Fake Currency / PNB ଲକରରୁ ମିଳିଲା ନକଲି ନୋଟର ପାହାଡ... ୪.୩୬ ଲକ୍ଷ ଟଙ୍କା ଗାଏବ

Key Points
କୋଟି କୋଟି ଜାଲି ଟଙ୍କା ବ୍ୟାଙ୍କ ଭିତରେ ଚାଲିଥିଲା କି ଖେଳ ?
PNB ଚେଷ୍ଟରୁ ମିଳିଲା ନକଲି ନୋଟ୍ ୭.୪୦ କୋଟିର ଜାଲି ଟଙ୍କା ନେଇ ହଇଚଇ
କରେନ୍ସି ଚେଷ୍ଟରେ ଜାଲି ନୋଟ୍ ୩ ବ୍ୟାଙ୍କ ଅଧିକାରୀଙ୍କ ନାଁରେ ମାମଲା
ଉତ୍ତରପ୍ରଦେଶର ସହାରନପୁରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର କରେନ୍ସି ଚେଷ୍ଟରୁ ବଡ଼ ଧରଣର ଜାଲି ନୋଟ୍ ଠାବ ହୋଇଛି । ଘଣ୍ଟାଘର ଅଞ୍ଚଳର ସୋଫିଆ ମାର୍କେଟ୍ସ୍ଥିତ PNB କରେନ୍ସି ଚେଷ୍ଟରେ ଅଗଷ୍ଟ ମାସରେ ହୋଇଥିବା ଅଡିଟ୍ ସମୟରେ ପ୍ରାୟ ୭.୪୦ କୋଟି ଟଙ୍କାର କଥିତ ଜାଲି ନୋଟ୍ ମିଳିଥିବା ଅଭିଯୋଗ ହୋଇଛି । ଏହା ପୂର୍ବରୁ ପ୍ରାୟ ୧୦-୧୧ ଅଗଷ୍ଟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)କୁ ପଠାଯାଇଥିବା ଟଙ୍କାରେ ୪.୩୬ ଲକ୍ଷ ଟଙ୍କାର କ୍ୟାଶ୍ କମ୍ ଥିବା ଜଣାପଡ଼ିଥିଲା । ଏହାପରେ ବ୍ୟାଙ୍କ ପକ୍ଷରୁ ଏକ ତଦନ୍ତ ଟିମ୍ ଗଠନ କରାଯାଇଥିଲା । ତଦନ୍ତ ସମୟରେ ହିଁ କରେନ୍ସି ଚେଷ୍ଟରେ ଏତେ ପରିମାଣର କଥିତ ଜାଲି ନୋଟ୍ ଥିବା ଘଟଣା ସାମ୍ନାକୁ ଆସିଥିଲା ।
କିପରି ସାମ୍ନାକୁ ଆସିଲା ମାମଲା ?
PNBର ମୁଖ୍ୟ ପ୍ରବନ୍ଧକ ନିଶା ସିଂହଙ୍କ ଅନୁସାରେ, RBIକୁ ପଠାଯାଇଥିବା କରେନ୍ସିର ମିଳାଣ ସମୟରେ ୪.୩୬ ଲକ୍ଷ ଟଙ୍କାର କମି ଧରାପଡ଼ିଥିଲା । ଏହାପରେ ବ୍ୟାଙ୍କ ସ୍ତରରେ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା । ତଦନ୍ତ ଆଗକୁ ବଢ଼ିବା ସହିତ କରେନ୍ସି ଚେଷ୍ଟରେ ପ୍ରାୟ ୭.୪୦ କୋଟି ଟଙ୍କାର କଥିତ ଜାଲି ନୋଟ୍ ଥିବା ଜଣାପଡ଼ିଥିଲା । ଏହାପରେ ବ୍ୟାଙ୍କ ପ୍ରଶାସନ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରିଥିଲା ।
୩ ଜଣ ବ୍ୟାଙ୍କ ଅଧିକାରୀଙ୍କ ନାଁରେ ମାମଲା
ନୋଡାଲ୍ ଅଧିକାରୀ ଅରୁଣ କୁମାର ଚୌବେଙ୍କ ଅଭିଯୋଗ ଆଧାରରେ ପୁଲିସ ଜାଲି ନୋଟ୍ ସମ୍ପର୍କିତ ମାମଲା ରୁଜୁ କରିଛି । ଏହି ମାମଲାରେ ମଣ୍ଡଳ କାର୍ଯ୍ୟାଳୟର ବରିଷ୍ଠ ପ୍ରବନ୍ଧକ ରବି କୁମାର, କରେନ୍ସି ଚେଷ୍ଟ ପ୍ରବନ୍ଧକ ସୁଶୀଲ ଶର୍ମା ଏବଂ ହରିୟାଣାର ଜଗାଧରୀସ୍ଥିତ କରେନ୍ସି ଚେଷ୍ଟ ପ୍ରବନ୍ଧକ ଅମିତ କୁମାରଙ୍କ ନାଁ ରହିଛି । ଅନ୍ୟପକ୍ଷରେ ୪.୩୬ ଲକ୍ଷ ଟଙ୍କାର କ୍ୟାଶ୍ କମି ଘଟଣାରେ ହାଉସ୍ କିପର୍ ବିଶାଳ କୁମାରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି । ଘଟଣା ସହ ଜଡ଼ିତ ୪ ଜଣଙ୍କୁ ବ୍ୟାଙ୍କ ତୁରନ୍ତ ସସ୍ପେଣ୍ଡ କରିଛି ।
CCTV ଫୁଟେଜ୍ ଓ ରେକର୍ଡ ଯାଞ୍ଚ
ସହାରନପୁର ଏସ୍ଏସ୍ପି ଅଭିନନ୍ଦନ କହିଛନ୍ତି ଯେ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ଏବେ ପୋଲିସ ଓ ବ୍ୟାଙ୍କର ଟିମ୍ ମିଳିତ ଭାବେ ଘଟଣାର ପୂରା ଟ୍ରେଲ୍ ଖୋଜୁଛନ୍ତି । ବିଭିନ୍ନ ଶାଖାରୁ କରେନ୍ସି ଚେଷ୍ଟକୁ ଆସିଥିବା ଟଙ୍କା, କ୍ୟାଶ୍ ରେକର୍ଡ, ନୋଟ୍ ପ୍ୟାକିଂ, ଗଣତି ଓ ମିଳାଣ ପ୍ରକ୍ରିୟାର ରେକର୍ଡ ଯାଞ୍ଚ କରାଯାଉଛି । ଏହାସହ କରେନ୍ସି ଚେଷ୍ଟର CCTV ଫୁଟେଜ୍ର ମଧ୍ୟ ଗଭୀର ଯାଞ୍ଚ କରାଯାଉଛି ।
ବ୍ୟାଙ୍କର କହିବା କଥା କ’ଣ ?
ମୁଖ୍ୟ ପ୍ରବନ୍ଧକ ନିଶା ସିଂହଙ୍କ କହିବା ଅନୁସାରେ, ଠାବ ହୋଇଥିବା କଥିତ ଜାଲି ନୋଟ୍ କରେନ୍ସି ଚେଷ୍ଟ ଭିତରେ ହିଁ ରହିଥିଲା । ଏହି ନୋଟ୍ଗୁଡ଼ିକୁ ବଜାରରେ ଚଳାଚଳ କରାଯାଇନଥିଲା କିମ୍ବା କୌଣସି ଶାଖାକୁ ବଣ୍ଟନ କରାଯାଇନଥିଲା । ବ୍ୟାଙ୍କ ପ୍ରଶାସନ କହିଛି ଯେ ଡିଟେଲ୍ ଇନ୍ଭେଷ୍ଟିଗେସନ୍ ରିପୋର୍ଟ ଆସିବା ପରେ ହିଁ ଘଟଣାର ପୂରା ସତ୍ୟ ସ୍ପଷ୍ଟ ହେବ। ଏବେ ବ୍ୟାଙ୍କ ନିଜ ଗାଇଡ୍ଲାଇନ୍ ଅନୁସାରେ ତୁରନ୍ତ ପଦକ୍ଷେପ ନେଇ ମାମଲାକୁ ପୁଲିସ ତଦନ୍ତ ପାଇଁ ହସ୍ତାନ୍ତର କରିଛି ।
ଏବେ ପୋଲିସ ତଦନ୍ତରେ ୭.୪୦ କୋଟି ଟଙ୍କାର କଥିତ ଜାଲି ନୋଟ୍ କରେନ୍ସି ଚେଷ୍ଟକୁ କିପରି ଆସିଲା, ଏଥିରେ କାହାର ଭୂମିକା ରହିଛି ଏବଂ ୪.୩୬ ଲକ୍ଷ ଟଙ୍କାର କ୍ୟାଶ୍ କମି ସହ ଏହାର କୌଣସି ସମ୍ପର୍କ ଅଛି କି ନାହିଁ, ସେନେଇ ଖୋଳତାଡ଼ ଚାଲିଛି ।
📱 Get Argus News App
✨Related Topics
Explore more stories