Putin In India / ଆଜି ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

Key Points
ଆଜି ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ
ମୋଦି-ପୁଟିନଙ୍କ ସାକ୍ଷାତକୁ ସାରା ଦୁନୀଆର ନଜର
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କରିବେ ଆଲୋଚନା
ଆଜି ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୨୩ତମ ଭାରତ-ରୁଷିଆ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ । ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । ଭାରତ ଏବଂ ରୁଷ ମଧ୍ୟରେ ଅନେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହେବ। ରୁଷ ରାଷ୍ଟ୍ରପତିଙ୍କ ସହଯୋଗୀ ୟୁରି ଉଷାକୋଭ କହିଛନ୍ତି ଯେ ଏହି ଗସ୍ତ ସମୟରେ ୧୦ଟି ସରକାରୀ ଚୁକ୍ତିନାମା ଏବଂ ୧୫ରୁ ଅଧିକ ବାଣିଜ୍ୟ ଏବଂ ଅନ୍ୟାନ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବ ।
ରୁଷ ଏବଂ ଭାରତୀୟ ନେତାମାନେ ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ ବିଷୟରେ ଆଲୋଚନା କରିବେ। ଉଭୟ ଦେଶ ପରସ୍ପର ସହିତ ବାଣିଜ୍ୟ ବିସ୍ତାର କରିବାକୁ ଆଗ୍ରହୀ । ଏହି ଗସ୍ତ ଉଭୟ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବ । ପୁଟିନଙ୍କ ଗସ୍ତ ଚୀନ୍-ପାକିସ୍ତାନର ଯୋଜନାକୁ ଏକ ବଡ଼ ଧକ୍କା ଦେବ। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ମୋଦି-ପୁଟିନଙ୍କ ସାକ୍ଷାତକୁ ବିଶ୍ୱ କୂଟନୀତିରେ ଭାରତର ରଣନୈତିକ ସ୍ୱାୟତ୍ତତାର ଏକ ପ୍ରମୁଖ ସଙ୍କେତ ଭାବରେ ଦେଖାଯାଉଛି ।
ସୂଚନାନୁଯାୟୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଗୁରୁବାର ଦିଲ୍ଲୀରେ ପହଞ୍ଚିବେ । ପୁଟିନଙ୍କ ଗସ୍ତ ପାଇଁ ଦିଲ୍ଲୀରେ ଅତ୍ୟାଧୁନିକ ଓ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହୋଇଛି । ଭାରତୀୟ ଓ ରୁଷ୍ ସୁରକ୍ଷା ଏଜେନ୍ସିଗୁଡ଼ିକ ଏଥିପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ରୁଷ୍ରୁ ପ୍ରାୟ ୫୦ରୁ ଅଧିକ ସୁରକ୍ଷା ଅଧିକାରୀ ପୂର୍ବରୁ ଦିଲ୍ଲୀ ପହଞ୍ଚି ବିଭିନ୍ନ ମାର୍ଗ, ସ୍ଥାନ ଓ ବ୍ୟବସ୍ଥା ଯାଞ୍ଚ କରିସାରିଛନ୍ତି । ପୁଟିନଙ୍କ ଚାରିପଟେ ପାଞ୍ଚଟି ସ୍ତରର ଅଭେଦ୍ୟ ସୁରକ୍ଷା ବଳୟ ରହିବ। ବାହ୍ୟ ସ୍ତରଗୁଡ଼ିକୁ ଭାରତର ଜାତୀୟ ସୁରକ୍ଷା ଗାର୍ଡ (ଏନ୍ଏସ୍ଜି) ଓ ଦିଲ୍ଲୀ ପୁଲିସ ନିୟନ୍ତ୍ରଣ କରିବେ। ଆଭ୍ୟନ୍ତରୀଣ ସୁରକ୍ଷା ସ୍ତରଗୁଡ଼ିକୁ ରୁଷ୍ ରାଷ୍ଟ୍ରପତିଙ୍କ ସୁରକ୍ଷା ସେବା ବାହିନୀ ପରିଚାଳନା କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବୈଠକ ସମୟରେ ଭାରତର ସ୍ପେସାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ (ଏସ୍ପିଜି) କମାଣ୍ଡୋମାନେ ମଧ୍ୟ ସୁରକ୍ଷା ପ୍ରଦାନ କରିବେ।
ପୁଟିନଙ୍କ ଗସ୍ତ ପାଇଁ ଏହି ସୁରକ୍ଷା ବ୍ୟବସ୍ଥାରେ ଏନ୍ଏସ୍ଜି ବ୍ଲାକ୍ କ୍ୟାଟ୍ କମାଣ୍ଡୋ, ସ୍ନାଇପର୍, ଆଣ୍ଟି-ଡ୍ରୋନ୍ ଜ୍ୟାମର୍, ଏଆଇ ଭିତ୍ତିକ ନିରୀକ୍ଷଣ କ୍ୟାମେରା, ମୁହଁ ଚିହ୍ନିବା ପ୍ରଣାଳୀ ଓ ଉଚ୍ଚକ୍ଷମତା ସଂପନ୍ନ ଡ୍ରୋନ୍ ବ୍ୟବହାର ହେବ। ପୁଟିନଙ୍କ କାର୍କୁ ଆକାଶରୁ ନିରନ୍ତର ନଜର ରଖିବା ପାଇଁ ବିଶେଷ ଡ୍ରୋନ୍ ମୁତୟନ ହେବ। ରୁଟ୍ର ଉଭୟ ପାଖରେ ଉଚ୍ଚ ଅଟ୍ଟାଳିକାରେ ସ୍ନାଇପର୍ ସ୍ଥାପନ କରାଯିବ। ରୁଷ୍ ରାଷ୍ଟ୍ରପତିଙ୍କ ଆର୍ମର୍ଡ ଲିମୁଜିନ୍ ‘ସେନାଟ୍’କୁ ମସ୍କୋରୁ ବିଶେଷ ବିମାନରେ ଆଣିବାକୁ ନିଷ୍ପତ୍ତି ହୋଇଛି। ପୁଟିନଙ୍କ ସହ ଆସୁଥିବା ଭୋଜନ ଓ ପାନୀୟ ଜିନିଷକୁ ରୁଷ୍ର ମୋବାଇଲ୍ କେମିକାଲ୍ ଲ୍ୟାବ୍ରେ ପରୀକ୍ଷା କରାଯିବ। ଏହା ପୁଟିନଙ୍କ ବିଦେଶ ଗସ୍ତ ସମୟରେ ସର୍ବଦା ଅନୁସରଣ କରାଯାଉଥିବା କଡ଼ା ପ୍ରୋଟୋକଲ୍ର ଏକ ଅଂଶ।
୨୦୨୨ରେ ଯୁକ୍ରେନ ଯୁଦ୍ଧ ଆରମ୍ଭ ପରେ ପୁଟିନଙ୍କ ଏହା ପ୍ରଥମ ଭାରତ ଆଗମନ। ପୁଟିନ ଆସନ୍ତାକାଲି ସନ୍ଧ୍ୟାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସ୍ବତନ୍ତ୍ର ରାତ୍ରିଭୋଜରେ ଯୋଗଦେବେ। ୫ ଡିସେମ୍ବରରେ ରାଷ୍ଟ୍ରପତି ଭବନରେ ସ୍ୱାଗତ କାର୍ଯ୍ୟକ୍ରମ ପରେ ରାଜଘାଟରେ ଗାନ୍ଧୀଜୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାପରେ ପୁଟିନ ପ୍ରଧାନମନ୍ତ୍ରୀଙ୍କ ସହ ହାଇଦ୍ରାବାଦ ହାଉସ୍ରେ ଶିଖର ବୈଠକରେ ସାମିଲ ହେବେ। ଏହି ବୈଠକରେ ସୁ-୫୭ ଷ୍ଟେଲ୍ଥ ଯୁଦ୍ଧବିମାନ, ଅତିରିକ୍ତ ଏସ୍-୪୦୦ ମିସାଇଲ୍ ୟୁନିଟ୍, ବ୍ରହ୍ମୋସ୍ ମିସାଇଲ୍, କ୍ଷୁଦ୍ର ଆଣବିକ ରିଆକ୍ଟର, ସାଇବର ସୁରକ୍ଷା ଓ ସ୍ପେସ୍ ସହଯୋଗ ଉପରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହେବା ସମ୍ଭାବନା ରହିଛି।
📱 Get Argus News App
✨Related Topics
Explore more stories