Malegaon Blast: ନିର୍ଦ୍ଦୋଷରେ ଖଲାସ ହେବା ପରେ, ସାଧ୍ୱର ପ୍ରଜ୍ଞା ଯୋଡ଼ିଲେ ନୂଆ ଫର୍ଦ୍ଦ...

Key Points
ସାଧ୍ୱୀଙ୍କର ଏକ ବୟାନ ଏବେ ସବୁଠାରୁ ଅଧିକ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ମୋତେ ନାନା ନିର୍ଯାତନା ଦେଇଥିଲେ। ମାଡ଼ ମାରିଥିଲେ ।
ଅନେକ ପ୍ରକାର ମାନସିକ ନିର୍ଯାତନା ମଧ୍ୟ ଦେଇଥିଲେ ।
ମାଲେଗାଓଁ ବିସ୍ଫୋରଣ ଘଟଣାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ । ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା କଲେ ବଡ଼ ଖୁଲାସା । ଦୁଇ ଦିନ ପୂର୍ବରୁ ଏହି ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଆଉ ତାପରେ ତାଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ସେ ଅନେକ ରହସ୍ୟ ଏବେ ସାମ୍ନାକୁ ଆଣୁଛନ୍ତି । ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଯାହାକି ତାଙ୍କ ପ୍ରତି ହୋଇଥିବା ପୋଲିସର ବର୍ବରତାକୁ ବଖାଣୁଛି ।
ଏହାରି ଭିତରେ ତାଙ୍କର ଏକ ବୟାନ ଏବେ ସବୁଠାରୁ ଅଧିକ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେ କହିଛନ୍ତି ମାଲେଗାଓଁ ବିସ୍ଫୋରଣ ଘଟଣାରେ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କୁ ଫସାଇବାକୁ ଜୋରଦାର ଉଦ୍ୟମ କରାଯାଇଥିଲା । ମୁଁ ଗୁଜରାଟରେ ରହୁଥିଲି ବୋଲି ସେମାନେ ମୋତେ ମୋଦିଙ୍କ ନାଁ ନେବାକୁ ବାଧ୍ୟ କରୁଥିଲେ । ଏଥିରେ ତଦନ୍ତକାରୀ ଅଧିକାରୀମାନେ ସାମିଲ ଥିବା କହି ଏକ ବଡ଼ ଅଭିଯୋଗ ଆଣିଛନ୍ତି ସାଧ୍ୱୀ ପ୍ରଜ୍ଞା ଠାକୁର ।
ଖାଲି ସେତିକି ନୁହେଁ, ସେ କହିଛନ୍ତି 'ତଦନ୍ତକାରୀ ଅଧିକାରୀମାନେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ବରିଷ୍ଠ ବିଜେପି ନେତା ରାମ ମାଧବଙ୍କ ସମେତ ଅନେକ ଲୋକଙ୍କ ନାଁ ନେବାକୁ କହିଥିଲେ। ଏଥିପାଇଁ ମୋତେ ନାନା ନିର୍ଯାତନା ଦେଇଥିଲେ। ମାଡ଼ ମାରିଥିଲେ । ଅନେକ ପ୍ରକାର ମାନସିକ ନିର୍ଯାତନା ମଧ୍ୟ ଦେଇଥିଲେ । ହସ୍ପିଟାଲରେ ବେଆଇନ ଭାବେ ଅଟକ ରଖିଥିଲେ । ହେଲେ ମୁଁ କାହାରି ନାଁ ନେଇନାହିଁ, କାରଣ ସେମାନେ ମୋତେ ମିଛ କହିବାକୁ ବାଧ୍ୟ କରୁଥିଲେ।'
ଗତ ଗୁରୁବାର ଅର୍ଥାତ୍ ୩୧ ଜୁଲାଇ ୨୦୨୫ରେ ଏନଆଇଏ ସ୍ୱତନ୍ତ୍ର କୋର୍ଟ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ କହିଛନ୍ତି ଯେ ସେମାନଙ୍କୁ ଦୋଷୀ ପ୍ରମାଣ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ। ଏହି ମାମଲାରେ ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଥିଲା, କିନ୍ତୁ କେବଳ ସାତ ଜଣଙ୍କ ବିଚାର କରାଯାଇଥିଲା, କାରଣ ଚାର୍ଜଫ୍ରେମ୍ ସମୟରେ ବାକି ସାତ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା।