାଥନ୍ ଦୌଡ଼ନ୍ତି, ତେବେ ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ । ଆମେରିକାର ୩୮ ବର୍ଷୀୟା ମହିଳା ଡିଏଡ୍ରେ କିନ୍ (Deirdre Keane) ଏଭଳି ଏକ ଅସାଧାରଣ ଉଦାହରଣ ସୃଷ୍ଟି କରିଛନ୍ତି । ସେ ଗର୍ଭବତୀ ଥାଇ ଗୋଟିଏ ବର୍ଷ ମଧ୍ୟରେ ବିଶ୍ୱର ୭ଟି ପ୍ରମୁଖ ମାରାଥନ୍ ସମ୍ପୂର୍ଣ୍ଣ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଗର୍ଭଧାରଣର ୩୪ତମ ସପ୍ତାହରେ ମଧ୍ୟ ସେ ନ୍ୟୁୟର୍କ ମାରାଥନ୍ ପୂରଣ କରିଛନ୍ତି ।

ଗୋଟିଏ ବର୍ଷରେ ୭ଟି ମାରାଥନ୍ ଦୌଡ଼ିବା ଥିଲା ଲକ୍ଷ୍ୟ

ଡିଏଡ୍ରେ ନ୍ୟୁୟର୍କର ବାସିନ୍ଦା । ସେ ପେସାରେ ଜଣେ ନର୍ସ ପ୍ରାକ୍ଟିସନର ଏବଂ ମ୍ୟାନେଜମେଣ୍ଟ କନସଲଟାଣ୍ଟ । ଏହା ପୂର୍ବରୁ ସେ ୬୦ରୁ ଅଧିକ ମାରାଥନ୍ ଦୌଡ଼ି ସାରିଥିଲେ । ୨୦୨୬ରେ ସେ ଗୋଟିଏ ବର୍ଷ ମଧ୍ୟରେ ବିଶ୍ୱର ୭ଟି ବଡ଼ ମାରାଥନ୍ ପୂରଣ କରିବାକୁ ଲକ୍ଷ୍ୟ ରଖିଥିଲେ ।

ଗତବର୍ଷ ସେ ବ୍ରାୟନଙ୍କୁ ବିବାହ କରିଥିଲେ । ଦୁହେଁ ପରିବାର ବଢ଼ାଇବାକୁ ଯୋଜନା କରୁଥିଲେ । କିନ୍ତୁ ଗର୍ଭଧାରଣ ପାଇଁ କିଛି ସମୟ ଲାଗିପାରେ ବୋଲି ଭାବି ଡିଏଡ୍ରେ ୧୧ଟି ପ୍ରତିଯୋଗିତା ପାଇଁ ପଞ୍ଜୀକରଣ କରିଥିଲେ ।

ମାର୍ଚ୍ଚରେ ଟୋକିଓ ମାରାଥନ୍‌ରୁ ତାଙ୍କ ଯାତ୍ରା ଆରମ୍ଭ ହୋଇଥିଲା । ଏପ୍ରିଲରେ ସେ ବୋଷ୍ଟନ୍ ଓ ଲଣ୍ଡନ ମାରାଥନ୍‌ରେ ଭାଗ ନେଇଥିଲେ । ଏହି ସମୟରେ ତାଙ୍କ ଦୌଡ଼ିବାର ଗତି ପୂର୍ବ ଭଳି ନଥିବା ଅନୁଭବ କରିଥିଲେ । ପରେ ପ୍ରେଗ୍ନାନ୍ସି ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ୍ ଆସିଥିଲା ।

ଡାକ୍ତରଙ୍କ ପରାମର୍ଶରେ ବଦଳାଇଲେ ରଣନୀତି

ଗର୍ଭଧାରଣ ବିଷୟରେ ଜାଣିବା ପରେ ଡିଏଡ୍ରେ ଓ ତାଙ୍କ ସ୍ୱାମୀ କିଛିଟା ଚିନ୍ତିତ ହୋଇପଡ଼ିଥିଲେ । ତେବେ ଡାକ୍ତରଙ୍କ ପରାମର୍ଶ ନେବା ପରେ ସେ ନିଜ ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ଛାଡ଼ି ନଥିଲେ । ସେ ଆଇରନ୍‌ମ୍ୟାନ୍ ଓ ଅନ୍ୟ ଅଲଟ୍ରା ମାରାଥନ୍‌ରୁ ଓହରି ଯାଇଥିଲେ । ଏଥିସହ ଦୌଡ଼ିବା ସମୟରେ ଗତି ବଢ଼ାଇବା ପାଇଁ ଚାପ ନନେବା ଏବଂ ଆବଶ୍ୟକ ପଡ଼ିଲେ ଚାଲିବାକୁ ନିଷ୍ପତ୍ତି ନେଇଥିଲେ। ଖାଦ୍ୟପେୟ, ପର୍ଯ୍ୟାପ୍ତ ପାଣି ପିଇବା ଓ ଶରୀରର ସଙ୍କେତ ପ୍ରତି ସତର୍କ ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ।

୩୪ ସପ୍ତାହରେ ନ୍ୟୁୟର୍କ ମାରାଥନ୍ ପୂରଣ
ଗର୍ଭାବସ୍ଥାରେ ଡିଏଡ୍ରେ ସିଡନୀ, ବର୍ଲିନ୍ ଓ ଚିକାଗୋ ମାରାଥନ୍‌ରେ ମଧ୍ୟ ଭାଗ ନେଇଥିଲେ । ସିଡନୀ ମାରାଥନ୍ ସମୟରେ ସେ ୨୫ ସପ୍ତାହ, ବର୍ଲିନ୍‌ରେ ୨୯ ସପ୍ତାହ ଏବଂ ଚିକାଗୋରେ ୩୧ ସପ୍ତାହର ଗର୍ଭବତୀ ଥିଲେ । ଶେଷରେ ନଭେମ୍ବର ୧ ତାରିଖରେ ୩୪ ସପ୍ତାହର ଗର୍ଭବତୀ ଅବସ୍ଥାରେ ସେ ନ୍ୟୁୟର୍କ ମାରାଥନ୍‌ରେ ଭାଗ ନେଇଥିଲେ । ୪ ଘଣ୍ଟା ୬ ମିନିଟ୍ ୫୫ ସେକେଣ୍ଡରେ ଦୌଡ଼ ଶେଷ କରିଥିଲେ । ଏହା ଥିଲା ତାଙ୍କର ସପ୍ତମ ମାରାଥନ୍ । ଏଥିସହ ଗୋଟିଏ ବର୍ଷରେ ୭ଟି ପ୍ରମୁଖ ମାରାଥନ୍ ପୂରଣ କରିବାର ସ୍ୱପ୍ନ ସାକାର ହୋଇଥିଲା ।

ବାପାଙ୍କଠାରୁ ପାଇଥିଲେ ପ୍ରେରଣା
ଡିଏଡ୍ରେଙ୍କ ଏହି ସଫଳତା ପଛରେ ରହିଛି ଏକ ଭାବପ୍ରବଣ କାହାଣୀ । ମାତ୍ର ୧୩ ବର୍ଷ ବୟସରେ ସେ କର୍କଟ ରୋଗରେ ନିଜ ବାପା ଜନ୍‌ଙ୍କୁ ହରାଇଥିଲେ । ତାଙ୍କ ବାପା ମଧ୍ୟ ମାରାଥନ୍ ଦୌଡ଼ିବାକୁ ବହୁତ ଭଲ ପାଉଥିଲେ । ରୋଗରେ ପୀଡ଼ିତ ଥିବା ସତ୍ତ୍ୱେ ସେ ଦୌଡ଼ିବା ଜାରି ରଖିଥିଲେ । ଏପରିକି ଅସ୍ତ୍ରୋପଚାରର ଠିକ୍ ଗୋଟିଏ ଦିନ ପୂର୍ବରୁ ମଧ୍ୟ ସେ ନ୍ୟୁୟର୍କ ମାରାଥନ୍ ପୂରଣ କରିଥିଲେ ।

କଲେଜ ସମୟରେ ବାପାଙ୍କ ସ୍ମୃତିରେ ଡିଏଡ୍ରେ ମାରାଥନ୍ ଦୌଡ଼ିବା ଆରମ୍ଭ କରିଥିଲେ । ଏବେ ସେ ନିଜ ପୁଅକୁ ମଧ୍ୟ ଶିଖାଇବାକୁ ଚାହାନ୍ତି ଯେ ଜୀବନରେ ଯେତେ ବାଧା ଆସିଲେ ମଧ୍ୟ ହାର ନମାନି ସାହସର ସହ ତାହାର ସାମ୍ନା କରିବା ଉଚିତ । ଡିଏଡ୍ରେଙ୍କ କାହାଣୀ ନିଶ୍ଚିତ ଭାବେ ଅନେକଙ୍କୁ ପ୍ରେରଣା ଦେବ । ତେବେ ଗର୍ଭାବସ୍ଥାରେ ମାରାଥନ୍ ଭଳି କଠିନ ବ୍ୟାୟାମ ସବୁ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ । ଏଭଳି କୌଣସି କାର୍ଯ୍ୟ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: